ନୃସଂଶତାର ସବୁ ସୀମା ପାର କରିଗଲେ, ଦୁଷ୍କର୍ମ ପୀଡିତାଙ୍କୁ ପେଟ୍ରୋଲ ସ୍ପ୍ରେ କରି ନାବାଳିକା ଝିଅ ସାମ୍ନାରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ

ରାଜସ୍ଥାନର ଜୟପୁରରେ ଘଟିଛି ଏକ ଭୟଙ୍କର ଘଟଣା । ସହରର କୋତୱାଲି ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଦୁଷ୍କର୍ମ ପୀଡିତାଙ୍କ ଦେହରେ ପେଟ୍ରୋଲ ସ୍ପ୍ରେ କରି ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି।
ଏହି ନିଆଁକୁ ଅନ୍ଯ କେହି ନୁହେଁ ବରଂ ପୀଡିତାଙ୍କ ଦେହରେ ଅଭିଯୁକ୍ତ ନିଜେ ଲଗାଇଥିଲା। ନିଆଁ ଲାଗି ପୀଡିତାଙ୍କ ଶରୀରର ୭୦ ପ୍ରତିଶତ ପୋଡି ଯାଇଥିଲା। ମହିଳାଙ୍କୁ ବଞ୍ଚାଇବା ପାଇଁ ପୀଡିତାକୁ ତାଙ୍କର ନାବାଳିକା ଝିଅ ଚେଷ୍ଟା କରିଥିବା ବେଳେ ତା’ର ଶରୀର ମଧ୍ୟ ପୋଡି ଯାଇଥିଲା। ପରେ ଦୁହିଁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମହିଳା ଜଣକ ଏବେ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ଜଣଙ୍କୁ ପୋଲିସ ଗିରଫ କରିଛି।
ତେବେ ଏହି ନିଆଁରୁ ବର୍ତ୍ତି ନାହାନ୍ତି ଅଭିଯୁକ୍ତମାନେ । ଦୁର୍ଷ୍କମ ପୀଡିତା ମହିଳାଙ୍କ ଉପରେ ପେଟ୍ରୋଲ ସ୍ପ୍ରେ କରୁଥିବା ବେଳେ ଅଭିଯୁକ୍ତମାନେ ମଧ୍ୟ ଜଳି ଯାଇଥିଲେ। ତାଙ୍କୁ ବି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପହଞ୍ଚିଥିବା କୋତୱାଲି ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।
ପୀଡିତା ମହିଳା ଜଣକ ଏପ୍ରିଲରେ ଅଭିଯୁକ୍ତଙ୍କ ବିରୋଧରେ ଥାନାରେ ବଳାତ୍କାର ମାମଲା ଦାୟର କରିଥିଲେ। ସେବେଠାରୁ ଅଭିଯୁକ୍ତମାନେ ଫେରାର ଥିଲେ। ପୀଡିତାଙ୍କ ପରିବାରକୁ ଅଭିଯୁକ୍ତମାନେ ବାରମ୍ବାର ଧମକ ଦେଉଥିଲେ ଏବଂ ବୁଝାମଣା ପାଇଁ ଚାପ ପକାଉଥିଲେ। ତେବେ ଦୀପାବଳି ଦିନ ସେମାନେ ହଠାତ୍ ପୀଡିତାଙ୍କ ଘରକୁ ଆସି ଏପରି କାଣ୍ଡ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କ ଗିରଫ କରିଥିଲା।