ମେଟ୍ରୋ ନିର୍ମାଣ ସ୍ଥଳରୁ ମିଳିଥିବା ସନ୍ଦିଗ୍ଧ ସୁଟକେସ୍‌ ଘଟଣାରେ ଆସିଲା ନୂଆ ମୋଡ଼, ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗତ ରବିବାର ନଭେମ୍ବର ୧୯ରେ ମୁମ୍ବାଇର କୁର୍ଲା ଅଞ୍ଚଳରେ ଥିବା ମେଟ୍ରୋ ନିର୍ମାଣସ୍ଥଳରେ ଏକ ସୁଟକେସ୍‌ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିଲା । ଏହି ଘଟଣାରେ ରହିଛି ମୁମ୍ବାଇରୁ ଓଡ଼ିଶାର ଲିଙ୍କ । କାରଣ ଯୁବତୀଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଓଡ଼ିଶାର ଜଣେ ଯୁବକ ।

ପ୍ରେମ ବ୍ୟାପାରରୁ ହେଲା ହତ୍ୟାକାଣ୍ଡ । ସନ୍ଦେହ କରି ନିଜ ପ୍ରେମିକାକୁ ହତ୍ୟା କଲା ପ୍ରେମିକ । ପ୍ରେମ ଶାସ୍ୱତ ଓ ଚିରନ୍ତନ କିନ୍ତୁ ବର୍ତ୍ତମାନ ଏହି ପ୍ରେମ ବ୍ୟାପାରର କରୁଣ ପରିଣତି ଦେଖିବାକୁ ମିଳୁଛି ଅନେକ ପ୍ରେମୀ ଯୁଗଳଙ୍କ ନିକଟରେ । କିଛି ପ୍ରେମିକମାନେ ନିଜ ପ୍ରେମ ଉପରେ ସନ୍ଦେହ କରି ନିଜ ପ୍ରେମିକାଙ୍କୁ ମାରିବାକୁ ବି ପଛାନ୍ତି ନାହିଁ । ତେବେ ଗତ ରବିବାର ଦିନ ଆମେ ଆପଣଙ୍କୁ ଏକ ସନ୍ଦିଗ୍ଧ ସୁଟକେସରୁ ଜଣେ ଯୁବତୀଙ୍କ ମୃତଦେହ ମିଳିଥିବା ଘଟଣା ବିଷୟରେ ଜଣାଇଥିଲୁ । ଯାହାର ବର୍ତ୍ତମାନ ସବିଶେଷ ତଥ୍ୟ ମିଳିଛି । ସୁଟକେସରୁ ମିଳିଥିବା ଉକ୍ତ ଯୁବତୀଙ୍କର ପରିଚୟ ମିଳିଛି । ଏହି ଘଟଣାରେ ରହିଛି ମୁମ୍ବାଇରୁ ଓଡ଼ିଶାର ଲିଙ୍କ । କାରଣ ଯୁବତୀଙ୍କୁ ହତ୍ୟା କରିଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଓଡ଼ିଶାର ଜଣେ ଯୁବକ । ତେବେ ମୃତ ଯୁବତୀ ମଧ୍ୟ ଓଡ଼ିଶାର ବୋଲି ଜଣା ପଡ଼ିଛି । ମୃତ ଯୁବତୀ ହେଉଛନ୍ତି ୨୫ ବର୍ଷିୟ ପ୍ରତିମା କିସପାଟ୍ଟ ଏବଂ ଅଭିଯୁକ୍ତ ଜଣକ ହେଉଛି ଅସକର ମନୋଜ ବାର୍ଲା ।

ସୂଚନା ଅନୁସାରେ ଗତ ରବିବାର ନଭେମ୍ବର ୧୯ରେ ମୁମ୍ବାଇର କୁର୍ଲା ଅଞ୍ଚଳରେ ଥିବା ମେଟ୍ରୋ ନିର୍ମାଣସ୍ଥଳରେ ଏକ ସୁଟକେସ୍‌ ସନ୍ଦିଗ୍ଧ ଅବସ୍ଥାରେ ମିଳିଥିଲା । ଏଭଳି ଘଟଣା ବିଷୟରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ସନ୍ଦେହଜନକ ବ୍ୟାଗ ଦେଖିବା ପରେ ପ୍ରଥମେ ବୋମା ସ୍କ୍ଵାର୍ଡକୁ ଡକାଯାଇଥିଲା । କାରଣ ସୁଟକେସରେ ବୋମା ଥିବାର ସନ୍ଦେହ କରାଯାଇଥିଲା । କିନ୍ତୁ ସୁଟକେସ ଭିତରୁ ମିଳିଥିଲା ଜଣେ ମହିଳାଙ୍କ ମୃତଦେହ । ବର୍ତ୍ତମାନ ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚ ଏହି ହତ୍ୟା ମାମଲା ଏବଂ ସୁଟକେସ ରହସ୍ୟର ପର୍ଦ୍ଦାଫାସ କରିଛି । ଏହି ମାମଲାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଅଭିଯୁକ୍ତ ଯୁବକ ଓ ମୃତ ଯୁବତୀ ଓଡ଼ିଶା ସୁନ୍ଦରଗଡ଼ର ବୋଲି ଜଣା ପଡ଼ିଛି ।

ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚର ଡିସିପି ରାଜ ତିଲକ ରୋଶନ କହିଛନ୍ତି ଯେ ଯେତେବେଳେ କ୍ରିକେଟ୍ ବିଶ୍ୱକପ୍‌ର ଫାଇନାଲ ମ୍ୟାଚ୍ ଦେଖିବା ପାଇଁ ପୂରା ଦେଶ ବ୍ୟସ୍ତ ଥିଲା । ଠିକ୍‌ ସେହି ସମୟରେ ଅଭିଯୁକ୍ତ ଜଣକ ଏଭଳି ଅମାନୁଷିକ କାଣ୍ଡ ଘଟାଇଥିଲା । ତେବେ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରା ସାହାଯ୍ୟରେ ଅଭିଯୁକ୍ତର ପରିଚୟ ପାଇ ଅଭିଯୁକ୍ତକୁ ଖୋଜିବାରେ ଲାଗି ପଡ଼ିଥିଲା ପୋଲିସ । ଅଭିଯୁକ୍ତ ଯୁବକ ଓଡିଶା ଆସିବାକୁ ପ୍ଲାନ୍‌ କରୁଥିଲା । କିନ୍ତୁ ଅଭିଯୁକ୍ତର ସବୁ ପ୍ଲାନ ଫେଲ୍‌ ମାରିଥିଲା । କାରଣ ୨୨ ବର୍ଷୀୟ ଅଭିଯୁକ୍ତ ଅସକର ମନୋଜ ବାର୍ଲାକୁ ପୋଲିସ ବର୍ତ୍ତମାନ ଗିରଫ କରିଛି ।

ପୋଲିସର ପଚରାଉଚରା ବେଳେ ଅଭିଯୁକ୍ତ ଜଣକ କହିଥିଲା ଯେ ସେ ଉକ୍ତ ଯୁବତୀଙ୍କ ସହ ଲିଭ୍‌-ଇନ୍‌ ରେ ରହୁଥିଲା । ଗତ ଦୁଇ ବର୍ଷ ଧରି ପ୍ରତିମା ଓ ମନୋଜ ସାଙ୍ଗରେ ରହି ଆସୁଥଲେ । ମୁମ୍ବାଇରେ ପ୍ରତିମା ଏକ ଆପାର୍ଟମେଣ୍ଟରେ ଘରୋଇ ସହାୟିକା ଭାବେ କାର୍ଯ୍ୟ କରୁଥିବାବେଳେ ମନୋଜ ଏକ ମିଠା ଦୋକାନରେ କାମ କରୁଥିଲା । କୋଭିଡ ଲକ୍‌ଡାଉନ୍‌ ପରେ ମୁମ୍ବାଇରୁ ଓଡ଼ିଶା ଫେରୁଥିବା ସମୟରେ ସେମାନଙ୍କ ଭିତରେ ପରିଚୟ ହୋଇଥିଲା । ତେବେ ଗତ ଜୁଲାଇ ମାସରେ ସେମାନେ ମୁମ୍ବାଇ ଫେରି ଧରାଭିରେ ରହୁଥିଲେ । ତେବେ ପ୍ରତିମାକଙ୍କର ଅନ୍ୟ କାହା ସମ୍ପର୍କ ଥିବା ସନ୍ଦେହ କରି ଗତ ରବିବାର ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା । ଏନେଇ ମନୋଜ ନିଜ ପ୍ରେମିକାକୁ ଆକ୍ରମଣ କରି ହତ୍ୟା କରିଥିଲା ।

ଅଭିଯୁକ୍ତ ନିଜ ପ୍ରେମିକାର ଗଳା କାଟି ହତ୍ୟା କରିଥିଲା ଏବଂ ମୃତଦେହକୁ ସୁଟକେସରେ ରଖି ଓଡିଶା ନେବାକୁ ଚେଷ୍ଟା କରିଥିଲା । କିନ୍ତୁ ଷ୍ଟେସନରେ ପୋଲିସର ଉପସ୍ଥିତି ଦେଖିବା ପରେ ସେ ଡରି ଯାଇଥିଲା । ତେଣୁ ସୁଟକେସକୁ ଅଟୋରେ ରଖି ମେଟ୍ରୋ ନିର୍ମାଣ ସ୍ଥଳରେ ଛାଡି ପଳାଇଥିଲା । ସିସିଟିଭି ଯାଞ୍ଚରେ ଅଭିଯୁକ୍ତକୁ ଚିହ୍ନଟ କରି ବର୍ତ୍ତମାନ ତାକୁ ଗିରଫ କରାଯାଇଛି । ପୋଲିସ ଆଇପିସିର ଧାରା ୩୦୨, ୨୦୧ ଅନୁଯାୟୀ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.