ୟୁକ୍ରେନରୁ ଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ କହି ଠକିନେଲେ ୪୨ ହଜାର ଟଙ୍କା, ଦେଇଥିଲେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅଧିକାରୀଙ୍କ ପରିଚୟ

ନୂଆଦିଲ୍ଲୀ : ରୁଷ ଆକ୍ରମଣ ଯୋଗୁଁ ୟୁକ୍ରେନରେ ଭୟର ବାତାବରଣ ସୃଷ୍ଟି ହୋଇଛି | ଏହି ଯୁଦ୍ଧ ପରିସ୍ଥିତି ମଧ୍ୟରେ ବହୁ ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି | ଏମାନଙ୍କ ମଧ୍ୟରେ ବହୁ ଭାରତୀୟ ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି | ଏହି ଭୟ ବାତାବରଣର ଫାଇଦା ନେବାକୁ ପଛାଇ ନାହାନ୍ତି କିଛି ଠକ | ୟୁକ୍ରେନରୁ ତାଙ୍କ ଝିଅକୁ ଭାରତ ଫେରାଇ ଆଣିବା ପାଇଁ କହି ମଧ୍ୟ ପ୍ରଦେଶର ଜଣେ ମହିଳାଙ୍କ ଠାରୁ ଠକି ନେଇଛନ୍ତି ୪୨ ହଜାର ଟଙ୍କା |

ରିପୋର୍ଟ ଅନୁଯାଇ ମାମଲାଟି ହେଉଛି ମଧ୍ୟ ପ୍ରଦେଶ ବିଦିଶା ସହରର | ଏଠାରେ ଜଣେ ମହିଳାଙ୍କ ଠାରୁ ୪୨ ହଜାର ଟଙ୍କା ଠକି ନେଇଛନ୍ତି ଠକ | ମହିଳାଙ୍କ କହିବା ଅନୁଯାଇ ବ୍ୟକ୍ତି ଜଣକ ନିଜକୁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅଧିକାରୀ ବୋଲି ପରିଚୟ ଦେଇଥିଲେ | ୟୁକ୍ରେନରେ ଫସି ରହିଥିବା ତାଙ୍କ ଝିଅକୁ ଭାରତ ଫେରାଇ ଆଣିବାକୁ ସାହାଯ୍ୟ କରିବାକୁ କହିଥିଲେ |

ଟିକେଟ ଓ କାଗଜପତ୍ର ପାଇଁ କିଛି ଟଙ୍କା ଲାଗିବ ବୋଲି ମଧ୍ୟ କହିଥିଲେ | ମହିଳା ଜଣଙ୍କ ତାଙ୍କ କଥାରେ ଭରସା କରି ୪୨ ହଜାର ଟଙ୍କା ତାଙ୍କୁ ପଠାଇଥିଲେ | ହେଲେ ପରେ ସେ ଠକି ଯାଇଥିବା ଜାଣିବାକୁ ପାଇଥିଲେ | ମହିଳା ଜଣଙ୍କ ହେଲେ ବିଦିଶାରେ ରହୁଥିବା ବୈଶାଳୀ ବିଲସନ | ତାଙ୍କ ଝିଅ ୟୁକ୍ରେନରେ ଏମବିବିଏସ ପଢୁଥିଲେ | ଯୁଦ୍ଧ ପରିସ୍ଥିତି ମଧ୍ୟରେ ଅନ୍ୟ ଭାରତୀୟ ଛାତ୍ରୀଙ୍କ ଭଳି ତାଙ୍କ ଝିଅ ମଧ୍ୟ ୟୁକ୍ରେନରେ ଫସି ରହିଥିଲେ |

ବୈଶାଳୀ ୟୁକ୍ରେନରେ ଥିବା ତାଙ୍କ ଝିଅକୁ ଭାରତ ଫେରାଇ ଆଣିବା ପାଇଁ ଲଗାତାର ସୋସିଆଲ ମିଡିଆରେ ଗୁହାରି କରୁଥିଲେ | କେହି ଠକ ତାଙ୍କ ଗୁହାରୀ ର ଫାଇଦା ନେଇଥିବା ଜଣାପଡିଛି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.