ମଧ୍ୟାହ୍ନ ଭୋଜନରେ ଦିଆଯାଉଛି ନିମ୍ନମାନର ଖାଦ୍ୟ: ଭାତ ସହିତ ଲୁଣ ଖାଇଲେ ଛାତ୍ରଛାତ୍ରୀ, ଭିଡିଓ ଭାଇରାଲ ପରେ ପ୍ରଧାନଶିକ୍ଷୟିତ୍ରୀ ନିଲମ୍ବିତ

ନୂଆଦିଲ୍ଲୀ : ମଧ୍ୟାହ୍ନ ଭୋଜନ ପ୍ରକଳ୍ପ ଆରମ୍ଭ ହେବା ପରଠାରୁ ଏହା ବାବଦରେ ଅନେକ ଅଭିଯୋଗ ରହିଛି । ଏହି ଅଭିଯୋଗ ଗୁଡିକ ଦେଶ ବିଭିନ୍ନ ସ୍ଥାନରୁ ଆସୁଛି । କେବେକେବେ ଖାଦ୍ୟରେ କୀଟପତଙ୍ଗ ଏଵଂ ଝିଟିପିଟି ମଧ୍ୟ ମିଳିଥାଏ। ଅନେକ ସମୟରେ ପିଲାମାନେ ସେହି ଖାଦ୍ୟ ଖାଇବା ପରେ ଅସୁସ୍ଥ ହେବାର ଅଭିଯୋଗ ମଧ୍ୟ ରହିଛି । ବିଭିନ୍ନ ସ୍ଥାନରେ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗାଇବା ପାଇଁ ସ୍ଥାନୀୟ ବାସିନ୍ଦା ଅଙ୍ଗନୱାଡି କେନ୍ଦ୍ର ସମ୍ମୁଖରେ ବିରୋଧ ମଧ୍ୟ କରନ୍ତି। ତେବେ ଏତେ ଅସୁବିଧା ହେବା ସତ୍ତ୍ୱେ କିଛି ପରିବର୍ତ୍ତନ ହୋଇନାହିଁ ବୋଲି ଅଭିଯୋଗ ରହିଛି ।
ଦେଶର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରରୁ ଏକାଧିକ ଅଭିଯୋଗ ଆସିଛି, କିନ୍ତୁ ନିକଟରେ ଅଯୋଧ୍ୟାର ଏକ ସ୍କୁଲରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଘଟଣା । ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଭାତ ସହ କେବଳ ଲୁଣ ପରସା ଯାଇଥିଲା । ଯାହାକୁ ପିଲାମାନେ ମଧ୍ୟ ଖାଉଥିବାର ଦେଖାଯାଇଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କୁ ନିଲମ୍ବନ କରାଯାଇଛି । ଏହି ପ୍ରସଙ୍ଗରେ ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ଯେ କେବଳ ପ୍ରମାଣ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ଏହି ଘଟଣାର ଗମ୍ଭୀରତାର ସହ ଅନୁସନ୍ଧାନ କରାଯାଉଛି।
କୁହାଯାଉଛି ଯେ ବିଦ୍ୟାଳୟଟି ଗାଁ ନିକଟରେ ଥିବାରୁ ଅନେକ ପିଲା ଖାଦ୍ୟ ଘର ନେଇ ଯାଆନ୍ତି। ଏଥିସହିତ କେତେକ ଛାତ୍ରଛାତ୍ରୀ ଘରେ ପିତାମାତାଙ୍କୁ କହିଥିଲେ ଯେ ସେମାନଙ୍କୁ ସ୍କୁଲରେ ଭାତ ସହିତ ଲୁଣ ଖାଇବାକୁ ଦିଆଯାଉଛି । ଏହା ପରେ ଅନେକ ପିଲାଙ୍କ ପିତାମାତା ମଧ୍ୟ ବିଦ୍ୟାଳୟରେ ପହଞ୍ଚି ଅସନ୍ତୋଷ ବ୍ୟକ୍ତ କରିଥିଲେ। ତାଙ୍କ ମଧ୍ୟରୁ କେହି ପିଲାମାନେ ମଧ୍ୟହ୍ନ ଭୋଜନ ଖାଉଥିବାର ଦୃଶ୍ୟକୁ ରେକଡିଙ୍ଗ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବାବେଳେ କେହି ଶିକ୍ଷକଙ୍କୁ ରାଗିଯାଇ ଗାଳି କରୁଥିବା ମଧ୍ୟ ଭିଡିଓରେ ଶୁଣିବାକୁ ମିଳୁଛି ।ଏହି ଘଟଣାକୁ ନେଇ ଜିଲ୍ଲା ଶିକ୍ଷା ବିଭାଗରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।
ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଜିଲ୍ଲା ମାଜିଷ୍ଟ୍ରେଟ ଅଯୋଧ୍ୟା ନୀତୀଶ କୁମାର ସମ୍ପୃକ୍ତ ପରିଷଦ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏକତା ଯାଦବଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମଗ୍ର ଘଟଣାର ଅନୁସନ୍ଧାନ କରିବାକୁ ଏବଂ ସମୟ ସମୟରେ ବିଦ୍ୟାଳୟ ପରିସରରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ପରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥାକୁ ନେଇ ଯୋଜନାଟି କେତେ ସଫଳ ସେନେଇ ସୃଷ୍ଟି ହେଉଛି ପ୍ରଶ୍ନ ।