ଆମେ ମସ୍କୋକୁ ଶାନ୍ତିରେ ରହିବାକୁ ଦେବୁନି- ଭୋଲୋଦମିର ଜେଲେନ୍ସ୍କି, ୟୁକ୍ରେନ୍ ରାଷ୍ଟ୍ରପତି

ନୂଆଦିଲ୍ଲୀ : ସେଭେରୋଡୋନେସ୍କରେ ଚାଲିଛି ଭୀଷଣ ଯୁଦ୍ଧ। ପ୍ରତି ଇଞ୍ଜ ଜମି ପାଇଁ ଚାଲିଛି ଲଢ଼େଇ । ଏବେ ରୁଷ୍-ୟୁକ୍ରେନ୍ ଯୁଦ୍ଧର କେନ୍ଦ୍ର ସ୍ଥଳ ପାଲଟିଛି ପୂର୍ବ ଡୋନ୍ବାସର ଏହି ଅଞ୍ଚଳ । ସୈନ୍ୟ ଆଉ ନାଗରିକଙ୍କ ରକ୍ତରେ ଭିଜୁଛି ସେଭେରୋଡୋନେସ୍କ। ଖାରଖିଭ ଓ ଖାରସେନ ଅଞ୍ଚଳରେ ତୁହାକୁ ତୁହା ବର୍ଷୁଛି ମିସାଇଲ, ରକେଟ୍ ଓ ଆର୍ଟିଲାରୀ। ସେଭେରୋଡୋନେସ୍କ, ଲିସିଚାନ୍ସ୍କ ଓ ବାଖମୁତ୍କୁ କଟ୍ଅଫ୍ କରିବାକୁ ଚାହୁଁଛି ରୁଷ୍ ସେନା।

ଯେପରି ୟୁକ୍ରେନ୍ରୁ କୌଣସି ଅସ୍ତ୍ରଶସ୍ତ୍ର ପହଞ୍ଚି ନପାରିବ । ତେବେ ୟୁକ୍ରେନର ଲଢ଼ୁଆ ଜବାବରେ ଆଗକୁ ବଢ଼ିପାରୁନି ରୁଷ୍ । ଲିଭିଭ ଅଞ୍ଚଳରେ ରୁଷର ମିସାଇଲକୁ ଅକାମୀ କରିଛି ୟୁକ୍ରେନର ଏୟାର ଡିଫେନ୍ସ ସିଷ୍ଟମ । ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି କହିଛନ୍ତି ଆଜି ରୁଷ କିଛି ଅଞ୍ଚଳ ଦାଖଲ କରିପାରେ କିନ୍ତୁ ଆମେ ମସ୍କୋକୁ ଶାନ୍ତିରେ ରହିବାକୁ ଦେବୁନି । ରୁଷ ତା ମିସନରେ କେବେ ବି ସଫଳ ହେବ ନାହିଁ । ଖାରଖିଭରେ ପୁଣି ୟୁକ୍ରେନର ପତାକା ଉଡିବ । ୟୁକ୍ରେନ ସେନା ପୁଣି ସବୁ ଅଞ୍ଚଳ ଦଖଲ କରିବେ । ପୂର୍ବରେ ଡୋନବାସ ଦାଖଲ କଲେ ବି ରୁଷ ସେନାକୁ ବେଦଖଲ କରିବୁ ।

ଏପଟେ ତର୍କୀର ବିରୋଧ ଯୋଗୁଁ ନାଟୋରେ ସ୍ୱିଡେନ୍ ଓ ଫିନ୍ଲାଣ୍ଡ ସାମିଲ ହେବା ପ୍ରକ୍ରିୟାରେ ବିଳମ୍ବ ହେଉଛି । ତେବେ ତର୍କୀର ଦାବିକୁ ସ୍ୱିଡେନ୍ ଗମ୍ଭୀରତାର ସହ ନେବ ବୋଲି ନାଟୋ ମହାସଚିବ ଜେନ୍ସ ଷ୍ଟୋଲଟେନ୍ବର୍ଗ କହିଛନ୍ତି । ସ୍ୱିଡେନ୍ ଗସ୍ତରେ ଥିବା ଷ୍ଟୋଲଟେନ୍ବର୍ଗ କହିଛନ୍ତି, ତର୍କୀର ପ୍ରସଙ୍ଗକୁ ସମସ୍ତେ ଗମ୍ଭୀରତାର ସହ ଗ୍ରହଣ କରିଛୁ। ତର୍କୀ ପ୍ରସଙ୍ଗ ଆତଙ୍କବାଦ ଓ ଅସ୍ତ୍ରଶସ୍ତ୍ର ଯୋଗାଣ ସହ ଜଡ଼ିତ। ନାଟୋ ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ତର୍କୀ ଠାରୁ ଅଧିକ କେହି ଆତଙ୍କବାଦର ଶିକାର ହୋଇ ନାହାନ୍ତି।

ତେବେ ସ୍ୱିଡେନ ଆତଙ୍କବାଦୀ ବିରୋଧୀ ଆଇନରେ ପରିବର୍ତ୍ତନ ଆଣିବା ଆରମ୍ଭ କରିଥିବା ଜେନ୍ସ ଷ୍ଟୋଲଟେନ୍ବର୍ଗ ସ୍ୱିଡେନ ପ୍ରଧାନମନ୍ତ୍ରୀ -ମାଗଦାଲେନା ଆଣ୍ଡରସନଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସ୍ୱିଡେନ ପିଏମ କହିଛନ୍ତି ତାଙ୍କ ଦେଶ ଆତଙ୍କବାଦ ନିୟମକୁ ବଦଳାଇଛି ।

ଗତମାସରେ ନାଟୋ ସଦସ୍ୟତା ପାଇଁ ଏକାଠି ଆବେଦନ କରିଥିଲେ ଫିନ୍ଲାଣ୍ଡ ଓ ସ୍ୱିଡେନ୍ । ତେବେ ଏହି ଦୁଇ ଦେଶର ସଦସ୍ୟତାକୁ ବିରୋଧ କରିଆସୁଛି ତର୍କୀ। ତର୍କୀରେ ଆତଙ୍କବାଦ ଚଳାଇଥିବା କୁର୍ଦ୍ଦିସ୍ତାନ ଓ୍ଵାର୍କର୍ସ ପାର୍ଟି ବା PKK ଆତଙ୍କବାଦୀଙ୍କୁ ସ୍ୱିଡେନ୍ ଓ ଫିନ୍ଲାଣ୍ଡ ଅସ୍ତ୍ରଶସ୍ତ୍ର ଯୋଗାଇବା ସହ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରି ଆସୁଛି ତର୍କୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.