ଅମୃତସର ସ୍ୱର୍ଣ୍ଣ ମନ୍ଦିର ନିକଟରେ ଦୁଇଟି ବିସ୍ଫୋରଣ, ଘଟଣାସ୍ଥଳରୁ ମିଳିଲା ସନ୍ଦିଗ୍ଧ ଜିନିଷ

ସ୍ୱର୍ଣ୍ଣ ମନ୍ଦିର ନିକଟରେ ଦୁଇ ଦୁଇଟି ବିସ୍ଫୋରଣ । ୩୬ ଘଣ୍ଟା ମଧ୍ୟରେ ଦୁଇଟି ବିସ୍ଫୋରଣ ହୋଇଥିବା ଖବର ମିଳିଛି । ଘଟଣା ସ୍ଥଳରୁ କିଛି ସନ୍ଦିଗ୍ଧ ଜିନିଷ ମିଳିଥିବା ବେଳେ ଫରେନ୍ସିକ ଟିମ୍‌ ଯାଞ୍ଚ କରୁଛି ।

ପଞ୍ଜାବ ଅମୃତସରର ସ୍ବର୍ଣ୍ଣମନ୍ଦିର ନିକଟ ହେରିଟେଜ୍ ଷ୍ଟ୍ରିଟରେ ସୋମବାର ସକାଳେ ପୁଣି ବିସ୍ଫୋରଣ ହୋଇଛି । ୩୬ ଘଣ୍ଟା ମଧ୍ୟରେ ଏହା ଦ୍ୱିତୀୟ ବିସ୍ଫୋରଣ ବୋଲି ଖବର ମିଳିଛି । ଶନିବାର ରାତି ୧୨ଟାରେ ସାରାଗଢି ପାର୍କିଂ ନିକଟରେ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଜଣେ ଆହତ ମଧ୍ୟ ହୋଇଥିଲେ । କିଛି ରେଷ୍ଟୁରାଣ୍ଟର କାଚ ଭାଙ୍ଗିଯାଇଥିଲା । ଘଟଣା ସ୍ଥଳରୁ କିଛି ସନ୍ଦିଗ୍ଧ ଜିନିଷ ମଧ୍ୟ ପୋଲିସ ଜବତ କରିଛି। ଫରେନ୍ସିକ ଟିମ୍‌ ଘଟଣାସ୍ଥଳରେ ଯାଞ୍ଚ କରୁଛି ।

ଖବର ମୁତାବକ, ଆଜି ସକାଳ ପ୍ରାୟ ୬.୩୦ରେ ଦ୍ବିତୀୟ ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ପୋଲିସ କମିସନର୍ ଓ ଫୋରେନ୍ସିକ୍ ଟିମ୍ ସମେତ ପଞ୍ଜାବ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆଜି ସକାଳେ ହୋଇଥିବା ବିସ୍ଫୋରଣରେ କେହି ଆହତ ହୋଇ ନାହାନ୍ତି କି, କିଛି ନଷ୍ଟ ହୋଇନାହିଁ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଦେଖାଦେଇଛି । ପୋଲିସ ଶାନ୍ତି ରଖିବା ପାଇଁ ଆଡଭାଇଜରୀ ଜାରି କରିଛି । ଲୋକ ସୋସିଆଲ ମିଡିଆରେ କିଛି ପୋଷ୍ଟ କରିବା ପୂର୍ବରୁ ତଥ୍ୟ ଯାଞ୍ଚ କରିବାକୁ ପୋଲିସ ଅନୁରୋଧ କରିଛି ।

ହେରିଟେଜ୍ ଷ୍ଟ୍ରିଟ୍ ପାର୍କିଂ ସ୍ଥଳରୁ ଖଣ୍ଡେ ସୂତାରେ କୌଣସି ଅଜ୍ଞାତ ବ୍ୟକ୍ତି ବିସ୍ଫୋରକ ସାମଗ୍ରୀ ଖଞ୍ଜି ବିସ୍ଫୋରଣ କରିଥିବା ପୋଲିସ କହିଛି ।

ସୂଚନାଯୋଗ୍ୟ, ଶନିବାର ରାତିରେ ସ୍ବର୍ଣ୍ଣମନ୍ଦିର ନିକଟ ହେରିଟେଜ୍ ଷ୍ଟ୍ରିଟରେ ବିସ୍ଫୋଣ ଘଟି ଜଣେ ବ୍ୟକ୍ତି ଆହତ ହେବା ପରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଯାଇଥିଲେ। ଶନିବାର ହୋଇଥିବା ବିସ୍ଫୋରଣ ବିଷୟରେ ଅନୁଧ୍ୟାନ କରୁଛି ପୋଲିସ । ପୋଲିସକୁ ଏପର୍ଯ୍ୟନ୍ତ କୌଣସି ସଠିକ ପ୍ରମାଣ ମିଳିନି । ଚଣ୍ଡୀଗଡ ଫରେନ୍ସିକ ଟିମ ବିସ୍ଫୋରଣ ପଛର କାରଣ ଖୋଜୁଛି । ଶନିବାର ଘଟଣା ଘଟିବା ସମୟରେ ଶ୍ରଦ୍ଧାଳୁଏବଂ ପର୍ଯ୍ୟଟକ ରାସ୍ତାରେ ବୁଲୁଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.