ସୁକେଶ ଚନ୍ଦ୍ରଶେଖର ଛାଡ଼ିଲେ ତୃତୀୟ ଚିଠି! କହିଲେ, ଜେଲ୍‌ରେ ରହିଛି ତାଙ୍କ ଜୀବନ ପ୍ରତି ବିପଦ; ଧମକ ଦେଉଛନ୍ତି ସତ୍ୟେନ୍ଦ୍ର ଜୈନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ୫୦ କୋଟି ଟଙ୍କା ନେବାର ଅଭିଯୋଗ ଲଗାଇଥିବା ମହାଠକ ସୁକେଶ ଚନ୍ଦ୍ରଶେଖର ଲେଫ୍ଟନାଣ୍ଟ ରାଜ୍ୟପାଳ ବିନୟ ସକ୍ସେନାଙ୍କୁ ଆଉ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସୁକେଶ ପୁଣିଥରେ କହିଛନ୍ତି କି, ଅରବିନ୍ଦ କେଜ୍ରିୱାଲଙ୍କୁ କୈଳାଶ ଗେହଲୋତ୍‌ଙ୍କ ଫାର୍ମ ହାଉସରେ ୫୦ କୋଟି ଟଙ୍କା ୭ଟି କିସ୍ତିରେ ଦିଆଯାଇଛି।

ଏଥି ସହିତ ସୁକେଶ ଦାବି କରିଛନ୍ତି ଯେ ସତ୍ୟେନ୍ଦ୍ର ଜୈନ ଓ ଜେଲ ଡିଜି ସନ୍ଦୀପ ଗୋୟଲଙ୍କ ପକ୍ଷରୁ ତାଙ୍କୁ ଲଗାତାର ଭାବେ ହତ୍ୟା ଧମକ ମିଳୁଛି। ଜେଲରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି। ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି।

କହି ରଖୁଛୁ, ସୁକେଶ ଚନ୍ଦ୍ରଶେଖରଙ୍କର ଏହା ହେଉଛି ତୃତୀୟ ଚିଠି। ଏଥର ତାଙ୍କ ଓକିଲ ସୁକେଶଙ୍କ ହାତଲେଖା ଚିଠି ମଧ୍ୟ ଲେଫ୍ଟନାଣ୍ଟ ରାଜ୍ୟପାଳଙ୍କୁ ପଠାଇଛନ୍ତି। ଏହି ଚିଠିରେ ସୁକେଶ ତାଙ୍କର ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ହୋଇଥିବା ଟଙ୍କା କାରବାରର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି।

ଲେଫ୍ଟନାଣ୍ଟ ରାଜ୍ୟପାଳଙ୍କୁ ପଠାଯାଇଥିବା ଚିଠିରେ ସୁକେଶ, କୈଳାଶ ଗେହଲୋତ୍‌ଙ୍କ ଫାର୍ମ ହାଉସ୍‌ରେ ୫୦ କୋଟି ଦେବା, ୨୦୧୯ରେ ସତ୍ୟେନ୍ଦ୍ର ଜୈନଙ୍କୁ ୧୦ କୋଟି ଦେବା ଏବଂ ୨୦୧୯ରୁ ୨୦୨୨ ମଧ୍ୟରେ ତିହାର ଜେଲର ଡିଜି ସନ୍ଦୀପ ଗୋୟଲଙ୍କୁ ଟଙ୍କା ଦେବା କଥା ମଧ୍ୟ ଉଲ୍ଲେଖ କରିଛନ୍ତି। ଚିଠିରେ ଉଲ୍ଲେଖ କରାଯାଇଛି କି, ଜେଲ ଡିଜିଙ୍କୁ ସାଢ଼େ ୧୨ କୋଟି ଟଙ୍କା କେବେ ଏବଂ କେଉଁଠି ଦିଆଯାଇଛି। ସୁକେଶ ଚିଠିରେ ଲେଖିଛନ୍ତି, ଏହି ସମସ୍ତ ପ୍ରମାଣ ସେ ତଦନ୍ତ ସମୟରେ ଉପଲବ୍ଧ କରାଇ ପାରିବେ।

ଠକେଇ ଅଭିଯୋଗରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର ନିଜ ଓକିଲଙ୍କୁ ୪ ନଭେମ୍ବରରେ ଚିଠି ଦେଇଥିଲେ। ଏହାପରେ ୫ ନଭେମ୍ବରରେ ସୁକେଶଙ୍କ ଓକିଲ ଚିଠିରେ ଲେଖାଯାଇଥିବା କଥାଗୁଡ଼ିକୁ ଟାଇପ୍ କରି ନିଜ ତରଫରୁ ଏକ ଚିଠି ତିଆରି କରିଥିଲେ। ଏଥି ସହିତ ସେ ଏକ ହାତଲେଖା ଚିଠି ମଧ୍ୟ ଦେଇଥିଲେ ଏବଂ ପୂରା ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.