ମୃତ୍ୟୁର ଇଲାକା ପାଲଟିଛି ମାରିୟୁପୁଲ; କେମିକାଲ ଆଟାକ୍ ସହିତ ଶବ ଗାଏବ କରୁଛି ପୁଟିନ୍ ସେନା

ନୂଆଦିଲ୍ଲୀ: ଲମ୍ବୁଛି ରୁଷ-ୟୁକ୍ରେନ ଲଢେଇ । ବଢ଼ୁଛି ରୁଷ୍‌ ସେନାର ବର୍ବରତା । ବିଶ୍ୱକୁ ସ୍ତବ୍ଧ କରୁଛି ୟୁକ୍ରେନ୍‌ରେ ନରସଂହାର। ଗଣହତ୍ୟା ଓ ଗଣକବରର ନୂଆ ନୂଆ ଲୋମଟାଙ୍କୁରା ଚିତ୍ର ସାମ୍ନାକୁ ଆସୁଛି । ଏବେ ମୃତ୍ୟୁର ଉପତ୍ୟାକା ପାଲଟିଛି ମାରିୟୁପୁଲ । ରୁଷ ସେନାର ଆକ୍ରମଣରେ ୧୦ ହଜାରରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ସପ୍ତାହେରୁ ଅଧିକ ଦିନ ହେଲା ମାରିୟୁପୁଲ ଊପରେ ଆକ୍ରମଣ ଜାରି ରଖିଛି ରୁଷ ସେନା । ମୃତ୍ୟୁ ସଂଖ୍ୟା ୨୦ ହଜାର ମଧ୍ୟ ଟପିପାରେ ବୋଲି ଆଶଙ୍କା କରିଛନ୍ତି ମାରିୟୁପୁଲ ମେୟର ।

ଏବେ ବି ୧ ଲକ୍ଷ ୨୦ ହଜାର ନାଗରିକ ମାରିୟୁପୁଲରେ ଫସି ରହିଛନ୍ତି । ମାନବୀୟ କରିଡ଼ରକୁ ଅନୁମତି ଦେଉନି ରୁଷ । ମୃତ୍ୟୁସଂଖା ଲୁଚେଇବାକୁ ନୂଆ ଚାଲ କରିିଛି ପୁଟିନ ସେନା । ମୃତଦେହକୁ ସପିଂ ମଲର ଷ୍ଟୋରେଜରେ ଲୁଚାଇ ରଖାଯାଉଛି। ଏଥିସହ ମାରିୟୁପୁଲକୁ ମୋବାଇଲ କ୍ରିମେସନ ପାଇଁ ଆବଶ୍ୟକ ସରଞ୍ଜାମ ଆଣିଛି ରୁଷ ସେନା । ଟ୍ରକରେ ମୋବାଇଲ କ୍ରିମେସନ ବ୍ୟବସ୍ଥା କରାଯାଇ ମୃତଦେହକୁ ପୋଡାଯାଉଛି। ମିସାଇଲ ଓ ଗୁଳିମାଡରେ ଛାରଖାର ହୋଇଛି ପୋର୍ଟସିଟି ।

କେବଳ ଶବ ଗାଏବ ନୁହେଁ କେମିକାଲ୍ ଆଟାକ୍ ମଧ୍ୟ କରୁଛି । ମାରିୟୁପୋଲରେ ଥିବା ଲୋକଙ୍କୁ ଏବେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଛି । ଏହା ଭିତରେ କିଛି ଲୋକ ଏହି କେମିକାଲ କାରଣରୁ ମୃତ୍ୟୁ ମଧ୍ୟ କରିସାରିଲେଣି ବୋଲି ଦାବି ହେଉଛି । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି, ଏନେଇ ପୂର୍ବରୁ ବି କହିସାରିଥିଲେ । ଦକ୍ଷିଣ କୋରିଆ ସଂସଦକୁ ସମ୍ବୋଧିତ କରି ଜେଲେନସ୍କି କହିଥିଲେ, ମାରିୟୁପୋଲକୁ ଧ୍ୱଂସ କରିଦିଆଯାଉଛି । ହଜାର ହଜାର ଲୋକ ଏବେ ମୃତ୍ୟୁ ମୁଖରେ । ପୁଟିନ୍ ସେନା ମାରିୟୁପୋଲରେ କେମିକାଲ ଆଟାକ୍ କରିପାରେ ବୋଲି ଜେଲେନସ୍କି ଆଶଙ୍କା କହିଥିଲେ । ହେଲେ ଏବେ ଏହି ଆଶଙ୍କା ସତ ହେଇଛି ବୋଲି ଅନେକ ଦାବି କଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.