ଝିଅର ମୃତ୍ୟୁ ପରେ କୋଭିସିଲ୍ଡକୁ ଦାବି କଲେ ୧୦୦୦ କୋଟି ଟଙ୍କାର ଜରିମାନା, ହାଇକୋର୍ଟ ସିରମ ଓ ବିଲ୍‌ ଗେଟ୍ସଙ୍କୁ ଜାରିକଲେ ନୋଟିସ

ମୁମ୍ବାଇ : ବମ୍ବେ ହାଇକୋର୍ଟ ଏକ ମାମଲାର ବିଚାର କରି ସିରମ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ଏସଆଇଆଇ) ଓ ଅନ୍ୟ ପାର୍ଟିକୁ ଜବାବ ତଲବ କରିଛନ୍ତି । ମାମଲା ଦାୟର କରିଥିବା ଉକ୍ତ ବ୍ୟକ୍ତି ଜଣକ ତାଙ୍କ ଝିଅର ମୃତ୍ୟୁ ପାଇଁ କୋଭିସିଲ୍ଡ ଟିକାକୁ ଦୋଷୀ ମାନିଛନ୍ତି । ଯେଉଁଥିପାଇଁ ଟିକା କମ୍ପାନି ଉପରେ ଉକ୍ତ ବ୍ୟକ୍ତି ୧୦୦୦ କୋଟି ଟଙ୍କାର ଜରିମାନା ଦାବି କରିଛନ୍ତି ।

ମାମଲାକାରୀ ଦିଲ୍ଲୀପ ଲୁନାବତ ମାଇକ୍ରୋସପ୍ଟ କମ୍ପାନିର ସଂସ୍ଥାପକ ବିଲ ଗେଟ୍ସ, କେନ୍ଦ୍ର ସରକାର, ମହାରାଷ୍ଟ୍ର ସରକାର ଓ ଭାରତର ଔଷଧ ମହାନିୟନ୍ତ୍ରକଙ୍କୁ ମଧ୍ୟ ପକ୍ଷଭୁକ୍ତି କରିଛନ୍ତି । ବିଲ୍‌ ଗେଟ୍ସ ଫାଉଣ୍ଡେସନ ସହ ଏସଆଇଆଇ କମ୍ପାନିର ଭାଗିଦାରୀ ରହିଛି ।

ଏହି ମାମଲାରେ ଜଷ୍ଟିସ ଏସବି ଗଙ୍ଗାପୁରବାଲା ଓ ଜଷ୍ଟିସ ମାଧବ ଜାମଦାରଙ୍କ ଖଣ୍ଡପୀଠ ୨୬ ଅଗଷ୍ଟରେ ସବୁ ପକ୍ଷଙ୍କୁ ନୋଟିସ ଜାରି କରିଥିଲେ । ଏହି ମାମଲାର ଶୁଣାଣି ଆସନ୍ତା ୧୭ ନଭେମ୍ବରକୁ ସ୍ଥିର ହୋଇଛି । ମାମଲାକାରୀ ଲୁନାବତ ଦାବି କରିଥିଲେ ଯେ ତାଙ୍କ ଝିଅ ସ୍ନେହଲ ମେଡିକାଲ ଛାତ୍ରୀ ଥିଲେ । ତାଙ୍କୁ ଗତ ବର୍ଷ ୨୮ ଜାନୁଆରୀରେ ନାସିକରେ ଏସଆଇଆଇ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡ ନେବାକୁ ବାଧ୍ୟ କରାଯାଇଥିଲା । ଯେହେତୁ ସେ ଜଣେ ସ୍ୱାସ୍ଥ୍ୟ ସେବକ ଥିଲେ ।

ଟିକା ନେବାର କିଛି ଦିନ ପରେ ସ୍ନେହଲଙ୍କୁ ଜୋର ମୁଣ୍ଡବିନ୍ଧା ଓ ବାନ୍ତି ହୋଇଥିଲା । ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର କହିଥିଲେ ଯେ ତାଙ୍କ ମୁଣ୍ଡରେ ରକ୍ତ ସ୍ରାବ ହେଉଛି । ଗତ ବର୍ଷ ୧ ମାର୍ଚ୍ଚରେ ସ୍ନେହଲଙ୍କ ମୃତ୍ୟୁ ହୋଇ ଯାଇଛି । ଦାବି କରାଯାଇଥିଲା ଯେ ଟିକାର ଦୁସ୍ପ୍ରଭାବରୁ ସ୍ନେହଲଙ୍କ ମୃତ୍ୟୁ ହୋଇଛି । ଫଳରେ ମାମଲାକାରୀ ଏସଆଇଆଇଙ୍କ ଉପରେ ୧୦୦୦ କୋଟି ଟଙ୍କା ଜରିମାନ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.