ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ କଏଦୀଙ୍କୁ ପାରୋଲରେ ଛାଡ଼ିଥିଲେ କୋର୍ଟ, ଏବେ ରାଜ୍ୟ ସରକାର କଲେ ଚ୍ୟାଲେଞ୍ଜ

ସ୍ତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ କଏଦୀଙ୍କୁ ପାରୋଲ ଛାଡ଼ି ହଟହଟା ହୋଇଛନ୍ତି ରାଜସ୍ଥାନ କୋର୍ଟ। ରାଜସ୍ଥାନରେ ପତ୍ନୀଙ୍କ ସହ ସମ୍ବନ୍ଧ ରଖି ବାପା ବନିବାକୁ ଦାବି କରିଥିବା କଏଦୀଙ୍କ ଆବେଦନକୁ ଗ୍ରହଣ କରି କୋର୍ଟ ଏବେ ଫସିଯାଇଛନ୍ତି। ଏହି ମାମଲାରେ ଏବେ ରାଜ୍ୟ ସରକାର କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜ୍ୟ ସରକାର ରାଜସ୍ଥାନ ହାଇକୋର୍ଟଙ୍କ ଉକ୍ତ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଛନ୍ତି। ଏହି ଆଧାରରେ ଆଜୀବନ ଜେଲ ଭୋଗୁଥିବା ଜଣେ ବ୍ୟକ୍ତିଙ୍କୁ ୧୫ ଦିନ ପାଇଁ ମୁକ୍ତ କରାଯାଇଥିଲା।

ଏପ୍ରିଲ ୫ରେ ରାଜସ୍ଥାନ ହାଇକୋର୍ଟର ଜଷ୍ଟିସ୍‌ ଫରଜନ୍ଦ ଅଲ୍ଲୀ ଓ ଜଷ୍ଟିସ୍‌ ସନ୍ଦୀପ ମେହତାଙ୍କ ବେଞ୍ଚ୍‌ ଅଜମେର ଜେଲରେ ଆଜୀବନ ଜେଲ ଦଣ୍ଡାଦେଶ କାଟୁଥିବା ନନ୍ଦଲାଲଙ୍କୁ ୧୫ ଦିନ ପାଇଁ ପାରୋଲରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ପତ୍ନୀଙ୍କ ସହ ସମ୍ପର୍କ ସ୍ଥାପନ କରି ସନ୍ତାନ ଜନ୍ମ କରିବାକୁ ଦିଆଯାଇଥିଲା। ସେତେବେଳେ ଜଜ୍‌ କହିଥିଲେ ଯେ ପତ୍ନୀଙ୍କର ବି କିଛି ଆବଶ୍ୟକତା ରହିଛି। ମା’ ହେବା ତାଙ୍କର ପ୍ରାକୃତିକ ଅଧିକାର। ଏଥିରୁ ତାଙ୍କୁ ବଞ୍ଚିତ କରାଯାଇପାରିବ ନାହିଁ। ଜଜ୍‌ମାନେ ବୈଦିକ ସଂସ୍କାର ସମେତ ଅନ୍ୟ ଧର୍ମର ମାନ୍ୟତାକୁ ଉଦାହରଣ ଦେଇ କହିଥିଲେ ଯେ ଗର୍ଭଧାରଣ କରିବା ଧାର୍ମିକ ପରମ୍ପରା ହିସାବରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ।

ରିପୋର୍ଟ ମୁତାବକ, ୩୪ ବର୍ଷୀୟ ନନ୍ଦଲାଲ ଭୀଲବାଡାଙ୍କୁ ୨୦୧୯ ମସିହାରେ ଏକ ମାମଲାରେ ଆଜୀବନ କାରାଦଣ୍ଡାଦେଶ ହୋଇଥିଲା। ଏହା ପରଠାରୁ ସେ ଜେଲରେ ଥିଲେ। ତାଙ୍କ ପତ୍ନୀ ରେଖା ଅଜମେରର ଜିଲ୍ଲା ପାରୋଲ କମିଟିର ଅଧ୍ୟକ୍ଷଙ୍କୁ ଆବେଦନ କରି ଦାବି କରିଥିଲେ ଯେ ତାଙ୍କ ସ୍ୱାମୀଙ୍କୁ ପାରୋଲରେ ଛଡ଼ାଯାଉ। ଫଳରେ ସେ ମା’ ହୋଇପାରିବେ।

ଏବେ ଏହି ମାମଲାରେ ରାଜ୍ୟ ସରକାର ପ୍ରଶ୍ନ ଉଠାଇଛନ୍ତି। ଏଥିପାଇଁ ହାଇକୋର୍ଟଙ୍କ ନିକଟରେ କୌଣସି ପ୍ରାବଧାନ ନଥିବାରୁ ମାମଲାକୁ ସୁପ୍ରିମକୋର୍ଟ ପଠାଯାଇଛି। ଏହି ମାମଲାରେ କଏଦୀଙ୍କୁ ପାରୋଲରେ ଯାଇ ପତ୍ନୀଙ୍କ ସହ ସମ୍ବନ୍ଧ ରଖିବାକୁ କୋର୍ଟ କାହିଁକି ଅନୁମତି ଦେଇଥିଲେ ସେ ନେଇ ପ୍ରଶ୍ନ କରିଛନ୍ତି ରାଜ୍ୟ ସରକାର। ତେବେ ଏହି ମାମଲାର ଆଗାମୀ ଶୁଣାଣି ଆସନ୍ତା ସପ୍ତାହରେ ହେବ।

Also Read: ସନ୍ତାନ ପ୍ରାପ୍ତି ଠୁ ଆର୍ଥିକ ସମସ୍ୟା ଯାଏଁ ସବୁ ଅସୁବିଧାକୁ ଦୂର କରିବାକୁ ଶ୍ରାବଣ ଶିବରାତ୍ରିରେ କରନ୍ତୁ ଏହି ବିଶେଷ କାମ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.