ମାଗଣା ଯାତ୍ରା ପାଇଁ ମହିଳାଙ୍କୁ ବସରେ ମିଳିବ ‘ଗୋଲାପି ପାସ୍’, ଜାଣନ୍ତୁ କେଉଁ ସରକାରଙ୍କର ଏହି ନିଷ୍ପତ୍ତି

ଡିଟିସି ଏବଂ କ୍ଲଷ୍ଟର ସ୍କିମ୍ ବସଗୁଡ଼ିକରେ ମହିଳାମାନେ ମାଗଣା ଯାତ୍ରା କରିବା ପାଇଁ ଦିଲ୍ଲୀ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାର ମଞ୍ଜୁରୀ ଲାଗି ଆଗାମୀ ସପ୍ତାହରେ ଏହାକୁ କ୍ୟାବିନେଟରେ ଅଣାଯିବ। ସିଙ୍ଗଲ ଜର୍ଣ୍ଣି ପାସ୍ ମାଧ୍ୟମରେ ମହିଳାମାନେ ବସରେ ମାଗଣା ଯାତ୍ରା କରିପାରିବେ। ଏହି ପାସ୍ ଗୋଲାପି ରଙ୍ଗର ହେବ। ତେବେ ପାସଟି ଗୋଟିଏ ଯାତ୍ରା ପାଇଁ ବୈଧ ରହିବ ଏବଂ ଅନ୍ୟ ବସ୍ ବଦଳାଇଲେ କଣ୍ଡକ୍ଟର ଦ୍ବାରା ଆଉ ଏକ ପାସ୍ ମିଳିବ।

ବସରେ ସୁରକ୍ଷା ଲାଗି ମାର୍ଶାଲମାନେ ମୁତୟନ ରହିବେ। ଏଥିପାଇଁ ସେମାନଙ୍କର ଟ୍ରେନିଂ ଆରମ୍ଭ ହୋଇଯାଇଛି। ଏମାନେ ବସରେ ସୁରକ୍ଷା ସହିତ ପାସ୍ ସିଷ୍ଟମ ବିଷୟରେ ମଧ୍ୟ ଯାତ୍ରୀମାନଙ୍କୁ ଅବଗତ କରାଇବେ। ମାର୍ଶାଲ ଏବଂ କଣ୍ଡକ୍ଟର ଉଭୟ ବସରେ ମହିଳା ଯାତ୍ରୀମାନଙ୍କୁ ପାସ୍ ମିଳିଛି କି ନାହିଁ, ତାହା ଯାଞ୍ଚ କରିବେ। ସରକାର ଏହି ମାଗଣା ଯାତ୍ରା ଯୋଜନାରେ ଡିଟିସିକୁ ସବସିଡି ପ୍ରଦାନ କରିବେ। ତେବେ ପାସ୍ ସିଷ୍ଟମରୁ ଏହା ଜଣାପଡ଼ିବ ଯେ ବସରେ ପ୍ରତିଦିନ କେତେ ମହିଳା ଯାତ୍ରୀ ଯାତ୍ରା କରୁଛନ୍ତି।

ଏହାସହ ପଢ଼ନ୍ତୁ: ଭାରତୀୟ ରେଲୱେ: ଏଣିକି ଫିଙ୍ଗର ପ୍ରିଣ୍ଟ ଜରିଆରେ ସହଜରେ ମିଳିବ ଜେନେରାଲ କ୍ଲାସ୍ ଟିକେଟ, ଜାଣନ୍ତୁ ଆଉ କେଉଁ ଟ୍ରେନରେ ଅଛି ଏହି ସୁବିଧା

