ଅଯୋଧ୍ୟାକୁ ବମ୍‌ରେ ଉଡ଼ାଇ ଦେବାକୁ ଧମକ! ସମସ୍ତ ପ୍ରମୁଖ ମନ୍ଦିର, ପ୍ରବେଶ ସ୍ଥାନରେ ବଢ଼ିଲା ସୁରକ୍ଷା; ପୂର୍ବରୁ ଏଠାରୁ ଧରା ହୋଇସାରିଛନ୍ତି ଆତଙ୍କବାଦୀ

ଭଗବାନ ରାମଚନ୍ଦ୍ରଙ୍କ ଜନ୍ମସ୍ଥଳୀ ଅଯୋଧ୍ୟାକୁ ବମ୍‌ରେ ଉଡ଼ାଇ ଦେବାକୁ ମିଳିଛି ଧମକ। ସୋସିଆଲ ମିଡିଆରେ ଏହି ଧମକ ମିଳିବା ପରେ ସୁରକ୍ଷା ଏଜେନ୍ସି ଏବଂ ପ୍ରଶାସନିକ ସ୍ତର ସଜାଗ ହୋଇ ଉଠିଛି। ଅଯୋଧ୍ୟାର ବିଭିନ୍ନ ସ୍ଥାନରେ ଘନ ଘନ ଯାଞ୍ଚ ଆରମ୍ଭ ହୋଇ ଯାଇଛି। ବିଶେଷ କରି ରାମ ନଗରୀର ସମସ୍ତ ପ୍ରବେଶ ଦ୍ୱାର, ହୋଟେଲ, ଧର୍ମଶାଳା ଏବଂ ପ୍ରମୁଖ ମନ୍ଦିର ମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ପୋଲିସର ଅତିରିକ୍ତ ସିଆର୍‌ପିଏଫ ଯବାନ ଏବଂ ଏଟିଏସ୍‌ ସ୍କ୍ଵାଡ୍‌ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହୋଇ ଉଠିଛନ୍ତି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ରାମ ନଗରୀରେ ଆତଙ୍କବାଦ ଆକ୍ରମଣ ନେଇ ଇନପୁଟ୍‌ ମିଳିବା ପରେ ପୋଲିସ ପ୍ରଶାସନ ଚେଇଁ ଉଠିଛି।

ସିଓ ଅଯୋଧ୍ୟା ଆରକେ ଚତୁର୍ବେଦୀଙ୍କ ମୁତାବକ, ହ୍ଵାଟସ୍‌ଆପ ଏବଂ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆତଙ୍କୀ ଆକ୍ରମଣ ନେଇ ଧମକ ମିଳିବା ପରେ ସହରର ସମସ୍ତ ପ୍ରବେଶ ପଥରେ ଘନ ଘନ ଚେକିଂ ଅଭିଯାନ ଆରମ୍ଭ ହୋଇ ଯାଇଛି। ସମ୍ବେଦନଶୀଳ ମନ୍ଦିର ମାନଙ୍କରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ସିଆର୍‌ପିଏଫ୍‌ ଯବାନ ମାନଙ୍କୁ ସହରର ସମସ୍ତ ପ୍ରମୁଖ ସ୍ଥଳରେ ମୁତୟନ କରି ଦିଆଯାଇଛି।

ଚତୁର୍ବେଦୀ କହିଛନ୍ତି କି, ଏମିତିରେ କୌଣସି ଧମକ ନେଇ ପ୍ରଶାସନ ପାଖରେ କିଛି ନିଶ୍ଚିତ ସୂଚନା ନାହିଁ, ତଥାପି ସୁରକ୍ଷା ଦୃଷ୍ଟିରୁ ସତର୍କତା ବଢ଼ାଇ ଦିଆଯାଇଛି। ସେପଟେ ସୁରକ୍ଷା ଏଜେନ୍ସିଗୁଡ଼ିକ ଅଯୋଧ୍ୟାରେ ବୋମା ବିସ୍ଫୋରଣ ନେଇ ଧମକ ମିଳିବା ପରେ ମାମଲାର ତଦନ୍ତ ଆରମ୍ଭ କରି ଦେଇଛନ୍ତି। ସୂଚନା ରହିଛି କି, ଅଯୋଧ୍ୟାରେ ଆତଙ୍କବାଦୀ ଆକ୍ରମଣ ଧମକ ଦେଇଥିବା ଅଭିଯୁକ୍ତ ଯୁବକ ଗୁଜରାଟର ଅହମଦାବାଦର ବୋଲି କୁହାଯାଉଛି।

ବ୍ଲାକ୍‌ କମାଣ୍ଡୋଙ୍କୁ କରାଯାଇଛି ମୁତୟନ

ରିପୋର୍ଟରେ କୁହାଯାଇଛି, ୨ ଡିସେମ୍ବରରେ ଡାଏଲ-୧୧୨ରେ କୌଣସି ଜଣେ ଅଜଣା ବ୍ୟକ୍ତି ଧମକ ଦେଇଥିଲେ। ଆଉ ଏହା ପରେ ପୂରା ଅଯୋଧ୍ୟାରେ ବ୍ଲାକ୍‌ କମାଣ୍ଡୋକୁ ମୁତୟନ କରି ଦିଆଯାଇଛି। ସୂଚନାଥାଉ କି, ଏଥି ପୂର୍ବରୁ ଚଳିତ ବର୍ଷ ଜୁଲାଇରେ ଅଲକାଏଦାର ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା। ଏଟିଏସ୍‌କୁ ଜଣା ପଡ଼ିଥିଲା କି, ଆତଙ୍କବାଦୀମାନେ ଅଯୋଧ୍ୟା ରାମ ମନ୍ଦିରର ନିର୍ମାଣ ସ୍ଥଳ ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି। ଏଥି ସହିତ କାଶୀ ଏବଂ ମଥୁରା ଭଳି ଧାର୍ମିକ ସ୍ଥଳର ନକ୍‌ସା ମଧ୍ୟ ସେମାନଙ୍କ ପାଖରୁ ଜବତ କରାଯାଇଥିଲା। ନକ୍ସାରେ ଅଲଗା ଅଲଗା ବିନ୍ଦୁ ବନାଇ କିଛି ଚିହ୍ନିତ ମଧ୍ୟ କରାଯାଇଥିଲା। ଟେଲିଗ୍ରାମ ଏବଂ ହ୍ଵାଟସ୍‌ଆପ ଜରିଆରେ ଆତଙ୍କବାଦୀମାନେ ଏହି ନେଟ୍‌ଓ୍ଵାର୍କ ଚଲାଇ ଥିଲେ। କିଛି ଚାଟ୍‌ ମଧ୍ୟ ପୋଲିସ ହାତରେ ଲାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.