ହେଲିକାପ୍ଟରରୁ ସରିଗଲା ଇନ୍ଧନ, ମଧ୍ୟପ୍ରଦେଶରେ ରାତି ବିତାଇଲେ ରାହୁଲ ଗାନ୍ଧି; ଢାବାରେ କଲେ ଡିନର

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସୋମବାର ରାତି ମଧ୍ୟପ୍ରଦେଶର ଶହଡୋଲରେ ବିତାଇବାକୁ ପଡ଼ିଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ସୋମବାର ରାତି ମଧ୍ୟପ୍ରଦେଶର ଶହଡୋଲରେ ବିତାଇବାକୁ ପଡ଼ିଛି । ପ୍ରଥମେ ତାଙ୍କ ହେଲିକାପ୍ଟରରୁ ଇନ୍ଧନ ସରିଯାଇଥିଲା ଏବଂ ଦ୍ୱିତୀୟରେ ପାଗ ଖରାପ ଯୋଗୁ ହେଲିକାପ୍ଟର ଉଡ଼ାଣ ଭରିପାରି ନ ଥିଲା, ଯାହା ପରେ ତାଙ୍କୁ ଶହଡୋଲରେ ହିଁ ସୋମବାର ରାତି ବିତାଇବାକୁ ପଡ଼ିଥିଲା ।

ରାହୁଲ ଗାନ୍ଧି ଶହଡୋଲ-କଟନି ଜାତୀୟ ରାଜପଥ ନଂ.୪୩ସ୍ଥିତ ଢାବାରେ ପହଞ୍ଚି ରାତ୍ରିଭୋଜନ କରିଥିଲେ । ତାଙ୍କ ସହିତ ମଧ୍ୟପ୍ରଦେଶର କଂଗ୍ରେସ ଅଧ୍ୟକ୍ଷ ଜିତୁ ପଟଓ୍ଵାରୀ ଓ ଦଳୀୟ ନେତା କୁଣାଳ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ ।

ସୂଚନା ରହିଛି, ରାହୁଲ ଗାନ୍ଧି ଲୋକସଭା ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ପାଇଁ ମଧ୍ୟପ୍ରଦେଶ ଆସିଥିଲେ । ସେ ମଣ୍ଡଳା ଓ ଶହଡୋଲରେ ଦୁଇଟି ରାଲିକୁ ସମ୍ବୋଧିତ କରିସାରିଛନ୍ତି । ଏଠାରେ ଏପ୍ରିଲ ୨୬ରେ ମତଦାନ ହେବ । ରାହୁଲ ଶହଡୋଲର ଏକ ହୋଟେଲରେ ରାତି ବିତାଇ ମଙ୍ଗଳବାର ସକାଳ ୬ଟାରେ ଦିଲ୍ଲୀ ଫେରିଯାଇଥିଲେ ।

ପ୍ରଦେଶ କଂଗ୍ରେସ ମୁଖ୍ୟ ଜିତୁ ପଟଓ୍ଵାରୀ କହିଛନ୍ତି ଯେ ଶହଡୋଲରେ ପାଗ ଖରାପ ଯୋଗୁ ରାହୁଲ ଗାନ୍ଧିଙ୍କ ହେଲିକାପ୍ଟର ଉଡ଼ାଣ ଭରିପାରି ନ ଥିଲା । ସୋମବାର ସନ୍ଧ୍ୟାରେ ତାଙ୍କୁ ଜବଲପୁର ଯିବାର ଥିଲା, ସେଠାରୁ ସେ ଦିଲ୍ଲୀ ଫେରିଥାନ୍ତେ । ରାହୁଲ ଗାନ୍ଧି ଶହଡୋଲର ଏକ ହୋଟେଲରେ ରାତି ସାରା ଅଟକିଥିଲେ ଏବଂ ମଙ୍ଗଳବାର ସକାଳେ ବାହାରିଥିଲେ ।

ମଙ୍ଗଳବାର ସକାଳେ ରାହୁଲ ଉମରିଆରେ ମହୁଲ ଗୋଟାଉଥିବା ମହିଳାମାନଙ୍କୁ ଭେଟିଥିଲେ । ସେ ସେମାନଙ୍କ ସହିତ ମିଶି ମହୁଲ ଗୋଟାଇଥିଲେ । କିଛି ସମୟ ଆଲୋଚନା ପରେ ରାହୁଲ ଦିଲ୍ଲୀ ଫେରିଯାଇଥିଲେ ।

ସେପଟେ ଏମ୍‌ପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସୋମବାର ରାତିରେ ଛିନ୍ଦଓ୍ଵାଡା ଲୋକସଭା ଆସନ ଅନ୍ତର୍ଗତ ଚାଓ୍ଵଲପାଣିରେ ଏକ ସଭାକୁ ସମ୍ବୋଧିତ କରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରିଥିଲେ । ସେ କହିଥିଲେ ଯେ ରାହୁଲ ଗାନ୍ଧି ଆଜି ଶହଡୋଲ ଆସିଛନ୍ତି, କିନ୍ତୁ ଇନ୍ଧନ ଅଭାବ ଯୋଗୁ ତାଙ୍କ ହେଲିକାପ୍ଟର ଉଡ଼ାଣ ଭରିପାରିଲା ନାହିଁ । ଯଦି କଂଗ୍ରେସର ହିଁ ଇନ୍ଧନ ଶେଷ ହୋଇଯାଇଛି, ତେବେ ରାହୁଲଙ୍କ ହେଲିକାପ୍ଟର ପାଇଁ କେଉଁଠୁ ଇନ୍ଧନ ଆସିବ ?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.