ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଝଟକା, ଆଗୁଆ ଜାମିନ୍ ଆବେଦନକୁ ଖାରଜ୍ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(କେନ୍ୟୁଜ୍): ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ମିଳିଲାନି ଆଶ୍ୱସ୍ତି। ସୁପ୍ରିମକୋର୍ଟଙ୍କଠାରୁ ମିଳିଛି ସିରିଜ୍‌ ଝଟ୍‌କା। ପ୍ରଥମେ ସିବିଆଇ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଲିଷ୍ଟେଡ୍‌ ହେଲା ନାହିଁ। ଦ୍ୱିତୀୟ INX ମିଡିଆ ମାମଲାରେ ଆଗୁଆ ଜାମିନ ପାଇଁ ଦିଲ୍ଲୀ ହାଇକୋର୍ଟ ମନା କରିବା ଉପରେ ଦାୟର ପିଟିସନକୁ ଅନାବଶ୍ୟକ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଗତ ୨୧ ତାରିଖରେ ଚିଦାମ୍ବରମ୍‌ ଗିରଫ ହେବା ପରେ ପିଟିସନ୍‌ର କୌଣସି ମାନେ ନଥିବା କହିଛନ୍ତି କୋର୍ଟ। ଏହାସହ କୋର୍ଟ କହିଛନ୍ତି, ନିୟମିତ ବେଲ୍‌ ପାଇଁ ସେ ସିବିଆଇ ସ୍ୱତନ୍ତ୍ର କୋର୍ଟରେ ଆବେଦନ କରିପାରିବେ। ଆଜି କେବଳ ଇଡି ମାମଲା ଉପରେ ଶୁଣାଣି ହେଉଛି। INX ମିଡିଆ ମାମଲାରେ ଗିରଫ ହୋଇଛନ୍ତି ପି. ଚିଦାମ୍ବରମ୍‌। ତାଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା ଚଳାଇଛି ସିବିଆଇ। ଆଜି ସରୁଛି ତାଙ୍କର ରିମାଣ୍ଡ ଅବଧି।