ବିକ୍ରି ହୋଇଯିବ ବିସ୍‌ଲେରୀ ପାଣି ବୋତଲ କମ୍ପାନୀ ! ୭୦୦୦ କୋଟିରେ କିଣିବ ଟାଟା

କେନ୍ୟୁଜ୍‌: ପ୍ୟାକିଂ ପାଣି ବୋତଲ କଥା ଉଠିଲେ ସାଧାରଣତଃ ବିସ୍‌ଲେରୀ କମ୍ପାନୀର ପାଣି ବୋତଲ କଥା ସମସ୍ତଙ୍କ ନଜରକୁ ଆସେ । ଏବେ ସେହି ବୋତଲ କମ୍ପାନୀ ବିକ୍ରି ହେବାକୁ ଯାଉଛି । ଏହି କଥା ବିସ୍‌ଲେରୀ କମ୍ପାନୀର ମୁଖ୍ୟ ରମେଶ ଜେ. ଚୌହାନ କହିଛନ୍ତି । ଏହି କମ୍ପାନୀକୁ କିଣିବା ପାଇଁ ଅନେକ କମ୍ପାନୀ ଆଗ୍ରହ ଦେଖେଇଥିବା ବେଳେ ରେସ୍‌ରେ ସବୁଠାରୁ ଆଗରେ ଅଛି ଟାଟା କନ୍‌ଜ୍ୟୁମର ଲିମିଟେଡ୍‌ କମ୍ପାନୀ । କିନ୍ତୁ, ପ୍ରଶ୍ନ ଉଠୁଛି ଦେଶର ସବୁଠାରୁ ଲୋକପ୍ରିୟ ପାଣି ବୋତଲ କମ୍ପାନୀ ବିକ୍ରି ହେବା ପାଇଁ କାହିଁକି ଯାଉଛି । ଆଜ୍ଞା ହଁ ଏହା ପଛରେ ଏକ ବଡ଼ କାରଣ ଅଛି ।

କେହି ଉତ୍ତରାଧିକାରୀ ନଥିବାରୁ ବିକ୍ରି ହୋଇଯିବ କମ୍ପାନୀ :

କମ୍ପାନୀର ଚେୟାରମ୍ୟାନ ରମେଶ ଚୌହାନ, ତାଙ୍କର ବୟସ ୮୨ ବର୍ଷ । ତାଙ୍କର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଅସୁସ୍ଥତା କାରଣରୁ ବ୍ୟବସାୟ ସମ୍ଭାଳିବା ମୁସ୍କିଲ ହୋଇ ଯାଉଛି । ଅନ୍ୟ ଏମକ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ତାଙ୍କ ଝିଅ ଜୟନ୍ତି । ରମେଶ ଚୌହାନଙ୍କ ଝିଅ ଏବଂ କମ୍ପାନିର ଭାଇସ୍‌-ଚେୟାରପର୍ସନ ଜୟନ୍ତି ବ୍ୟବସାୟ ପାଇଁ ଆଗ୍ରହ ପ୍ରକାଶ କରୁ ନାହାନ୍ତି । ସେଥି ପାଇଁ ଚେୟାରମ୍ୟାନ ରମେଶ ଚୌହାନ କମ୍ପାନୀକୁ ବିକ୍ରି କରିବାକୁ ଚାହୁଁଛନ୍ତି । ଏବେ ବି କମ୍ପାନୀର ଚେୟାରମ୍ୟାନ ଏବଂ ଏମ୍‌ଡି ପଦର ଦାୟିତ୍ୱ ରମେଶଙ୍କ କାନ୍ଧରେ ଅଛି ଏବଂ ତାଙ୍କର ପତ୍ନୀ ଜୈନାବ ଚୌହାନ କମ୍ପାନୀର ଡାଇରେକ୍ଟର ଅଛନ୍ତି ।

ରମେଶ ଚୌହାନଙ୍କ ବୟାନ:

