ଏୟାର ଇଣ୍ଡିଆର ନୂଆ ସିଇଓ ଭାବେ ନିଯୁକ୍ତ ହେଲେ ଇଲ୍‌କର ଆଇସି, ପୂର୍ବରୁ ଥିଲେ ତୁର୍କୀ ଏୟାରଲାଇନ୍ସର ଅଧ୍ୟକ୍ଷ

ଇଲ୍‌କର ଆଇସି ହେଲେ ଏୟାର ଇଣ୍ଡିଆର ନୂଆ ସିଇଓ। ଇଲ୍‌କରଙ୍କୁ ଉଭୟ ସିଇଓ ଓ ଏମ୍‌ଡି ଭାବେ ନିଯୁକ୍ତ କରିଛି ଟାଟା ସନ୍‌ସ। ଇଲ୍‌କରଙ୍କ ନିଯୁକ୍ତି ଉପରେ ବିଚାର କରିବା ପାଇଁ ଏୟାର ଇଣ୍ଡିଆ ପକ୍ଷରୁ ସୋମବାର ଅପରାହ୍ନରେ ବୋର୍ଡ ମିଟିଂ ବସିଥିଲା। ଟାଟା ସନ୍ସର ଚେୟାରମ୍ୟାନ୍‌ ଏନ୍‌ ଚନ୍ଦ୍ରଶେଖରନ୍‌ ଏହି ବୋର୍ଡ ମିଟିଂରେ ଅତିଥି ଭାବେ ଯୋଗ ଦେଇଥିଲେ। ବୋର୍ଡର ବିଚାର ବିମର୍ଶ ପରେ ଇଲ୍‌କର ଆଇସିଙ୍କ ଏୟାର ଇଣ୍ଡିଆର ସିଇଓ ଓ ଏମ୍‌ଡି ଭାବେ ନିଯୁକ୍ତିକୁ ମଞ୍ଜୁରୀ ଦିଆଯାଇଛି। ଚଳିତ ଏପ୍ରିଲ ପହିଲାରୁ ଇଲ୍‌କର ଆଇସି କାମ ଆରମ୍ଭ କରିବେ।

ପୂର୍ବରୁ ଇଲ୍‌କର ଆଇସି ତୁର୍କୀ ଏୟାରଲାଇନ୍ସର ଅଧ୍ୟକ୍ଷ ଥିଲେ। ଇଲ୍‌କରଙ୍କ ନିଯୁକ୍ତି ସମ୍ପର୍କରେ ଏନ୍‌ ଚନ୍ଦ୍ରଶେଖରନ୍‌ କହିଛନ୍ତି, ଇଲ୍‌କର ଆଇସି ଜଣେ ଅନୁଭୂତି ସମ୍ପନ୍ନ ବ୍ୟକ୍ତି। ସେ ତୁର୍କୀ ଏୟାରଲାଇନ୍ସର ନେତୃତ୍ୱ ନେଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଏୟାରଲାଇନ୍ସକୁ ଅନେକ ସଫଳତା ମିଳିଛି। ଆମେ ତାଙ୍କୁ ଟାଟା ସମୂହକୁ ସ୍ୱାଗତ କରି ଖୁସି ଅଛୁ। ସେ ଏବେ ଏୟାର ଇଣ୍ଡିଆର ନେତୃତ୍ୱ ନେବେ।

ଇଲ୍‌ରକ ଆଇସିଙ୍କ ଜନ୍ମ ୧୯୭୧ ମସିହାରେ ଇସ୍ତାନାବୁଲରେ ହୋଇଥିଲା। ସେ ୧୯୯୪ରେ ବିଲ୍‌ଙ୍କେଟ୍‌ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ଓ ଲୋକ ପ୍ରଶାସନ ବିଭାଗର ପୂର୍ବ ଛାତ୍ର ଥିଲେ। ସେ ୟୁକେରେ ଲିଡ୍‌ସ ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଜଣେ ରିସର୍ଚ୍ଚର ଭାବେ କାର୍ଯ୍ୟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.