ବିହାର: ପାଞ୍ଚ ମିଠା ଦୋକାନରୁ ନଗଦ ଟଙ୍କା ସହ ୨ କ୍ୱିଣ୍ଟାଲ୍‌ ଖୁଆପେଡ଼ା ଚୋରି, ତଦନ୍ତ କରୁଛି ପୋଲିସ

ବିହାରର ଜମୁଇରେ ଏକ ଅଦ୍ଭୁତ ଧରଣର ଚୋରି ଘଟଣା ଘଟିଛି। ଏଠାରେ ଚୋରମାନେ ୨ କ୍ୱିଣ୍ଟାଲ ଖୁଆପେଡ଼ା ଚୋରି କରି ନେଇଛନ୍ତି। ଏହି ଘଟଣା ଗତ ମଙ୍ଗଳବାର ରାତିରେ ଘଟିଛି।

ବିହାରର ଜମୁଇରେ ଏକ ଅଦ୍ଭୁତ ଧରଣର ଚୋରି ଘଟଣା ଘଟିଛି। ଏଠାରେ ଚୋରମାନେ ୨ କ୍ୱିଣ୍ଟାଲ ଖୁଆ ପେଡ଼ା ଚୋରି କରି ନେଇଛନ୍ତି। ଏହି ଘଟଣା ଗତ ମଙ୍ଗଳବାର ରାତିରେ ଘଟିଛି। ଜିଲ୍ଲାର ଖେରା ଥାନା ଅଧୀନ ଧନଭେରିଆ ଚୌକ୍‌ରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକୃତରେ, ଏଠାରେ କିଛି ଚୋର ୫ ରୁ ଅଧିକ ଦୋକାନରୁ ନଗଦ ଟଙ୍କା ସହ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ସାମଗ୍ରୀ ଚୋରି କରି ନେଇଛନ୍ତି। ଦୋକାନ ଗୁଡ଼ିକରୁ ପ୍ରାୟ ୨ କ୍ୱିଣ୍ଟାଲ ଖୁଆ ପେଡା ଚୋରି ହୋଇଛି। ଘଟଣା ବିଷୟରେ ଜାଣିବା ପରେ ଦୋକାନୀ ମାନେ ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କୁହାଯାଏ ଯେ ଜମୁଇର ଧନଭେରିଆ ଚୌକ୍‌ର ପେଡ଼ା କେବଳ ଜମୁଇରେ ନୁହେଁ, ବରଂ ପୂରା ବିହାରରେ ପ୍ରସିଦ୍ଧ। ଏହି ବାଟ ଦେଇ ଯାଉଥିବା ଲୋକ ମାନେ ନିଶ୍ଚିତ ଭାବରେ ଏଠାରୁ ଖୁଆ ପେଡ଼ା କିଣନ୍ତି।

ଅଭିଯୋଗ ଅନୁସାରେ, ଏଠାରେ ଥିବା ଭୀମ ସିଂଙ୍କ ପେଡା ଦୋକାନରୁ ୪୦ କିଲୋ ପେଡା ଏବଂ ୨୫ ହଜାର ଟଙ୍କା ଚୋରି ହୋଇଛି। ସିଣ୍ଟୁ ସିଂଙ୍କ ଦୋକାନରୁ ୫୦ କିଲୋ ପେଡ଼ା ଏବଂ ୧୦ ହଜାର ଟଙ୍କା ଚୋରି ହୋଇଛି। ସେହିପରି ରାଣା ସିଂଙ୍କ ତେଜରାତି ଦୋକାନରୁ ଚୋରମାନେ ନଗଦ ୫୦୦୦ ଟଙ୍କା ସହ ପ୍ରାୟ ୫୦ ହଜାର ଟଙ୍କାର ସାମଗ୍ରୀ ଚୋରି କରି ନେଇଛନ୍ତି। କେବଳ ଏତିକି ନୁହେଁ, ପାଖରେ ଥିବା ପାନ ଦୋକାନ ଏବଂ ମୋବାଇଲ୍ ଦୋକାନରୁ ମଧ୍ୟ ଚୋରି ହୋଇଛି।

ଦୋକାନୀମାନଙ୍କ ଅଭିଯୋଗ କ୍ରମେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏହି ମାମଲାରେ ସ୍ଥାନୀୟ ଥାନା ଅଧିକାରୀ କହିଛନ୍ତି ଯେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖୁବ୍‌ ଜଲ୍‌ଦି ଚୋରମାନଙ୍କୁ ଗିରଫ କରାଯିବ। ଏହି ଘଟଣାକୁ ନେଇ ଦୋକାନୀ ମାନେ ଏକ ପ୍ରକାର ଭୟଭୀତ ଅବସ୍ଥାରେ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.