ସାମ୍ନାକୁ ଆସିଲା ତାଲିବାନର ବର୍ବରତାର ଆଉ ଏକ ଉଦାହରଣ, ପୋଲିସ ମୁଖ୍ୟଙ୍କୁ ଗୁଳି କରି ହତ୍ୟା କରିବାର ଭିଡିଓ ଭାଇରାଲ

ରକ୍ତମୁଖା ହୋଇପଡ଼ିଛନ୍ତି ତାଲିବାନ। ଘରକୁ ଘର ବୁଲି ଲୋକଙ୍କୁ ମାରୁଛନ୍ତି। ମୁହଁ ଉପରେ ଅହିଂସାର ବାର୍ତ୍ତା ଦେଉଥିବା ବେଳେ ଭିତରେ କିନ୍ତୁ ରକ୍ତର ନଦୀ ବୁହାଇବାକୁ ଚେଷ୍ଟା ଚଳାଇଛନ୍ତି। ସିଧାସଳଖ କହିବାକୁ ଗଲେ ଏବେ ଅବିଶ୍ୱାସର ଅନ୍ୟ ନାମ ପାଲଟିଯାଇଛି ତାଲିବାନ। ମୁହଁରେ ହିଂସା ଛାଡ଼ିବାର ପ୍ରତିଶ୍ରୁତି କିନ୍ତୁ ଭିତରେ ହିଂସ୍ର ଆଉ ପ୍ରତିଶୋଧର ପ୍ରବୃତ୍ତି । ଆଫଗାନ ଦଖଲ ପରେ ସର୍ବକ୍ଷମା ଘୋଷଣା କରିଥିବା ତାଲିବାନ ପ୍ରତିଶୋଧ ପରାୟଣ ହୋଇ ଉଠିଛି। ନାଟୋ ସେନା ଓ ପୂର୍ବତନ ଆଫଗାନ ସରକାର ସହ କାମ କରୁଥିବା ଲୋକଙ୍କୁ ଘରକୁ ଘର ବୁଲି ଖୋଜୁଛନ୍ତି ତାଲିବାନ କମାଣ୍ଡୋ । ପାଇଲେ ବାନ୍ଧି ଆଣି ବର୍ବର ହତ୍ୟା କରୁଛନ୍ତି । ନହେଲେ ପରିବାର ଲୋକଙ୍କୁ ଧମକ ଦେଇ ଭୟଭୀତ କରୁଛନ୍ତି ।

ସାମ୍ନାକୁ ଆସିଛି ତାଲିବାନୀ ନୃଶଂସତାର ଆଉ ଏକ ନୂଆ ଭିଡିଓ । ବାଦଘିସ୍‌ ପ୍ରଦେଶର ପୋଲିସ୍‌ ମୁଖ୍ୟ ହାଜି ମୁଲ୍ଲା ଅଚକଜାଇଙ୍କୁ ଅମାନୁଷିକ ଭାବେ ହତ୍ୟା କରିଛି ତାଲିବାନ୍‌ । ହାତଗୋଡ଼ ବାନ୍ଧି ଆଣ୍ଠେଇବା ପରେ ଗୁଳିବର୍ଷା କରି ହତ୍ୟା କରାଯାଇଛି। ଜଣେ ଡଚ୍‌ ୱେଲ୍‌ ସାମ୍ବାଦିକଙ୍କ ସଂପର୍କୀୟଙ୍କୁ ବି ହତ୍ୟା କରିଛନ୍ତି ତାଲିବାନ କମାଣ୍ଡୋ । ସାମ୍ବାଦିକଙ୍କୁ ଖୋଜିବାକୁ ଯାଇ ତାଙ୍କ ସଂପର୍କୀୟଙ୍କୁ ହତ୍ୟା କରିଛନ୍ତି । ଏବେ ବହୁ ଲୋକ ତାଲିବାନ ଟାର୍ଗେଟ୍‌ରେ। ତାଲିବାନ୍‌ ବ୍ଲାକ୍‌ ଲିଷ୍ଟରେ ଥିବା ଲୋକଙ୍କୁ ଗଣହତ୍ୟା ବି କରାଯାଇପାରେ । ଜାତିସଂଘକୁ ଗୁଇନ୍ଦା ତଥ୍ୟ ଯୋଗାଉଥିବା ନରୱେ ସଂସ୍ଥାର ଗୋପନୀୟ ଦସ୍ତାବିଜ୍‌ରେ ଏଭଳି ସତର୍କ କରାଇଛି ।

