ପ୍ରିନ୍ସ ଫିଲିପ୍‌ଙ୍କ ପରଲୋକରେ ଦୁଃଖ ପ୍ରକାଶ କଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ, କହିଲେ ପ୍ରିନ୍ସ ଥିଲେ ଅଗଣୀତ ଯୁବକଙ୍କ ପ୍ରେରଣାର ଉତ୍ସ

ଲଣ୍ଡନ : ବ୍ରିଟେନ୍‌ ରାଣୀ ଏଲିଜାବେଥ-୨ୟଙ୍କ ସ୍ୱାମୀ ତଥା ଡ୍ୟୁକ୍‌ ଅଫ୍‌ ଏଡିନବର୍ଗ ପ୍ରିନ୍ସ ଫିଲିପଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ବୟସ ହୋଇଥିଲା । ବ୍ରିଟେନ୍‌ ରାଜପରିବାରର ୨ୟ ପ୍ରମୁଖ ରାଜପ୍ରାସାଦ ଓ୍ଵିଣ୍ଡସ୍‌ର କାସ୍‌ଲରେ ଆଜି ତାଙ୍କର ପରଲୋକ ହୋଇଛି । ଏହି ଖବର ବକିଂହାମ୍‌ ପ୍ୟାଲେସ୍‌ ତରଫରୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।

ଗତ ଫେବ୍ରୁଆରୀ ମାସରେ ଛାତି ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା । ମାର୍ଚ୍ଚ ୧୬ରେ ସେ ସୁସ୍ଥ ହୋଇ ରାଜପ୍ରାସାଦକୁ ଫେରିଥିଲେ । ସେ ଗତ କିଛି ବର୍ଷ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ ।

୧୯୨୧ ମସିହା ଜୁନ୍‌ ୧୦ରେ ପ୍ରିନ୍ସ ଫିଲିପ୍‌ ଗ୍ରୀକ୍‌ ଦ୍ୱୀପ କୋର୍‌ଫୁରେ ଜନ୍ମ ଗ୍ରହଣ କରିଥିଲେ । ୧୯୪୭ ରେ ସେ ଏଲିଜାବେଥଙ୍କୁ ବିବାହ କରିଥିଲେ । ଏହି ରାଜ ଦମ୍ପତିଙ୍କର ୪ ଜଣ ସନ୍ତାନ, ୮ ଜଣ ନାତି ଓ ୧୦ ଜଣ ଅଣନାତି ଅଛନ୍ତି । ପ୍ରିନ୍ସ ଫିଲିପଙ୍କ ପରଲୋକରେ ବ୍ରିଟେନରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ସମ୍ମାନରେ ବକିଂହାମ୍‌ ରାଜପ୍ରାସାଦ ପତାକାକୁ ଅର୍ଦ୍ଧନିମିତ କରାଯାଇଛି ।

ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିଶ ଜନ୍‌ସନ୍‌ ପ୍ରିନ୍ସଙ୍କ ପରଲୋକରେ ଦୁଃଖ ପ୍ରକାଶ କରିବା ସହ ପ୍ରିନ୍ସ ଅଗଣୀତ ଯୁବକଙ୍କ ପ୍ରେରଣାର ଉତ୍ସ ଥିଲେ ବୋଲି ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.