ହଜ୍ ୨୦୨୧ : ଏ ବର୍ଷ ୬୦ ହଜାର ବିଦେଶୀ କରିବେ ହଜ୍ ଯାତ୍ରା, ସାଉଦି ସରକାର ଦେଲା ଅନୁମତି

ନୂଆଦିଲ୍ଲୀ : ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରିଥିବା ବେଳେ ଚଳିତ ବର୍ଷ ହଜ୍ ଯାତ୍ରା ପାଇଁ ସାଉଦ ଆରବ ଅନୁମତି ଦେଇଛି । ଗତ ବର୍ଷ କରୋନା ପାଇଁ ଏହି ଯାତ୍ରା ବନ୍ଦ କରି ଦିଆଯାଇଥିଲା । ତେବେ ଚଳିତ ବର୍ଷ ମାତ୍ର ୬୦ ହଜାର ବିଦେଶୀଙ୍କୁ ଏହି ଯାତ୍ରା ପାଇଁ ଅନୁମତି ଦେଇଛି ସାଉଦ ଆରବ ସରକାର ।
କରୋନାକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ଓ କରୋନା ପ୍ରୋଟୋକଲ ସହ ଏହି ଯାତ୍ରା କରାଯିବ ବୋଲି ସାଉଦି ସରକାର ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ପାକିସ୍ତାନ ମିଡିଆରେ ଏକ ରିପୋର୍ଟ ପ୍ରକାଶ ପାଇଛି । ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ବିଶେଷ ପ୍ରତିନିଧି ମୌଲାନା ତାହିର ଅସରିଫ୍ ଏ ସମ୍ପର୍କରେ ପ୍ରକାଶ କରିବା ସହ ପାକିସ୍ତାନର ନାଗରିକ ଏଥିରେ ସାମିଲ ହେବେ ବୋଲି ପ୍ରକାଶ କରିଛନ୍ତି । ତେବେ ୬୦ ବର୍ଷରୁ ଉର୍ଦ୍ଧ୍ୱ ଓ ୧୮ ବର୍ଷରୁ କମ୍ ବ୍ୟକ୍ତିଙ୍କୁ ହଜ୍ ଯାତ୍ରା ପାଇଁ ଅନୁମତି ଦିଆଯିବନି ବୋଲି ଏହି ଖବରରେ ପ୍ରକାଶ ପାଇଛି ।
ହଜ୍ ଯାତ୍ରା ପାଇଁ କେବଳ ଟିକା ନେଇଥିବା ବ୍ୟକ୍ତିଙ୍କୁ ଅନୁମତି ମିଳିବ । ହଜ୍ ଯାତ୍ରୀ ସାଉଦ ଆରବରେ ପହଞ୍ଚିବା ପରେ ୩ ଦିନ କ୍ୱାରେଣ୍ଟାଇନରେ ରହିବେ ସାଉଦ ସରକାର ପ୍ରକାଶ କରିଛନ୍ତି । ସାଉଦ ସରକାର ଚୀନ୍ ଟିକାକୁ ମାନ୍ୟତା ଦେଇନି । ତେବେ ଯେଉଁ ଟିକାକୁ ସାଉଦ ସରକାର ମାନ୍ୟତା ଦେଇଛି ସେ ମଧ୍ୟରେ ରହିଛି ଫାଇଜର, ଅକ୍ସଫୋର୍ଡ, ମୋର୍ଡନା ଓ ଜନ୍ସନ୍ ଆଣ୍ଡ ଜନ୍ସନ କମ୍ପାନି ଦ୍ୱାରା ନିର୍ମିର ଟିକା ।
ଗତବର୍ଷ କରୋନା ଯୋଗୁ ହଜ ଯାତ୍ରା ପାଇଁ କୌଣସି ବିଦେଶୀଙ୍କୁ ସାଉଦ ସରକାର ଅନୁମତି ଦେଇ ନଥିଲେ । କେବଳ ସାଉଦ ଆରବରୁ ୧୦ ହଜାର ଲୋକଙ୍କୁ ହଜ୍ ରେ ଯୋଗ ଦେବାକୁ ଅନୁମତି ମିଳିଥିଲା । ଚଳିତବର୍ଷ ହଜ୍ ଯାତ୍ରା ୧୭ ଜୁଲାଇ ସଂଧ୍ୟାରୁ ଆରମ୍ଭ ହୋଇ ୨୨ ଜୁଲାଇ ସନ୍ଧ୍ୟାରେ ଶେଷ ହେବ ବୋଲି ଜଣାପଡ଼ିଛି ।