କଥା ଗୋଟେ ଆଉ କାମ ଆଉ ଗୋଟେ ପ୍ରକାର କରୁଥିବାରୁ ଏବେ ଲୋକଙ୍କ ମଧ୍ୟରେ ଭୟ ବଢ଼ାଇଛି ତାଲିବାନ୍‌। ଆଫଗାନିସ୍ତାନରେ ଥରହର ସ୍ଥିତି। ଅନ୍ୟ ରାଷ୍ଟ୍ର ମାନେ ବି ଚିନ୍ତାରେ । ପୂର୍ବରୁ ସୁପ୍ତ ଅବସ୍ଥାରେ ଥିବା ତାଲିବାନ କାବୁଲ ଦଖଲ ପରେ ଅଧିକ ଶକ୍ତିଶାଳୀ ଓ ହିଂସ୍ର ହୋଇ ଉଠିଛି । ତାଲିବାନ ହାତରେ ଏବେ ଆମେରିକାର ଉଚ୍ଚ କ୍ଷମତା ସମ୍ପନ୍ନ ଅସ୍ତ୍ରଶସ୍ତ୍ର । ଆଫଗାନ ସେନା ବ୍ୟବହାର କରୁଥିବା ଆର୍ମୋର୍ଡ ଭେହିକିଲ, ୩୦ ରୁ ୪୦ ଏୟାରକ୍ରାଫ୍ଟ ଓ ବିପୁଳ ସଂଖ୍ୟାରେ ରାଇଫଲ । ଏଣୁ କେତେବେଳେ ବି କିଛି ଘଟାଇପାରେ ଏହି ଆତଙ୍କୀ ସଂଗଠନ। ସେହି ଭୟରେ ପ୍ରାଣ ବିକଳରେ ଦେଶ ଛାଡ଼ୁଛନ୍ତି ହଜାର ହଜାର ଲୋକ । ଅନ୍ୟ ରାଷ୍ଟ୍ରମାନେ ବି ଯୁଦ୍ଧକାଳୀନ ଭିତ୍ତିରେ ଆଫଗାନିସ୍ତାନରୁ ନିଜ ନାଗରିକଙ୍କୁ ଫେରାଇ ନେବାରେ ବ୍ୟସ୍ତ । ଆମେରିକା ସେନା ସହାୟତାରେ କାବୁଲ ଏୟାରପୋର୍ଟରୁ ଏହି ଉଦ୍ଧାର କାର୍ଯ୍ୟ ଚାଲିଥିବା ଦେଖାଯାଇଛି।

ଗୋଟେ ପଟେ ଆଫଗାନିସ୍ତାନରେ ସରକାର ଗଠନ ପାଇଁ ତାଲିବାନ ପ୍ରସ୍ତୁତି ଚଳାଇଥିବା ବେଳେ ଅନ୍ୟପଟେ ଏବେ ପ୍ରତିବାଦର ସ୍ୱର ବି ତେଜୁଛି । ତାଲିବାନ ଗୁଳିକୁ ଖାତିର ନକରି ରାସ୍ତାକୁ ଓହ୍ଲାଉଛନ୍ତି ଲୋକେ । ଦେଶର ବିଭିନ୍ନ ପ୍ରାନ୍ତରେ ବାହାରୁଛି ପତାକା ଶୋଭାଯାତ୍ରା। ଏମିତିକି ମହିଳାମାନେ ବି ନିଜର ଅଧିକାର ଦାବି କରି ରାସ୍ତାକୁ ଓହ୍ଲାଇଲେଣି । ତେବେ ବର୍ତ୍ତମାନ ଆଫଗାନିସ୍ତାନର ସ୍ଥିତି ଦେଖିଲେ ଆଗକୁ ଏକ ବଡ଼ ଯୁଦ୍ଧ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଅନ୍ୟ ବଡ଼ ରାଷ୍ଟ୍ର ସାମ୍ନାକୁ ଆସି ଶାନ୍ତି ପ୍ରତିଷ୍ଠା କରୁ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ତେବେ ଆଗକୁ ସ୍ଥିତି କଣ ହେବ ତାହା କେବଳ ସମୟ ହିଁ କହିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.