୧୯ ସେପ୍ଟେମ୍ବରରେ ରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର; ୪ ଦିନ ଧରି ଶେଷ ଦର୍ଶନ କରି ପାରିବେ ଜନତା

ବ୍ରିଟେନରେ ରାଜା ଚାର୍ଲସ୍‌ ତୃତୀୟଙ୍କ ରାଜ୍ୟାଭିଷେକ ସହିତ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ବକିଙ୍ଗହମ୍ ପ୍ୟାଲେସ୍ ତରଫରୁ ସୂଚନା ଦିଆଯାଇଛି ଯେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନର ସହିତ କରାଯିବ। ଆସନ୍ତା ସୋମବାର ୧୯ ସେପ୍ଟେମ୍ବରରେ ୱେଷ୍ଟମିନଷ୍ଟର ଆବେରେ ରାଣୀଙ୍କ ଅନ୍ତିମ ସଂସ୍କାର ହେବ। ଅନ୍ତିମ ସଂସ୍କାର ପୂର୍ବରୁ ମହାରାଣୀଙ୍କ ମର ଶରୀରକୁ ୪ ଦିନ ପାଇଁ ୱେଷ୍ଟମିନଷ୍ଟର ହଲରେ ରଖାଯିବ, ଯାହାଫଳରେ ଲୋକମାନେ ତାଙ୍କର ଶେଷ ଦର୍ଶନ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ପାରିବେ।

ଶନିବାର ବ୍ରିଟେନରେ ଏକ ଐତିହାସିକ ସମାରୋହରେ ଚାର୍ଲସ୍‌ ତୃତୀୟଙ୍କୁ ବ୍ରିଟେନ ସମ୍ରାଟ ଘୋଷିତ କରାଯାଇଛି। ବକିଙ୍ଗ୍‌ହମ ପ୍ୟାଲେସ୍‌ ବୟାନ ଜାରି କରି କହିଛି କି, ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ମର ଶରୀରକୁ ବାଲ୍‌ମୋରଲ କ୍ୟାସଲର ବାଲ୍‌ରୁମସ୍ଥିତ କଫିନ୍‌ରେ ସୁରକ୍ଷିତ ଭାବରେ ରଖାଯାଇଛି। ଏହି କଫିନ୍‌କୁ ରବିବାର ସେପ୍ଟେମ୍ବର ୧୧ରେ ସଡ଼କ ମାର୍ଗରେ ୧୮୦ ମାଇଲ୍‌ ଯାତ୍ରା କରି ଏଡିନ୍‌ବର୍ଗରେ ପହଞ୍ଚାଯିବ।

କଫିନ୍‌କୁ ହୋଲିରୁଡ୍‌ହାଉସ୍‌ର ମହଲରୁ ସେଣ୍ଟ ଜାଇଲ୍ସ କ୍ୟାଥେଡ୍ରଲ ନିଆଯିବ। ମଙ୍ଗଳବାର ପର୍ଯ୍ୟନ୍ତ ମର ଶରୀରକୁ କଫିନ୍‌ରେ ରଖାଯିବ। ଏହାପରେ ବୁଧବାର ଲଣ୍ଡନର ବକିଙ୍ଗହମ୍ ପ୍ୟାଲେସକୁ ନିଆଯିବ, ଯେଉଁଠି ଲୋକମାନେ ତାଙ୍କର ଅନ୍ତିମ ଦର୍ଶନ କରି ପାରିବେ। ଏହାପରେ ସୋମବାର ୧୯ ସେପ୍ଟେମ୍ବରରେ ଲଣ୍ଡନର ୱେଷ୍ଟମିନଷ୍ଟର ଆବେରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାର କରାଯିବ। ସକାଳ ୧୧ଟାରେ ରାଜକୀୟ ସମ୍ମାନରେ ରାଣୀଙ୍କୁ ଅନ୍ତିମ ବିଦାୟ ଦିଆଯିବ।

ସୂଚନାଥାଉ କି, ମା’ ଏଲିଜାବେଥ ଦ୍ୱିତୀୟଙ୍କ ନିଧନ ପୂର୍ବରୁ ଚାର୍ଲସ ତୃତୀୟ ବ୍ରିଟେନର ରାଜକୁମାର ଥିଲେ। ଶନିବାର ତାଙ୍କର ରାଜ୍ୟାଭିଷେକ କରାଯାଇଥିଲା। ଏଥି ସହିତ ପତ୍ନୀ କାମିଲାଙ୍କୁ ରାଣୀ କନସର୍ଟ ଭାବରେ ବଛାଯାଇଥିଲା। କହି ରଖୁଛୁ, ଚିରନିଦ୍ରା ଯାଇଥିବା ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ସମ୍ମାନରେ ଆଜି ରାଷ୍ଟ୍ରୀୟ ଶୋକ ପାଳୁଛି ଭାରତ। ଭାରତ ସରକାର ମହାରାଣୀଙ୍କ ସମ୍ମାନାର୍ଥେ ଏହି ଦିନିକିଆ ରାଜକୀୟ ଶୋକର ଘୋଷଣା କରିଥିଲେ। ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କର ସେପ୍ଟେମ୍ବର ୮ ଗୁରୁବାର ୯୬ ବର୍ଷ ବୟସରେ ଦେହାନ୍ତ ହୋଇଛି। ପାଖାପାଖି ୭ ଦଶନ୍ଧି ଧରି ବ୍ରିଟେନର ରାଜଗାଦି ଉପରେ ଶାସନ କରିଥିଲେ ରାଣୀ ଏଲିଜାବେଥ୍‌ ଦ୍ୱିତୀୟ।

ବକିଙ୍ଗ୍‌ହମ୍‌ ପ୍ୟାଲେସ୍‌ ସେପ୍ଟେମ୍ବର ୮ରେ ଏକ ବିବୃତ୍ତି ଜାରି କରି ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ଏଲିଜାବେଥ୍ ଦ୍ୱିତୀୟ ହେଉଛନ୍ତି ବ୍ରିଟେନରେ ସବୁଠାରୁ ଦୀର୍ଘ ସମୟ ଧରି ରାଜ୍‌ କରିଥିବା ରାଜକୀୟ ବ୍ୟକ୍ତିତ୍ୱ। ସେ ୭୦ ବର୍ଷ ଶାସନର ଶୀର୍ଷରେ ରହିଥିଲେ।

ମହାରାଣୀ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ, ଯାହାଫଳରେ ଚଳିତ ସପ୍ତାହ ପ୍ରାରମ୍ଭରେ ସ୍କଟଲାଣ୍ଡରେ ନୂଆ ପ୍ରଧାନମନ୍ତ୍ରୀ ଲିଜ୍‌ ଟ୍ରସ୍‌ଙ୍କ ନିଯୁକ୍ତି ସମ୍ବନ୍ଧିତ ନିଜ ଗସ୍ତକୁ ସେ ହ୍ରାସ କରିଥିଲେ। ଏଲିଜାବେଥ୍‌ ଦ୍ୱିତୀୟ ୧୯୫୨ ମସିହା ଫେବୃୟାରୀ ୬ରେ ନିଜ ବାପା କିଙ୍ଗ୍‌ ଜର୍ଜ ଷଷ୍ଠଙ୍କ ମୃତ୍ୟୁ ପରେ ମହାରାଣୀ ହୋଇଥିଲେ। ପରବର୍ତ୍ତୀ ବର୍ଷ ୱେଷ୍ଟମିନଷ୍ଟର ଆବେରେ ତାଙ୍କର ରାଜ୍ୟାଭିଷେକ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.