ଆମେ ପୂର୍ବ ଜନ୍ମରେ ସ୍ବାମୀ ସ୍ତ୍ରୀ ଥିଲୁ ! ଏପରି କହି ଛାତ୍ରୀଙ୍କୁ ସାଙ୍ଗରେ ନେଇଯିବାକୁ ଚେଷ୍ଟା କରୁଥିଲେ ଶିକ୍ଷୟିତ୍ରୀ 

ଆମେ ପୂର୍ବ ଜନ୍ମରେ ସ୍ବାମୀ ସ୍ତ୍ରୀ ଥିଲୁ । ଏଭଳି କହି ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଅପହରଣ କରିନେବାକୁ ଚାହୁଁଥିଲେ ଜଣେ ଶିକ୍ଷୟିତ୍ରୀ । ଆଉ ଶିକ୍ଷୟିତ୍ରୀଙ୍କୁ ସାହାଯ୍ୟ କରି ଧରାପଡିଛନ୍ତି ଜଣେ ଯବାନ । ଘଟଣାଟି ଘଟିଛି ଇନ୍ଦୋରର ତିଲକ ନଗରରେ । ତେବେ ଉଭୟଙ୍କୁ କାବୁ କରି ପୋଲିସ୍ ଜିମା ଦେଇଛନ୍ତି ସ୍ଥାନୀୟ ଲୋକ ।

ଅଭିଯୋଗ ମୂତାବକ, ଅଭିଯୁକ୍ତ ଶିକ୍ଷୟିତ୍ରୀ  ବେରୋନିକା ଏବଂ ତାଙ୍କ ସହଯୋଗୀ ଆନନ୍ଦ ମୁଣ୍ଡେ ସ୍ଥାନୀୟ ବାସିନ୍ଦା ଦିନେଶଙ୍କ ଘରେ ହଠାତ୍ ପଶିଯାଇଥିଲେ । ଆଉ ଦିନେଶଙ୍କ ଝିଅଙ୍କୁ ଦେଖା କରିବା ପାଇଁ ଜିଦ୍ କରିଥିଲେ । ଶିକ୍ଷୟିତ୍ରୀ ଜଣକ କହିଥିଲେ ଆମେ ପୂର୍ବ ଜନ୍ମରେ ସ୍ବାମୀ ସ୍ତ୍ରୀ ଥିଲୁ । ଆଉ ଗୋଟିଏ ସଡକ ଦୁର୍ଘଟଣାରେ ସ୍ବାମୀଙ୍କ ଦେହାନ୍ତ ହୋଇଯାଇଥିଲା । ଏବେ ସେ ତାଙ୍କୁ ନିଜ ସାଥୀରେ ନେଇ ଯିବାକୁ ଚାହୁଁଛନ୍ତି । ତେବେ ଏକଥା ଶୁଣି ଛାତ୍ରୀ ଜଣକ ଲୁଚି ଯାଇଥିଲେ । କିନ୍ତୁ ତାଙ୍କୁ ଦେଖା କରିବା ପାଇଁ ଛାତ୍ରୀଙ୍କ ମାଙ୍କ ଗୋଡ ଧରି ଗୁହାରୀ କରିଥିଲେ ଅଭିଯୁକ୍ତ ଶିକ୍ଷୟିତ୍ରୀ ଜଣକ ।

ତେବେ ସ୍ବାମୀ ସ୍ତ୍ରୀ କହିବା ପୂର୍ବରୁ ପ୍ରଥମେ ନିଜକୁ ଭାଇ ଭଉଣୀ ବୋଲି କହିଥିଲେ ଶିକ୍ଷୟିତ୍ରୀ । ପୂର୍ବ ଜନ୍ମରେ ଛାତ୍ରୀଙ୍କ ନାମ ସୋନିଆ ଏବଂ ତାଙ୍କ ନିଜ ନାମ ପ୍ରିନ୍ସ ଥିଲା ବୋଲି କହିଛନ୍ତି ଶିକ୍ଷୟିତ୍ରୀ ବେରୋନିକା । ତେବେ ୪ ମାସ ପୂର୍ବରୁ ଛାତ୍ରୀଙ୍କ ପରିବାର ସହ ସାକ୍ଷାତ ହୋଇଥିବା ବେରୋନିକା ବାରମ୍ବାର ତାଙ୍କୁ କଲ୍ କରୁଥିଲେ । ନମ୍ବର ବ୍ଲକ୍ କରିବା ଯୋଗୁଁ ପ୍ରାୟ ୩୨ଟି ସିମ୍ ବଦଳାଇଛନ୍ତି ସେ । ଏହା ପରେ ସେ ଛାତ୍ରୀଙ୍କ ବାପା ଏବଂ ଭଉଣୀଙ୍କୁ ମଧ୍ୟ କଲ୍ କରିଥିଲେ । ଏହା ପରେ ବାଧ୍ୟ ହୋଇ ଛାତ୍ରୀ ଜଣଙ୍କୁ ନିଜ ସହ ନେଇଯିବା ପାଇଁ ଆସିଥିଲେ ବେରୋନିକା । ପୋଲିସ୍ ଏବେ ଘଟଣାର ଯାଂଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.