ସିଧି ପରିସ୍ରାକାଣ୍ଡ ପରେ ପୁଣି ଏକ ଅମାନବୀୟ ଘଟଣା! ମୁହଁରେ ଜୋତା ଠୁସି ଅର୍ଦ୍ଧ ଉଲଗ୍ନ କରି ପିଟିଲେ

ମଧ୍ୟ ପ୍ରଦେଶରେ ଘୃଣ୍ୟ ତଥା ଅମାନବୀୟ ଘଟଣା ଥମିବାର ନାମ ନେଉନାହିଁ। ସିଧି ପରିସ୍ରାକାଣ୍ଡ ପରେ ଏବେ ପୁଣି ରେୱାରେ ମୁହଁରେ ଜୋତା ଠୁସି ଅତି ନିର୍ଦ୍ଦୟ ଭାବେ ଯୁବକଙ୍କୁ ପିଟିବା ମାମଲା ସାମ୍ନାକୁ ଆସିଛି।

ମଧ୍ୟ ପ୍ରଦେଶରେ ଘୃଣ୍ୟ ତଥା ଅମାନବୀୟ ଘଟଣା ଥମିବାର ନାମ ନେଉନାହିଁ। ସିଧି ପରିସ୍ରାକାଣ୍ଡ ପରେ ଏବେ ପୁଣି ରେୱାରେ ମୁହଁରେ ଜୋତା ଠୁସି ଅତି ନିର୍ଦ୍ଦୟ ଭାବେ ଯୁବକଙ୍କୁ ପିଟିବା ମାମଲା ସାମ୍ନାକୁ ଆସିଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଘଟଣାର ଦୁଇ ବର୍ଷ ପରେ ପୋଲିସ ବର୍ତ୍ତମାନ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏହି ମାମଲା ଦୁଇ ବର୍ଷ ପୁରୁଣା। ଘଟଣା ରେୱା ଜିଲ୍ଲାର ହନୁମନା ତହସିଲ ପିପରାହୀ ଗାଁର ବୋଲି ଜଣାପଡ଼ିଛି। ଏଠାକାର ବାସିନ୍ଦା ଜୟପ୍ରକାଶ ଗୁପ୍ତାଙ୍କୁ ସ୍ଥାନୀୟ ସରପଞ୍ଚଙ୍କ ସ୍ୱାମୀ ଜବାହର ସିଂ ଗୋଡ଼ ଅମାନୁଷିକ ଭାବେ ପିଟିଥିଲେ। ଅଭିଯୋଗ ମୁତାବକ, ଜବାହର ସିଂ ପ୍ରଥମେ ଜୟପ୍ରକାଶଙ୍କୁ ନିଜ ଘରକୁ ଡାକିଥିଲେ ଏବଂ ଏହାପରେ ତାଙ୍କୁ ପାଣି ପିଆଇ ଖୁବ୍‌ ପିଟିଥିଲେ।

କେବଳ ପିଟି ନ ଥିଲେ, ସେ ତାଙ୍କୁ ଅର୍ଦ୍ଧନଗ୍ନ କରି ମୁହଁରେ ଜୋତା ମଧ୍ୟ ଠୁସି ଦେଇଥିଲେ। ତାଙ୍କ ହାତ ବାନ୍ଧି ଅମାନବୀୟ ବ୍ୟବହାର କରିଥିଲେ। ପୀଡ଼ିତ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ସରପଞ୍ଚଙ୍କ ସ୍ୱାମୀ ଜଣକ କୌଣସି କଥା ଶୁଣି ନ ଥିଲେ।

ପୀଡ଼ିତ କହିଛନ୍ତି ଯେ ସେ ଲଜ୍ଜା ଭୟରେ ଏହି ଘଟଣା ବିଷୟରେ କାହାକୁ କିଛି କହି ନ ଥିଲେ। ମାଡ଼ ଖାଇ ତାଙ୍କ ଅବସ୍ଥା ଏତେ ଖରାପ ହୋଇଯାଇଥିଲା ଯେ ସେ ହସ୍ପିଟାଲ ମଧ୍ୟ ଯାଇପାରି ନ ଥିଲେ। ପାଖାପାଖି ୩ ମାସ ଧରି ଘରେ ହିଁ ତାଙ୍କର ଚିକିତ୍ସା ଚାଲିଥିଲା। ସ୍ଥାନୀୟ ଥାନାରେ ବି ଅଭିଯୋଗ ସତ୍ତ୍ୱେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ସରପଞ୍ଚଙ୍କ ସ୍ୱାମୀ ପୂରା ପରିବାରକୁ ହତ୍ୟା ଧମକ ଦେଇଥିଲେ।

ଏବେ ଦୁଇ ବର୍ଷ ପରେ ଘଟଣାର ଭିଡିଓ ଭାଇରାଲ ହେବାରୁ ପୋଲିସ ମୁଖ୍ୟ ଅଭିଯୁକ୍ତ ଜବାହରଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଛି। ଆଇପିସି ଧାରା ୩୨୩, ୨୯୬, ୫୦୬ ଓ ୫୦୧ ଅନୁଯାୟୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ପୋଲିସ କହିଛି ଯେ ପୀଡିତ ଯୁବକ ଅଭିଯୁକ୍ତଙ୍କ ଘର ଆଖପାଖରେ ଜମି କିଣିଛନ୍ତି, ଯାହାକୁ ଅଭିଯୁକ୍ତ ବେଆଇନ ଭାବରେ ଦଖଲ କରିଛନ୍ତି। ପୀଡିତ ଗତ କିଛି ବର୍ଷ ଧରି ଅଭିଯୁକ୍ତଙ୍କ ପାଇଁ ଡ୍ରାଇଭର ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ। ଅଭିଯୁକ୍ତଙ୍କ ପତ୍ନୀ ଗାଁର ସରପଞ୍ଚ। ବର୍ତ୍ତମାନ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.