ଇନ୍ଦୋରରେ ହେବ ‘ଲତା ମଙ୍ଗେସକର ସଙ୍ଗୀତ ଏକାଡେମୀ’, ସ୍ଥାପନ ହେବ ସୁର ସାମ୍ରାଜ୍ଞୀଙ୍କ ପ୍ରତିମୂର୍ତ୍ତି; ଘୋଷଣା କଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ

ଇନ୍ଦୋରରେ ନିର୍ମାଣ ହେବ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ନାମରେ ଏକ ସଙ୍ଗୀତ ଏକାଡେମୀ। ଏଥି ସହିତ ତାଙ୍କର ଏକ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯିବ। ଏ ନେଇ ଘୋଷଣା କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ। ମୁଖ୍ୟମନ୍ତ୍ରୀ ସୋମବାର ସକାଳେ ସ୍ମାର୍ଟ ସିଟି ଇନ୍ଦୋରରେ ପହଞ୍ଚି ସେଠାରେ କୋକିଳ କଣ୍ଠୀ ଲତା ମଙ୍ଗେସକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାସହ ଲତାଙ୍କ ସ୍ମୃତିରେ ଚାରା ରୋପଣ କରିଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କ ସହିତ ଉପସ୍ଥିତ ଥିବା ସଙ୍ଗୀତ ଏବଂ ଗାୟନ କ୍ଷେତ୍ରର ବ୍ୟକ୍ତିମାନେ ମଧ୍ୟ ଚାରା ରୋପଣ କରିଥିଲେ। ଏହି ସମୟରେ ସିଏମ ଚୌହାନ ଇନ୍ଦୋରରେ ଲତା ମଙ୍ଗେସକରଙ୍କ ନାମରେ ଏକ ସଙ୍ଗୀତ ଏକାଡେମୀ ଖୋଲିବାକୁ ଘୋଷଣା କରିଥିଲେ।

ସିଏମ୍ କହିଥିଲେ ଯେ ଇନ୍ଦୋରରେ ସଙ୍ଗୀତ ଏକାଡେମୀ, ସଙ୍ଗୀତ ମହାବିଦ୍ୟାଳୟ ଏବଂ ସଙ୍ଗୀତ ସଂଗ୍ରହାଳୟରେ ଲତା ଜୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ। ଲତାଙ୍କ ଜନ୍ମଦିନରେ ଲତା ମଙ୍ଗେସକରଙ୍କ ନାମରେ ପୁରସ୍କାର ମଧ୍ୟ ଦିଆଯିବ। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି କି, ଆଜି ଏମିତି ଲାଗୁଛି, ଯେମିତି ମୋର ବହୁତ କିଛି ଚାଲି ଯାଇଛି। କାଲିଠାରୁ ଏମିତି କ୍ଷତି ହୋଇଛି, ଯାହାକୁ କେହି କେବେ ପୂରଣ କରି ପାରିବେ ନାହିଁ। ଯେତେବେଳେ ବି ସମୟ ମିଳୁଥିଲା, ଲତା ମଙ୍ଗେସକରଙ୍କ ଗୀତ ଶୁଣୁଥିଲି। ତାଙ୍କ ପରଲୋକରେ ଏମିତି କ୍ଷତି ହୋଇଛି, ଯେଉଁ ଶୂନ୍ୟସ୍ଥାନ କେବେ ପୂରଣ ହୋଇ ପାରିବ ନାହିଁ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଥିଲେ, ଲତା ମଙ୍ଗେସକରଙ୍କ ଦେହାନ୍ତରୁ କୋଟି କୋଟି ଭାରତୀୟ ସେମାନଙ୍କ ବ୍ୟକ୍ତିଗତ କ୍ଷତି ହୋଇଛି ବୋଲି ଅନୁଭବ କରୁଛନ୍ତି। ତାଙ୍କ ଗୀତଗୁଡ଼ିକ ଆମ ସମସ୍ତଙ୍କ ଜୀବନରେ ନୂତନ ଉତ୍ସାହ ଏବଂ ଶକ୍ତି ସଞ୍ଚାର କରୁଥିଲା। ମୋ ନିଜ ଜୀବନରେ ହିଁ ଏମିତି ଶୂନ୍ୟସ୍ଥାନ ଆସିଛି, ଯାହା ପୂରଣ ହୋଇ ପାରିବା ସମ୍ଭବ ନୁହେଁ। ବୃକ୍ଷ ରୋପଣ ସମୟରେ ସିଏମ୍ ଶିବରାଜ ସିଂ ଚୌହାନଙ୍କ ସହ ପଣ୍ଡିତ ସଞ୍ଜନ୍ ଲାଲ ବ୍ରହାଭଟ୍ଟ, ଉମାକାନ୍ତ ଗୁଣ୍ଡେଚା, କୀର୍ତ୍ତି ସୁଦ, ଆକୃତି ମେହରା, ଦିଲୀପ ମହାଶବ୍ଦେ, ସାଜିଦ ଖାନ ଓ ସଲିମ ଅଲ୍ଲାହୱାଲେ ମଧ୍ୟ ଉପସ୍ଥିତ ଥିଲେ।

You might also like