ଜମ୍ମୁ-କଶ୍ମୀର ଯିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମନବୀଙ୍କୁ ମିଳିଲା ଅନୁମତି
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମନବୀ ଆଜାଦଙ୍କୁ ଜାମ୍ମୁ-କଶ୍ମୀର ଯିବା ପାଇଁ ଅନୁମତି ମିଳିଛି। ପିଟିସନ୍ର ଶୁଣାଣି ବେଳେ କୋର୍ଟରେ ଗୁଲାମନବୀ ଆଜାଦ କହିଥିଲେ ଯେ, ମୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ। ଏଭଳି ଉତ୍ତରରେ ସୁପ୍ରିମ୍କୋର୍ଟର ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ କହିଥିଲେ ଯେ ମୁଁ, ଆପଣଙ୍କୁ ଜାଣେ।
ଏହାସହ ପଢ଼ନ୍ତୁ: କଶ୍ମୀର ଯିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ, ଜାଣନ୍ତୁ ଗସ୍ତର କାରଣ
କୋର୍ଟଙ୍କୁ ଗୁଲାମନବୀ କହିଥିଲେ ଯେ, ସେ ନିଜ ରାଜ୍ୟକୁ ଯିବାକୁ ଚାହୁଁଛନ୍ତି। ପୂର୍ବରୁ ଦୁଇଥର ଶ୍ରୀନଗର ଓ ଥରେ ଜମ୍ମୁ ଯିବାକୁ ସେ ଚେଷ୍ଟା ମଧ୍ୟ କରିଥିଲେ। କିନ୍ତୁ ତାଙ୍କୁ ଅନୁମତି ମିଳିନଥିଲା। ଏଣୁ କୋର୍ଟ ତାଙ୍କୁ ଅନୁମତି ଦେବାକୁ ସେ ଅନୁରୋଧ କରିଥିଲେ। ଏଥିସହ ସେ କୌଣସି ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ ବୋଲି ମଧ୍ୟ କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସେ ବାରାମୁଲା, ଅନନ୍ତନାଗ, ଶ୍ରୀନଗର ଓ ଜମ୍ମୁ କଶ୍ମୀର ଗସ୍ତ କରି ସେଠାକାର ଲୋକଙ୍କ ସହ କଥା ହେବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। ଜମ୍ମୁ-କଶ୍ମୀର ଯିବାକୁ ଅନୁମତି ପାଇବା ପରେ ଗୁଲାମନବୀ ଏକ ସାମ୍ବାଦିକ ସମ୍ମିଳନୀରେ ସୁପ୍ରିମ୍କୋର୍ଟଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ କୌଣସି ଦଳୀୟ ର୍ୟାଲି କରିବେନି ବୋଲି ମଧ୍ୟ କହିଛନ୍ତି।