ଟ୍ରକ୍ରେ ବାଜିଲା ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର, ଜୀବନ୍ତ ଜଳିଗଲେ ହେଲ୍ପର; ୧୦ ଫୁଟ ଦୂରରେ ପଡ଼ିଲେ ଡ୍ରାଇଭର
ଲକ୍ଷ୍ନୌରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରକ୍ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗାଡ଼ିର ହେଲପର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ଲକ୍ଷ୍ନୌରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । ଏଠାରେ ଏକ ଟ୍ରକ୍ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗାଡ଼ିର ହେଲପର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ବିଦ୍ୟୁତ ଆଘାତ ଯୋଗୁ ଡ୍ରାଇଭର ୧୦ ଫୁଟ ଦୂରରେ ଛିଟିକି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।
ସୂଚନା ମୁତାବକ, ରାଜସ୍ଥାନର ଭିଲୱାଡ଼ା ନିବାସୀ ରାକେଶ ଟ୍ରକ ଚଲାଇ ଲକ୍ଷ୍ନୌର ବିକେଟି ଥାନା ଅଞ୍ଚଳକୁ ଆସିଥିଲେ । ତାଙ୍କ ସହ ହେଲପର ଭବାନୀ ଥିଲେ । ଗତକାଲି ରାତିରେ ରାକେଶ ଗାଡ଼ି ଧରି କୁମହରାୱାନ୍ ରାସ୍ତାରେ ଯାଉଥିଲେ । ଏକ ଛକ ନିକଟରେ କିଛି ସାମଗ୍ରୀ କିଣିବା ପାଇଁ ସେ ଟ୍ରକକୁ ରାସ୍ତା କଡ଼ରେ ଛିଡ଼ା କରାଇଥିଲେ । ଏତିକି ବେଳେ ଉପର ଦେଇ ଯାଇଥିବା ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ୍ ତାର ଟ୍ରକର ଛାତକୁ ଛୁଇଁ ଯାଇଥିଲା ।
ଫଳରେ ସମ୍ପୂର୍ଣ୍ଣ ଟ୍ରକ୍ରେ କରେଣ୍ଟ ବ୍ୟାପିଯାଇଥିଲା । କିଛି ସେକେଣ୍ଡ ମଧ୍ୟରେ ଗାଡ଼ିର ହେଲପର ଜିଅନ୍ତା ଜଳିଯାଇଥିଲେ । ସେପଟେ ବିଦ୍ୟୁତ ଆଘାତ ଯୋଗୁ ଡ୍ରାଇଭର ଟ୍ରକରୁ ୧୦ ଫୁଟ ଦୂରରେ ଛିଟିକି ପଡ଼ିଥିଲେ । ଏହି ଘଟଣାରେ ସେ ଗୁରୁତର ଆହତ ହୋଇଛନ୍ତି ।
ଆଖପାଖରେ ଉପସ୍ଥିତ ଲୋକେ ଏ ନେଇ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ହେଲପରଙ୍କ ମୃତଦେହକୁ ଟ୍ରକରୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।