କ୍ୟାବିନେଟ୍ ମଞ୍ଜୁରୀ ପାଇଁ ସରିଛି ପ୍ରସ୍ତୁତି
ପରିବହନ ମନ୍ତ୍ରୀ କୈଳାଶ ଗେହଲଟ କହିଛନ୍ତି, ଡିଟିସି ଏବଂ କ୍ଲଷ୍ଟର ସ୍କିମ ବସରେ ମହିଳାଙ୍କ ମାଗଣା ଯାତ୍ରା ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଏହାକୁ ଲ’ ଏବଂ ଫାଇନାନ୍ସ ଡିପାର୍ଟମେଣ୍ଟକୁ ପଠାଯାଇଛି। ଏହି ବସଗୁଡ଼ିକରେ ଯାତ୍ରା କରିବାକୁ ଥିବା ମହିଳାଙ୍କୁ ଗୋଲାପି ରଙ୍ଗର ସିଙ୍ଗଲ ଜର୍ଣ୍ଣି ପାସ୍ ଦିଆଯିବ। ସେ ଆହୁରି କହିଥିଲେ ଯେ ମୋଟର ଭେହିକିଲ ଆକ୍ଟ ଅନୁସାରେ ମାଗଣା ଏବଂ ରିହାତି ମୂଲ୍ୟରେ ଯାତ୍ରା ଲାଗି ପାସ୍ ମିଳିବ। ଟିକେଟ କ୍ରୟ ପରେ ପାସ୍ ଦ୍ବାରା ମାଗଣାରେ କିମ୍ବା ରିହାତି ମୂଲ୍ୟରେ ଯାତ୍ରା କରାଯାଇପାରିବ। ସେହି ଅନୁଯାୟୀ ଏହି ବ୍ୟବସ୍ଥା କରାଯାଉଛି।

bus b

ମେଟ୍ରୋ ଏବଂ ସାଧାରଣ ବସରେ ପ୍ରାୟ ୩୦ ପ୍ରତିଶତ ମହିଳା ଯାତ୍ରା କରନ୍ତି
ମେଟ୍ରୋ, ଡିଟିସି ଏବଂ କ୍ଲଷ୍ଟର ସ୍କିମ ବସଗୁଡ଼ିକରେ ମହିଳାଙ୍କ ଲାଗି ମାଗଣା ଯାତ୍ରା ଯୋଜନା ଲାଗୁ ହେବା ଉପରେ ସରକାରଙ୍କୁ ବାର୍ଷିକ ପାଖାପାଖି ୧୪୦୦ରୁ ୧୫୦୦ କୋଟି ଟଙ୍କା ପର‌୍ୟ୍ୟନ୍ତ ଖର୍ଚ୍ଚ ଉଠାଇବାକୁ ପଡ଼ିବ। ଏହି ଖର୍ଚ୍ଚ ସାଧାରଣ ବସ୍ ପାଇଁ ୨୨୫ରୁ ୨୫୦ କୋଟି ଟଙ୍କା ପର‌୍ୟ୍ୟନ୍ତ ରହିବ। ଅନ୍ୟପକ୍ଷରେ ମେଟ୍ରୋ ଏବଂ ସରକାରୀ ବସଗୁଡ଼ିକରେ ଯାତ୍ରା କରିବାକୁ ଥିବା ଯାତ୍ରୀମାନଙ୍କ ମଧ୍ୟରେ ୩୦ ପ୍ରତିଶତ ହେଉଛନ୍ତି ମହିଳା। ସରକାରଙ୍କ କହିବାନୁଯାୟୀ, ଦିଲ୍ଲୀରେ ପବ୍ଲିକ ଟ୍ରାନ୍ସପୋର୍ଟରେ ଯାତ୍ରା କରୁଥିବା ମହିଳାଙ୍କୁ ସୁରକ୍ଷା ଦେବା ଲାଗି ସମସ୍ତ ଜରୁରୀ ବ୍ୟବସ୍ଥା କରାଯାଉଛି। ବସରେ ସିସିଟିଭି ଏବଂ ପାନିକ୍ ବଟନ୍ ଲଗାଇବାର ନିଷ୍ପତ୍ତି ମଧ୍ୟ ନିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.