‘ଶାଶୁ ଓ ଜୀବନସାଥୀଙ୍କୁ ହରାଇ ଏଠାକୁ ଆସିଥିଲି…’, ରାୟବରେଲି ଲୋକଙ୍କୁ ଭାବପୂର୍ଣ୍ଣ ଚିଠି ଲେଖିଲେ ସୋନିଆ ଗାନ୍ଧି

କଂଗ୍ରେସ ନେତା ସୋନିଆ ଗାନ୍ଧି ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥର ସେ ରାଜ୍ୟସଭା ଜରିଆରେ ସଂସଦ ଯିବେ ।

କଂଗ୍ରେସ ନେତା ସୋନିଆ ଗାନ୍ଧି ଏଥର ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥର ସେ ରାଜ୍ୟସଭା ଜରିଆରେ ସଂସଦ ଯିବେ । ଏଥିପାଇଁ ସୋନିଆ ଗାନ୍ଧି ରାଜସ୍ଥାନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ରାୟବରେଲିରୁ ସାଂସଦ ତଥା କଂଗ୍ରେସ ସଂସଦୀୟ ଦଳର ନେତ୍ରୀ ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଇଁ ଏକ ଭାବପ୍ରବଣ ଚିଠି ମଧ୍ୟ ଲେଖିଛନ୍ତି ।

ଏହି ଚିଠି ମାଧ୍ୟମରେ ସୋନିଆ ଗାନ୍ଧି ରାୟବରେଲି ଲୋକଙ୍କୁ କହିଛନ୍ତି ଯେ ସ୍ୱାସ୍ଥ୍ୟ ଏବଂ ବୟସଗତ କାରଣରୁ ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ । ସେ କହିଛନ୍ତି, ‘ରାୟବରେଲି ସହିତ ଆମ ପାରିବାରିକ ସମ୍ପର୍କର ମୂଳ ବହୁତ ଗଭୀର । ସ୍ୱାଧୀନତା ପରେ ହୋଇଥିବା ପ୍ରଥମ ଲୋକସଭା ନିର୍ବାଚନରେ ଆପଣ ମୋ ଶ୍ୱଶୁର ଫିରୋଜ ଗାନ୍ଧି ଜୀଙ୍କୁ ଏଠାରୁ ଜିତାଇ ଦିଲ୍ଲୀ ପଠାଇଥିଲେ । ତାଙ୍କ ପରେ ମୋ ଶାଶୁ ଇନ୍ଦିରା ଗାନ୍ଧି ଜୀଙ୍କୁ ଆପଣ ନିଜର କଲେ । ଏହି ଉଜ୍ଜ୍ୱଳ ପଥରେ ଆପଣ ମୋତେ ମଧ୍ୟ ଚାଲିବା ପାଇଁ ଜାଗା ଦେଲେ । ଶାଶୁ ଓ ଜୀବନସାଥୀଙ୍କୁ ସବୁଦିନ ପାଇଁ ହରାଇ ମୁଁ ଆପଣଙ୍କ ପାଖକୁ ଆସିଲି ଏବଂ ଆପଣ ମୋ ପାଇଁ ଆପଣଙ୍କ ବାହୁ ବିସ୍ତାର କରିଦେଲେ’ ।

‘ଗତ ଦୁଇଟି ନିର୍ବାଚନରେ କଠିନ ପରିସ୍ଥିତିରେ ମଧ୍ୟ ଆପଣ ପଥର ପରି ମୋ ସହିତ ଛିଡ଼ା ହୋଇଥିଲେ, ଏହାକୁ ମୁଁ କେବେ ବି ଭୁଲି ପାରିବି ନାହିଁ । ଏହା କହି ମୋତେ ଗର୍ବ ଅନୁଭବ ହେଉଛି ଯେ ଆଜି ମୁଁ ଯାହା କିଛି ବି ଅଛି, ଆପଣଙ୍କ ଯୋଗୁ । ମୁଁ ଏହି ଭରସାକୁ ପୂରଣ କରିବାକୁ ଚେଷ୍ଟା କରିଛି’ ।

‘ବର୍ତ୍ତମାନ ସ୍ୱାସ୍ଥ୍ୟ ଏବଂ ବୟସ ବୃଦ୍ଧି ହେତୁ ଆଗାମୀ ଲୋକସଭା ନିର୍ବାଚନରେ ମୁଁ ପ୍ରତିଦ୍ୱନ୍ଦ୍ୱିତା କରିବି ନାହିଁ । ଏହି ନିଷ୍ପତ୍ତି ପରେ ମୋତେ ଆପଣଙ୍କୁ ସିଧାସଳଖ ସେବା କରିବାର ସୁଯୋଗ ମିଳିବ ନାହିଁ, କିନ୍ତୁ ଏହା ନିଶ୍ଚିତ ଯେ ମୋର ମନ ଓ ପ୍ରାଣ ସବୁବେଳେ ଆପଣଙ୍କ ସହିତ ରହିବ’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.