କହ୍ନୈୟାଙ୍କୁ ହତ୍ୟା ପରେ ରାଜସ୍ଥାନରେ ୧୪୪ ଧାରା ଲାଗୁ, ପାକିସ୍ତାନ ସମ୍ପୃକ୍ତି ନେଇ ତଦନ୍ତ କରିବ NIA

ଉଦୟପୁର: ରାଜସ୍ଥାନର ଉଦୟପୁର ସହରରେ ମଙ୍ଗଳବାର ଦିନ ଦ୍ୱିପ୍ରହରରେ ୨ ଜଣ ଲୋକ କହ୍ନୈୟାଲାଲ ନାମକ ଜଣେ ବ୍ୟକ୍ତିଙ୍କୁ ଗଳା କାଟି ହତ୍ୟା କରିବା ପରେ ଏବେ ସେଠାରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। କହ୍ନୈୟାଙ୍କ ୮ ବର୍ଷର ପୁଅ ନୁପୂର ଶର୍ମାଙ୍କ ସମର୍ଥନରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାରୁ ଏହାର ପରିଣାମ ସ୍ୱରୂପ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି।

ଉଦୟପୁରର ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜସ୍ଥାନ ସରକାର ଏବେ ପ୍ରଶ୍ନ ଘେରରେ। ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସରକାରଙ୍କ ପକ୍ଷରୁ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରାଯାଇଛି। ୪ ଜଣ ବରିଷ୍ଠ ପୋଲିସ ଅଫିସର ଏହି ଟିମ୍‌ରେ ଅଛନ୍ତି। ଏସ୍‌ଓଜି ଏଡିଜି ଅଶୋକ ରାଠୋର, ଏଟିଏସ୍‌ର ଆଇଜି ପ୍ରଫୁଲ୍ଲ କୁମାର, ଜଣେ ଏସ୍‌ପି ଓ ଜଣେ ଆଡିସନାଲ ଏସ୍‌ପି ତଦନ୍ତରେ ସାମିଲ ଅଛନ୍ତି।

ପାକିସ୍ତାନର ସମ୍ପୃକ୍ତିର ତଦନ୍ତ କରିବ ଏନ୍‌ଆଇଏ:

ସୂଚନା ମୁତାବକ, ଏହି ମାମଲାର ତଦନ୍ତ ପାଇଁ ଏନ୍‌ଆଇଏର ଟିମ୍‌କୁ ମଧ୍ୟ ରାଜସ୍ଥାନ ପଠାଯାଇଛି। କୁହାଯାଉଛି ଯେ ଏନ୍‌ଆଇଏର ୪ ଜଣିଆ ଟିମ୍‌ ଏହି ହତ୍ୟାକାଣ୍ଡରେ କୌଣସି ଇସ୍‌ଲାମିକ୍‌ ସଂଗଠନର ସମ୍ପୃକ୍ତି ଅଛି କି ନାହିଁ ତାହାର ତଦନ୍ତ କରିବ। ଖାସ୍‌ କରି ପାକିସ୍ତାନର କନେକସନ୍‌ ଅଛି କି ନାହିଁ, ତାହାର ତଦନ୍ତ କରିବ ଏହି ଟିମ୍‌। ଅନ୍ୟପଟେ ବିଜେପି ପକ୍ଷରୁ ଆଜି ରାଜସ୍ଥାନ ବନ୍ଦ ଡାକରା ଦିଆଯାଇଛି।

ସୂଚନାଯୋଗ୍ୟ ଯେ ଏହି ଘଟଣା ପରେ ପୂରା ଉଦୟପୁର ସହରରେ ସ୍ଥିତି ଉଦ୍‌ବେଗଜନକ ରହିଛି। ଶତାଧିକ ଲୋକ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଣୁ ଉଦୟପୁରରେ ପ୍ଲାଟୁନ୍‌ ପ୍ଲାଟୁନ୍‌ ପୋଲିସ ମୁତୟନ କରାଯାଇଛି। ପୂରା ରାଜସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି। ସେହିପରି ଇଣ୍ଟରନେଟ୍‌ ସେବା ମଧ୍ୟ ୨୪ ଘଣ୍ଟା ପାଇଁ ବନ୍ଦ କରି ଦିଆଯାଇଛି।

Also Read: କେତେ ଅଛି ସୁନା ଓ ରୁପା ଦାମ୍, ଜାଣନ୍ତୁ ଆଜିର ଅପଡେଟ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.