ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବାହାଘରକୁ ଯାଉଥିବା ବେଳେ ନଦୀକୁ ଓଲଟିଲା ମିନି ଟ୍ରକ, ୧୨ ମୃତ ଓ ୩୦ରୁ ଅଧିକ ଆହତ

ବାହାଘରରେ ଯୋଗ ଦେବା ପାଇଁ ଖୁସିରେ ଯାଉଥିଲେ । ହେଲେ ବାଟରେ ଜଗିଥିଲା ଯମ । ନଦୀରେ ମିନିଟ୍ରକ ଓଲଟିବାରୁ ୧୨ ମୃତ। ୩୦ରୁ ଅଧିକ ଆହତ । ମଧ୍ୟପ୍ରଦେଶ ଦାତିୟାରେ ଘଟିଛି ଏଭଳି ଘଟଣା ।

ମଧ୍ୟପ୍ରଦେଶର ଦାତିୟା ଦୁରସଡା ଥାନା ଅନ୍ତର୍ଗତ ବୁହାରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣ ମୃତ୍ୟୁ ଘଟିଛି । ୩୬ ଜଣରୁ ଅଧିକ ଆହତ ହୋଇଛନ୍ତି । ତେବେ ମିନି ଟ୍ରକଟି ନଦୀରେ ଖସିପଡିବାରୁ ଏଭଳି ଦୁର୍ଘଟଣା ଘଟିଛି।

ଖବର ମୁତାବକ, ମିନି ଟ୍ରକରେ ଥିବା ଲୋକେ ଗ୍ଵାଲିୟରରେ ଥିବା ବିଲହେଟୀ ଗାଁରୁ ଟିକମଗଢର ଜତାରା ଏକ ବିବାହ ସମାରୋହରେ ଯୋଗ ଦେବାକୁ ଯାଉଥିଲେ । ଟ୍ରକଟି ବୁହାରା ଗାଁ ନିକଟରେ ନିର୍ମାଣାଧୀନ ବ୍ରିଜ ପାଖରେ ଗାଡି ଓଲଟିବା ଯୋଗୁଁ ଏଭଳି ଘଟିଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଦତିୟା ଏସପି ପ୍ରଦୀପ ଶର୍ମା ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି ।

ଏହି ଘଟଣାରେ ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି । ପୀଡିତଙ୍କୁ ସବୁ ପ୍ରକାରର ଚିକିତ୍ସା ଯୋଗାଇବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ଵାନ ମୃତକଙ୍କୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.