ଆଇଆଇଟି ଦିଲ୍ଲୀ: ଛାତ୍ରୀଙ୍କ ବାଥ୍‌ରୁମରେ ଲଗାଇଥିଲେ କ୍ୟାମେରା, ଅଶ୍ଳୀଳ ଭିଡିଓ ତିଆରି ଅଭିଯୋଗରେ ସୁଇପର୍‌ ଗିରଫ

ଆଇଆଇଟି ଦିଲ୍ଲୀରେ ସୁଇପର ଭାବେ କାମ କରୁଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଛାତ୍ରୀମାନଙ୍କ ଅଶ୍ଳୀଳ ଭିଡିଓ ତିଆରି ନେଇ ତାଙ୍କ ନାମରେ ଅଭିଯୋଗ ହୋଇଛି।

ଆଇଆଇଟି ଦିଲ୍ଲୀରେ ସୁଇପର ଭାବେ କାମ କରୁଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଛାତ୍ରୀମାନଙ୍କ ଅଶ୍ଳୀଳ ଭିଡିଓ ତିଆରି ନେଇ ତାଙ୍କ ନାମରେ ଅଭିଯୋଗ ହୋଇଛି। ଏ ନେଇ ଜଣେ ଛାତ୍ରୀ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଛି। ପୋଲିସ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ସୁଇପରଙ୍କୁ ଗିରଫ କରିଥିଲା। କୋର୍ଟରେ ହାଜର ପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି। ଏହି ମାମଲାରେ ପୋଲିସ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ୨୦ ବର୍ଷୀୟ ଏହି ଯୁବକ ଦିଲ୍ଲୀ ଆଇଆଇଟିରେ ସୁଇପର ଭାବରେ କାମ କରୁଥିଲେ। ସେ ଏକ ଏଜେନ୍ସି ଜରିଆରେ ଏଠାରେ ଜଣେ ଆଉଟସୋର୍ସିଂ କର୍ମଚାରୀ ଥିଲେ। ଅଭିଯୋଗ ହୋଇଛି ଯେ ଯୁବକ ଜଣକ ଲେଡି ୱାଶରୁମରେ ମୋବାଇଲ ଫୋନ ଲୁଚାଇ ଛାତ୍ରୀମାନଙ୍କର ଅଶ୍ଳୀଳ ଭିଡିଓ ତିଆରି କରିଛନ୍ତି। ଜଣେ ଛାତ୍ରୀ ଏ ସମ୍ପର୍କରେ ଶିକ୍ଷାନୁଷ୍ଠାନର ମ୍ୟାନେଜମେଣ୍ଟ ନିକଟରେ ଅଭିଯୋଗ କରିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା।

ଛାତ୍ରୀଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ସୁଇପରଙ୍କ ବିରୋଧରେ ଆଇପିସି ଧାରା ୩୫୪ରେ ମାମଲା ରୁଜୁ କରିଥିଲା ଏବଂ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେପଟେ ଏହି ମାମଲାକୁ ନେଇ ଆଇଆଇଟି ଦିଲ୍ଲୀ ସଂସ୍ଥାନ ତରଫରୁ କୁହାଯାଇଛି ଯେ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି। ଏହି ପ୍ରକାରର ମାମଲାରେ ଆମର ଜିରୋ ଟଲେରାନ୍ସ ପଲିସି ରହିଛି। ସଂସ୍ଥାନର ଛାତ୍ରଛାତ୍ରୀ ଏବଂ ଆଗନ୍ତୁକମାନଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରିବା ଲାଗି ବର୍ତ୍ତମାନର ଉପାୟଗୁଡ଼ିକୁ ମଜବୁତ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.