ସୂଚନା ଅନୁସାରେ ବିସ୍‌ଲେରୀ କମ୍ପାନୀର ଚେୟାରମ୍ୟାନ୍‌ ଏବଂ ଶିଳ୍ପପତି ରମେଶ ଚୌହାନ କହିଛନ୍ତି ନିଜ ବିସ୍‌ଲେରି କମ୍ପାନୀ ବିକ୍ରି କରିବା ପାଇଁ ସେ ଗ୍ରାହକ ଖୋଜୁଛନ୍ତି । ତାଙ୍କୁ କମ୍ପାନୀ ବିକିବାର କାରଣ ପଚାରିବାରୁ ସେ କହିଥିଲେ ଆଗକୁ ଯାଇ କାହାକୁ ନା କାହାକୁ ତ ଏହି କମ୍ପାନୀଙ୍କୁ ଚଲାଇବାକୁ ପଡ଼ିବ ସେଥି ପାଇଁ ସେ ଠିକ୍‌ ରାସ୍ତା ଖୋଜୁଛନ୍ତି । ତାଙ୍କର ଝିଅ ଜୟନ୍ତିଙ୍କର ବି ବିଜିନେସ୍‌ ସମ୍ଭାଳିବାର ଇଛା ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି, ଏବେ ଟାଟା କମ୍ପାନୀ ସହିତ କଥା ବାର୍ତ୍ତା ଚାଲିଛି କିନ୍ତୁ ବିଧିବଦ୍ଧ ଭାବେ କିଛି ନିଷ୍ପତି ନିଆଯାଇନାହିଁ ।

୧୯୬୯ରେ କିଣାଯାଇଥିଲା ବିସ୍‌ଲେରୀ କମ୍ପାନୀ:

୧୯୬୯ ମସିହାରେ ଚୌହାନ ପରିବାର ଅଧିନରେ ଥବା ପାର୍ଲେ (Parle) କମ୍ପାନୀ ବିସ୍‌ଲେରୀ ଇଣ୍ଡିଆ ଲିମିଟେଡ୍‌ କମ୍ପାନିକୁ କିଣିଥିଲା । ଏହି କମ୍ପାନୀକୁ ଚୌହାନ ପରିବାର ୪ଲକ୍ଷ ଟଙ୍କାରେ କିଣିଥିଲେ । ୧୯୯୫ ମସିହାରରେ ଏହି କମ୍ପାନୀର ଦାୟିତ୍ୱ ରମେଶ ଚୌହାନଙ୍କ ପାଖକୁ ଗଲା ତା ପରଠାର କମ୍ପାନୀ ଅଦ୍ଭୁତ ପୂର୍ବ ସଫଳତା ଲାଭ କରିଛି । ବିସ୍‌ଲେରୀର ବ୍ୟବସାୟ ବହୁ ମାତ୍ରାରେ ବଢ଼ିଛି । ଏବେ ବଜାରରେ ବିସ୍‌ଲେରୀ କମ୍ପାନୀର ବ୍ରାଣ୍ଡ ଭେଲ୍ୟୁ ବହୁତ ବଢ଼ିଛି । ଭାରତୀୟ ବଜାରରେ ଏହାର ଭେଲ୍ୟୁ ୨୦,୦୦୦ କୋଟି ରହିଛି ।

୭,୦୦୦ କୋଟିରେ ହେବ ବିକ୍ରି:

ରିପୋର୍ଟ ଅନୁସାରେ ବିସ୍‌ଲେରୀକୁ ବିକିବା କଥା ନେଇ ଟାଟା ସହିତ ଏକ ପ୍ରକାର ଫାଇନାଲ ହୋଇଯାଇଛି, ଯାହା କୁହା ଯାଉଛି ୬,୦୦୦ ରୁ ୭,୦୦୦ କୋଟି ଟଙ୍କାରେ ବିକ୍ରି ହେବ । କିନ୍ତୁ ଏହି କଥାକୁ ରମେଶ ଚୌହାନ ମନା କରିଛନ୍ତି । ପୁରା ଦେଶରେ ବିସ୍‌ଲେରୀର ୧୨୨ଟି ପ୍ଲାଣ୍ଟ ରହିଛି ଏବଂ ଭାରତ ସାରା ୫,୦୦୦ ଟ୍ରକ ସହିତ ସହିତ ୪,୫୦୦ରୁ ଅଧିକ ଡିଷ୍ଟ୍ରିବ୍ୟୁଟର ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.