Facebook ଓ WhatsApp କୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌, ନୂଆ ପ୍ରାଇଭେସୀ ପଲିସିକୁ ନେଇ କଲେ ପ୍ରଶ୍ନ

ଫେସ୍‌ବୁକ୍‌ ଅଧିକୃତ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ର ନୂଆ ପ୍ରାଇଭେସୀ ପଲିସି ଲଗାତାର ପ୍ରଶ୍ନ ଘେରରେ ରହିଛି। ବାରମ୍ବାର ବିରୋଧ କରିବା ପରେ କମ୍ପାନୀ ଏହାକୁ ଆସନ୍ତା ତିନି ମାସ ପାଇଁ ରଦ୍ଦ କରିଛି। ଇତି ମଧ୍ୟରେ ସୁପ୍ରିମକୋର୍ଟ ଫେସ୍‌ବୁକ୍‌ ଓ ହ୍ଵାଟ୍ସଆପ୍‌କୁ ନୋଟିସ୍‌ ଜାରି କରିଛନ୍ତି।
ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଫେସ୍‌ବୁକ୍‌ ଓ ହ୍ଵାଟ୍ସଆପ୍‌ର ନୂଆ ପ୍ରାଇଭେସୀ ପଲିସିକୁ ନେଇ ନୋଟିସ୍‌ ଜାରି କରି କହିଛନ୍ତି, ୟୁଜରଙ୍କ ପ୍ରାଇଭେସୀକୁ ସୁରକ୍ଷିତ ରଖିବା ବହୁତ ଗୁରୁତ୍ୱପୂର୍ଣ୍ଣ। ସୁପ୍ରିମକୋର୍ଟଙ୍କ ନୋଟିସ୍‌ର ଜବାବରେ ଫେସ୍‌ବୁକ୍‌ ଓ ହ୍ଵାଟ୍ସଆପ୍‌କୁ ଏହା ସ୍ପଷ୍ଟ କରିବାକୁ ହେବ ଯେ ୟୁଜର୍ସଙ୍କର କେଉଁ ଡାଟା ସେୟାର କରାଯିବ ଓ କାହାକୁ ସେୟାର କରାଯିବ ନାହିଁ।

ଚିଫ୍‌ ଜଷ୍ଟିସ୍‌ ଅଫ୍‌ ଇଣ୍ଡିଆ କଡ଼ା ମନ୍ତବ୍ୟ ଦେଇ ଫେସ୍‌ବୁକ୍‌ ଓ ହ୍ଵାଟ୍ସଆପ୍‌ ପ୍ରବନ୍ଧନଙ୍କୁ କହିଛନ୍ତି, ଆପଣ ୨-୩ ଟ୍ରିଲିୟନ୍‌ ଡଲାରର କମ୍ପାନୀ ହୋଇପାରନ୍ତି କିନ୍ତୁ ଲୋକଙ୍କ ପ୍ରାଇଭେସୀ ତା’ଠୁ ବି ଅଧିକ ଦାମୀ। ଏହାକୁ ରକ୍ଷା କରିବା ଆମ କର୍ତ୍ତବ୍ୟ। ଏନେଇ ହ୍ଵାଟ୍ସଆପ୍‌ ସୁପ୍ରିମ୍‌କୋର୍ଟଙ୍କୁ କହିଛନ୍ତି, ୟୁରୋପରେ ପ୍ରାଇଭେସୀକୁ ନେଇ ସ୍ୱତନ୍ତ୍ର ଆଇନ୍‌ ରହିଛି। ଯଦି ଭାରତରେ ମଧ୍ୟ ଏଭଳି ଆଇନ୍‌ ଅଛି ତେବେ ତାହାକୁ ପାଳନ କରିବୁ। ମାମଲାର ଆଗାମୀ ଶୁଣାଣି ୪ ସପ୍ତାହ ପରେ ହେବ।

ସୂଚନାଯୋଗ୍ୟ ଯେ ହ୍ଵାଟ୍ସଆପ୍‌ର ନୂଆ ପ୍ରାଇଭେସୀ ପଲିସିର ଘୋଷଣା ୫ ଜାନୁଆରୀରେ ହୋଇଥିଲା। ଏହା ପରଠାରୁ ୟୁଜର୍ସ ବେଶ୍‌ ଅସନ୍ତୁଷ୍ଟ ଅଛନ୍ତି। ହ୍ଵାଟ୍ସଆପ୍‌ର ନୂଆ ପ୍ରାଇଭେସୀ ପଲିସି ନେଇ ଘୋଷଣା ହେବା ପରେ ଲୋକମାନେ ସିଗନାଲ ଓ ଟେଲିଗ୍ରାମ୍‌ ଭଳି ମେସେଜିଂ ଆପ୍‌କୁ ଚାଲିଯାଉଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.