ମଦ କିଣିଲେ ଦେବେ ଗୋ କର, ବୋତଲ ପିଛା ୧୦ ଟଙ୍କାର ଦେବାକୁ ପଡ଼ିବ : ଏମିତି ନିୟମ ଆଣିଲେ ରାଜ୍ୟ ସରକାର

ମଦ କିଣୁଥିଲେ ସାବଧାନ । ଏବେ ମଦ ବୋତଲ ପିଛା ୧୦ ଟଙ୍କାର ଗୋ କର ଦେବାକୁ ପଡିବ । ହିମାଚଳ ପ୍ରଦେଶ ସରକାର ଆଣିଲେ ନୂଆ ନିୟମ । ରାଜ୍ୟ ବଜେଟ ଉପସ୍ଥାପନ କରିବା ବେଳେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

ମଦ ଉପରେ ଲାଗିଛି ଗୋ-କର ବା କାଓ ସେସ। ଯଦି କେହି ମଦ କିଣନ୍ତି, ତା’ହେଲେ ତାଙ୍କୁ ବାଧ୍ୟତାମୂଳକ ଭାବେ ବୋତଲ ପିଛା ୧୦ ଟଙ୍କାର ଗୋ-କର ଦେବାକୁ ପଡ଼ିବ। ହିମାଚଳ ପ୍ରଦେଶ ସରକାର ଏପରି ନିୟମ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ନିଜ ସରକାର ପ୍ରଥମ ବଜେଟ ବେଳେ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଏହି ନୂଆ ସେସ୍ ଲାଗୁ ହେବା ଦ୍ୱାରା ରାଜ୍ୟ ସରକାରଙ୍କୁ ପ୍ରତିବର୍ଷ ଅତିରିକ୍ତ ୧୦୦ କୋଟି ଟଙ୍କାର ରାଜସ୍ୱ ମିଳିବ ବୋଲି କହିଛନ୍ତି।

ପଞ୍ଜାବ, ହରିଆଣା, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ସରକାର ପୂର୍ବରୁ ଗୋ କର କିମ୍ବା ଗୋ କଲ୍ୟାଣ ସେସ ନାଁରେ ଟିକସ ଆଦାୟ କରୁଛନ୍ତି। ଏହି ସେସ୍ ପରିମାଣ ବିଭିନ୍ନ ରାଜ୍ୟରେ ଭିନ୍ନ ରହିଛି। ଗୋ-କର ସାଧାରଣତଃ ଲକ୍ସୁରୀ ଆଇଟମ ଯଥା ମଦ ବୋତଲ, କାର ଓ ବାଇକ ଭଳି ସାମଗ୍ରୀ ଉପରେ ଲାଗୁ କରାଯାଉଛି। ଏଥିରୁ ମିଳୁଥିବା ଅର୍ଥକୁ ଗାଈଙ୍କ ସୁରକ୍ଷା, ବୁଲା ପଶୁମାନଙ୍କ ଯତ୍ନ ଓ ଗୋ-ଶାଳା ତିଆରି ଆଦିରେ ଖର୍ଚ୍ଚ କରାଯାଉଥିବା ସରକାରମାନେ କହୁଛନ୍ତି।

ରିପୋର୍ଟ ଅନୁସାରେ ରାଜସ୍ଥାନ ସରକାର ୩ ବର୍ଷ ମଧ୍ୟରେ ଗୋ-କରରୁ ମୋଟ ୨,୧୭୬ କୋଟି ଟଙ୍କା ପାଇଛନ୍ତି। ପଞ୍ଜାବ ପ୍ରଥମ ରାଜ୍ୟ ଭାବେ ଏପରି ଏକ ଟିକସ ବ୍ୟବସ୍ଥା ଲାଗୁ କରିଥିଲା। ସମସ୍ତ ବିଦେଶୀ ମଦ ଉପରେ ବୋତଲ ପିଛା ୧୦ ଟଙ୍କା ଓ ପଞ୍ଜାବରେ ନିର୍ମିତ ମଦ ଉପରେ ବୋତଲ ପିଛା ୫ ଟଙ୍କାର ଟିକସ ଲାଗୁ କରାଯାଇଥିଲା।

ବଜେଟ ଉପସ୍ଥାପନ କରିବା ବେଳେ ସୁଖୁ କହିଛନ୍ତି, ୧୦୦୦ କୋଟି ଟଙ୍କା ବ୍ୟୟରେ ୧,୫୦୦ ଡିଜେଲ ବସ୍‌ ବଦଳାଯିବ । ହିମାଚଳ ପ୍ରଦେଶ ଏହାର ସାଧାରଣ ପରିବହନ ବ୍ୟବସ୍ଥାରେ ଇଲେକ୍ଟ୍ରିକ ଯାନ ଗ୍ରହଣ କରିବାରେ ଏକ ଆଦର୍ଶ ରାଜ୍ୟ ହେବ । ଏଥିସହ ସେ ରାଜ୍ୟ ସରକାରୀ ବିଦ୍ୟାଳୟରେ ପଢୁଥିବା ୨୦ ହଜାର ବାଳିକାଙ୍କ ପାଇଁ ଇଲେକ୍ଟ୍ରିକ ସ୍କୁଟି କିଣିବା ପାଇଁ ୨୫ ହଜାର ଟଙ୍କା ସବସିଡି ଘୋଷଣା କରିଛନ୍ତି। ସରକାର ସମସ୍ତ ସରକାରୀ ବିଦ୍ୟାଳୟକୁ ୪୦ ହଜାର ଡେସ୍କ ମଧ୍ୟ ପ୍ରଦାନ କରିବେ। ଏହାଛଡା ଜିଲ୍ଲା ଶକ୍ତି ବିଭାଗରେ ପାଖାପାଖ ୫ ହଜାର ନୂଆ ନିଯୁକ୍ତି ଦିଆଯିବ ବୋଲି ବଜେଟରେ ଉପସ୍ଥାପନା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.