ବାଃରେ ବାଃ ରେଳବାଇ : ଚାରି ବର୍ଷ ପରେ ପହଞ୍ଚିଲା ସାର ଓ୍ଵାଗନ୍

ବିଶାଖାପାଟଣାରୁ ଗୋରଖପୁର ବସ୍ତି ଷ୍ଟେସନ୍ର ଦୂରତା ହେଉଛି ୧୩୨୬ କିଲୋମିଟର । ଗୋଟିଏ ମାଲ୍ଗାଡ଼ିର ଓ୍ଵାଗନକୁ ଏହି ପଥ ଅତିକ୍ରମ କରିବାକୁ ଲାଗିଛି ଦୀର୍ଘ ଚାରି ବର୍ଷ । ଆଶ୍ଚର୍ଯ୍ୟର କଥା ନା ? କିନ୍ତୁ ସତ । ସାର ବସ୍ତାରେ ଭରପୂର ଏହି ଓ୍ଵାଗନଟି ୨୦୧୪ରେ ବିଶାଖାପାଟଣା ଷ୍ଟେସନ୍ରୁ ବାହାରିଥିଲା । ହେଲେ କୁଆଡ଼େ ବାଟ ଭୁଲିଲା କେଜାଣି ଗୁରୁବାର ଦିନ ଆସି ବସ୍ତି ଷ୍ଟେସନ୍ରେ ପହଞ୍ଚିବା ପରେ ଜଣାପଡ଼ିଲା ଏହି କଥା । ତେବେ ରେଳବାଇ ଅଧିକାରୀ ଏପର୍ଯ୍ୟନ୍ତ ଜାଣି ପାରୁ ନାହାନ୍ତି ଯେ ଏଭଳି ଘଟଣା ଘଟିଲା କେମିତି ? ଏତେଦିନ ଧରି ବଗିଟି କେଉଁଠି ରହି ଯାଇଥିଲା ? ତାର ଖୋଳତାଡ଼ ଜାରି ରହିଛି । ତେବେ ଓ୍ଵାଗନରେ ଥିବା ସାର ସବୁ ନଷ୍ଟ ହୋଇଯାଇଛି । ତାର ମାଲିକ ମଧ୍ୟ କିଏ ସେକଥା ଜଣାପଡୁନାହିଁ । ଜଣେ ବ୍ୟବସାୟୀ ଏହି ସବୁ ସାର ବୁକ୍ କରିଥିଲେ । ଯାହାର ମୂଲ୍ୟ ଆନୁମାନିକ ୧୦ ଲକ୍ଷ ଟଙ୍କା ହେବ । ସମ୍ଭବତଃ ମରାମତି ପାଇଁ ଟ୍ରେନ୍ରୁ ବଗିଟିକୁ ଅଲଗା କରି କୌଣସି ଷ୍ଟେସନ୍ ୟାର୍ଡ଼କୁ ପଠାଇ ଦିଆଯାଇଥିଲା । ତା ପରେ ସାର ଓ୍ଵାଗନଟି ସେହିଠାରେ ଦୀର୍ଘ ଦିନ ଧରି ରହି ଯାଇଛି ବୋଲି ରେଳବାଇ ଅଧିକାରୀ ଅନୁମାନ କରୁଛନ୍ତି । ତେବେ କର୍ତ୍ତୃପକ୍ଷଙ୍କ ମୁଣ୍ଡରେ ଆଉ ଏକ ଚିନ୍ତା । ଯଦି ମାଲିକ ମିଳିଯାନ୍ତି ତେବେ ତାଙ୍କୁ କ୍ଷତିପୂରଣ ଦେବାକୁ ହେବ ।
Indian Railways’ goods wagon reaches UP’s Basti from Visakhapatnam in 3.5 years https://t.co/eB1ouRStQc
— TOI Cities (@TOICitiesNews) July 27, 2018