ୟୁକ୍ରେନ ଶରଣାର୍ଥୀଙ୍କୁ ଘରେ ଆଶ୍ରୟ ଦେଉଥିବା ପରିବାରକୁ ୩୫୦ ପାଉଣ୍ଡ ଦେବ ବ୍ରିଟେନ!

ୟୁକ୍ରେନ ଶରଣାର୍ଥୀଙ୍କୁ ନିଜ ଘରେ ଆଶ୍ରୟ ଦେଉଥିବା ପରିବାରକୁ ବ୍ରିଟେନ ସରକାର ପ୍ରତି ମାସରେ ୩୫୦ ପାଉଣ୍ଡ (୪୫୬ ଡଲାର) ଭତ୍ତା ଦେବାକୁ ଘୋଷଣା କରିଛନ୍ତି। ବ୍ରିଟେନର ଆବାସ ମନ୍ତ୍ରୀ ମାଇକେଲ ଗୋଭ କହିଛନ୍ତି, ଏହାଦ୍ୱାରା ହଜାର ହଜାର ଶରଣାର୍ଥୀ ଅତିରିକ୍ତ ଯୋଜନାରୁ ଲାଭାନ୍ଵିତ ହୋଇ ପାରିବେ, ଯେଉଁଥିରେ ପ୍ରତି ବ୍ୟକ୍ତି ପିଛା ୧୦,୦୦୦ ପାଉଣ୍ଡ (୧୩,୦୦୦ ଡଲାର)ର ଅନୁଦାନ ସାମିଲ ହେବ। ଯଦ୍ଦ୍ଵାରା ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁ ଏଠାକୁ ପଳାଇ ଆସୁଥିବା ଲୋକଙ୍କର ଅତିରିକ୍ତ ଆବଶ୍ୟକତା ପୂରଣ ହୋଇ ପାରିବ।

ମନ୍ତ୍ରୀ କହିଛନ୍ତି ଯେ ୟୁକ୍ରେନରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୧୦,୦୦୦ ପାଉଣ୍ଡରୁ ଅଧିକ ସ୍ଥାନୀୟ ଅଧିକାରୀମାନଙ୍କୁ ଉପଲବ୍ଧ କରାଯିବ। ୟୁକ୍ରେନ ଲାଗି ନୂଆ ଆବାସ ଯୋଜନା ଅଧୀନରେ ସୋମବାରଠାରୁ ଅନଲାଇନ ପଞ୍ଜୀକରଣ ଆରମ୍ଭ ହେବ। ସ୍ପଂସର ଯୋଜନା ଅଧୀନରେ ପ୍ରାୟୋଜକ ରୂପେ କାର୍ଯ୍ୟ କରୁଥିବା ବ୍ୟକ୍ତି ଜଣେ ୟୁକ୍ରେନ ଶରଣାର୍ଥୀ କିମ୍ବା ତାଙ୍କ ପରିବାରକୁ ନିଜ ଘରେ ମାଗଣାରେ ରଖିବାକୁ ନଚେତ୍‌ ଏକ ଅଲଗା ସମ୍ପତ୍ତି ଦେବାକୁ ସକ୍ଷମ ହେବେ। ଏହି ଯୋଜନାରେ ପ୍ରାୟୋଜକଙ୍କୁ ଯାଞ୍ଚ କରାଯିବ ଏବଂ ଶରଣାର୍ଥୀମାନଙ୍କୁ ବି ସୁରକ୍ଷା ଯାଞ୍ଚ ଦେଇ ଯିବାକୁ ହେବ।

ଶରଣାର୍ଥୀମାନଙ୍କୁ ପ୍ରାୟୋଜିତ କରୁଥିବା ବ୍ୟକ୍ତିଙ୍କୁ ଅତି କମ୍‌ରେ ୬ ମାସ ପାଇଁ ଏହି ଯୋଜନା ଲାଗି ପ୍ରତିବଦ୍ଧ ହେବାକୁ ପଡ଼ିବ। ପ୍ରାୟୋଜକମାନଙ୍କୁ ‘ଧନ୍ୟବାଦ’ ସ୍ୱରୂପ ପ୍ରତି ମାସରେ ୩୫୦ ପାଉଣ୍ଡର ପେମେଣ୍ଟ ପ୍ରାପ୍ତ ହେବ। ସୂଚନାଥାଉ କି, ରୁଷ ଆକ୍ରମଣରୁ ବଞ୍ଚିବା ପାଇଁ ୨୫ ଲକ୍ଷରୁ ଅଧିକ ଲୋକ ୟୁକ୍ରେନରୁ ପଳାୟନ କରିଥିବା ଅନୁମାନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.