ମୁକ୍ତ ହେବେ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ; ନଳିନୀଙ୍କ ସମେତ ସମସ୍ତ ୬ ଦୋଷୀଙ୍କୁ ଛାଡ଼ିବାକୁ ଆଦେଶ ଦେଲେ ସୁପ୍ରିମ୍‌ କୋର୍ଟ

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଜେଲ୍‌ରେ ଥିବା ସମସ୍ତ ୬ ଦୋଷୀଙ୍କୁ ମୁକ୍ତ କରିବାକୁ ସୁପ୍ରିମ୍‌ କୋର୍ଟ ଆଦେଶ ଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦି ଏହି ଦୋଷୀମାନଙ୍କ ବିରୋଧରେ ଅନ୍ୟ କୌଣସି ମାମଲା ନାହିଁ, ତା’ ହେଲେ ସେମାନଙ୍କୁ ମୁକ୍ତ କରି ଦିଆଯାଉ। ସୁପ୍ରିମ୍‌ କୋର୍ଟ ନିଷ୍ପତ୍ତିରେ କହିଛନ୍ତି କି, ଦୀର୍ଘ ଦିନ ଧରି ରାଜ୍ୟପାଳ ଏହା ଉପରେ ପଦକ୍ଷେପ ନେଲେ ନାହିଁ, ତେଣୁ ଆମେ ନେଉଛୁ। ଏହି ମାମଲାରେ ଦୋଷୀ ପେରାରିଭଲନ୍‌ଙ୍କ ମୁକ୍ତି ଆଦେଶ ବାକି ଦୋଷୀମାନଙ୍କ ଉପରେ ମଧ୍ୟ ଲାଗୁ ହେବ। କହି ରଖୁଛୁ, ଚଳିତ ବର୍ଷ ମେ’ରେ ସୁପ୍ରିମ୍‌ କୋର୍ଟ ପେରାରିଭଲନ୍‌ଙ୍କୁ ମୁକ୍ତ କରିବାକୁ ଆଦେଶ ଦେଇଥିଲେ।

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ନଳିନୀ, ରବିଚନ୍ଦ୍ରନ, ମୁରୁଗନ, ମନ୍ଥନ, ଜୟକୁମାର ଓ ରବର୍ଟ ପାୟସ୍‌ଙ୍କୁ ମୁକ୍ତ କରିବାକୁ ଆଦେଶ ଦିଆଯାଇଛି। ପେରାରିଭଲନ୍‌ ପୂର୍ବରୁ ହିଁ ଏହି ମାମଲାରେ ମୁକ୍ତ ହୋଇ ସାରିଛନ୍ତି। ଜେଲ୍‌ରେ ଭଲ ବ୍ୟବହାର କାରଣରୁ ତାଙ୍କୁ ୧୮ ମେ’ରେ ମୁକ୍ତ କରିବାକୁ କୋର୍ଟ ଆଦେଶ ଦେଇଥିଲେ। ଜଷ୍ଟିସ୍‌ ଏଲ୍‌ ନାଗେଶ୍ୱରଙ୍କ ଖଣ୍ଡପୀଠ ଧାରା ୧୪୨କୁ ବ୍ୟବହାର କରି ଏହି ଆଦେଶ ଜାରି କରିଥିଲେ।

୨୧ ମେ’, ୧୯୯୧ରେ ଏକ ନିର୍ବାଚନ ରାଲି ସମୟରେ ତାଲିମନାଡ଼ୁରେ ଆତ୍ମଘାତୀ ଆକ୍ରମଣରେ ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ଜଣେ ମହିଳା ତାଙ୍କୁ ମାଳ ପିନ୍ଧାଇଥିଲେ, ଏହାପରେ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା। ଦୁର୍ଘଟଣାରେ ୧୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ମୋଟ ୪୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୨ ଜଣଙ୍କ ମୃତ୍ୟୁ ହୋଇ ସାରିଥିଲା ଏବଂ ୩ ଫେରାର୍‌ ହୋଇ ଯାଇଥିଲେ। ବାକି ୨୬ ଜଣଙ୍କୁ ଧରା ଯାଇଥିଲା। ଏଥିରେ ଶ୍ରୀଲଙ୍କା ଏବଂ ଭାରତର ନାଗରିକ ସମ୍ପୃକ୍ତ ଥିଲେ।

ଦୋଷୀମାନଙ୍କ ଉପରେ ଟାଡା ଆଇନ ଅଧୀନରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏଥିରେ ସମସ୍ତ ୨୬ ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଥିଲା। ଏହି ନିଷ୍ପତ୍ତି ଟାଡା କୋର୍ଟଙ୍କ ଥିଲା, ଏଥିପାଇଁ ଏହାକୁ ସୁପ୍ରିମ୍‌ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଟାଡା କୋର୍ଟଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ ଦିଆଯାଇ ପାରିବ ନାହିଁ। ବର୍ଷେ ପରେ ସୁପ୍ରିମ୍‌ କୋର୍ଟଙ୍କ ୩ ଜଣ ଜଜ୍‌ଙ୍କ ଖଣ୍ଡପୀଠ ଏହି ପୂରା ନିଷ୍ପତ୍ତିକୁ ହିଁ ବଦଳାଇ ଦେଇଥିଲେ ଏବଂ ୨୬ ଜଣଙ୍କ ମଧ୍ୟରୁ ୧୯ ଜଣଙ୍କୁ ମୁକ୍ତ କରିଥିଲେ। କେବଳ ୭ ଜଣଙ୍କ ଫାଶୀ ଦଣ୍ଡକୁ ବଳବତ୍ତର ରଖାଯାଇଥିଲା। ପରେ ଏହାକୁ ବଦଳାଯାଇ ଆଜୀବନ କାରାଦଣ୍ଡ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.