AIIMSର ହଷ୍ଟେଲ ମେସ୍‌ ଓ କାଫେରୁ ହଟିଲା ସିଙ୍ଗଡ଼ା-କଚୁଡ଼ି; ଏଣିକି ମେନୁରେ ରହିବ ଏହି ସବୁ ସ୍ୱାସ୍ଥ୍ୟକର ଖାଦ୍ୟ…

AIIMSର ହଷ୍ଟେଲ ମେସ୍‌ ଓ କାଫେରେ ଆଉ ମିଳିବନି ସିଙ୍ଗଡ଼ା, କଚୁଡ଼ି କି ପକୋଡ଼ା। ଏଣିକି ସ୍ୱାସ୍ଥ୍ୟକର ଖାଦ୍ୟ ଯେପରି ସିଝା ଅଣ୍ଡା, କ୍ଷୀର, ଅଙ୍କୁରିତ ଖାଦ୍ୟଶସ୍ୟ ଆଦି ଏଠାରେ ଉପଲବ୍ଧ ହେବ। ଏ ନେଇ ଏମ୍ସ ପକ୍ଷରୁ ଆଦେଶ ଜାରି କରାଯାଇଛି।

ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ବୁଧବାର କାଫେଟେରିୟା ଏବଂ ହଷ୍ଟେଲ ମେସ୍‌ର ମେନ୍ୟୁରେ କିଛି ସ୍ୱତନ୍ତ୍ର ଖାଦ୍ୟପଦାର୍ଥ ସାମିଲ କରିବାକୁ ଆଦେଶ ଜାରି କରିଛି। ଏଣିକି ଏହି ମେନୁରେ ସିଙ୍ଗଡ଼ା କି କଚୁଡ଼ି ନୁହେଁ, ବରଂ ସିଝା ଅଣ୍ଡା, କ୍ଷୀର, ଅଙ୍କୁରିତ ଖାଦ୍ୟଶସ୍ୟ, ସିଝାଚଣା, ସାଲାଡ୍‌ ଭଳି ସ୍ୱାସ୍ଥ୍ୟକର ଖାଦ୍ୟ ଅନ୍ତର୍ଭୁକ୍ତ କରାଯିବ। ଏ ନେଇ କାଫେଟେରିୟା ମ୍ୟାନେଜମେଣ୍ଟ କମିଟିର ଅଧ୍ୟକ୍ଷଙ୍କୁ ଚିଠି ପଠାଯାଇଛି।

ଏହି ଚିଠିରେ ଏମ୍ସ ନିର୍ଦ୍ଦେଶକ ଏମ୍‌ ଶ୍ରୀନିବାସ କହିଛନ୍ତି ଯେ ସଂସ୍ଥାନର କାଫେଟେରିୟା ଏବଂ ହଷ୍ଟେଲ ମେସ୍‌ର ବର୍ତ୍ତମାନର ମେନୁରେ ଅତ୍ୟନ୍ତ ପାରମ୍ପରିକ ଭୋଜନ ଯେପରି ସମୋସା, କଚୋଡ଼ି ଏବଂ ବ୍ରେଡ୍‌ ପକୋଡ଼ା ଉପଲବ୍ଧ କରାଯାଉଛି, ଏ ସବୁକୁ ଅସ୍ୱାସ୍ଥ୍ୟକର ଖାଦ୍ୟ ଭାବରେ ବିବେଚନା କରାଯାଏ।

ଚିଠିରେ ଆହୁରି କୁହାଯାଇଛି ଯେ ନୂଆଦିଲ୍ଲୀସ୍ଥିତ ଏମ୍ସରେ କାର୍ଯ୍ୟରତ ଫାକଲ୍ଟି, ରେଜିଡେଣ୍ଟ ଡାକ୍ତର, ନର୍ସିଂ ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ରୋଗୀଙ୍କ ଯତ୍ନ ନେବା କାମ କରନ୍ତି। ଏମିତିରେ ସେମାନଙ୍କୁ ସୁସ୍ଥ ଭୋଜନର ଆବଶ୍ୟକ ରହିଛି।