ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଲିଜ୍‌ ଟ୍ରସ୍‌ଙ୍କ ଇସ୍ତଫା; ମାତ୍ର ୪୫ ଦିନରେ ଛାଡ଼ିବାକୁ ପଡ଼ିଲା ଗାଦି

ଲିଜ୍‌ ଟ୍ରସ୍‌ଙ୍କ ଇସ୍ତଫା। ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଲିଜ୍‌ ଟ୍ରସ୍‌ ଇସ୍ତଫା ଦେଇଛନ୍ତି। ତାଙ୍କ କାର୍ଯ୍ୟକାଳ ମାତ୍ର ୪୫ ଦିନର ରହିଛି। ଅନେକ ଦିନରୁ ଅନୁମାନ କରାଯାଉଥିଲା କି, ସେ ଇସ୍ତଫା ଦେଇ ପାରନ୍ତି। ଆଉ ଏବେ ସେ ନିଷ୍ପତ୍ତି ନେଇ ସାରିଛନ୍ତି। ଇସ୍ତଫା ପରେ ଲିଜ୍‌ ଟ୍ରସ୍‌ ନିଜ ତରଫରୁ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

ସେ କହିଛନ୍ତି କି, ‘ବର୍ତ୍ତମାନ ସ୍ଥିତିକୁ ନଜରରେ ରଖି ମୋତେ ଲାଗୁଛି ଯେ ମୁଁ ସେହି ପ୍ରତିଶ୍ରୁତି ଗୁଡ଼ିକୁ ପୂରଣ କରି ପାରିଲି ନାହିଁ, ଯାହାଙ୍କ ପାଇଁ ମୁଁ ଲଢ଼ିଥିଲି। ମୁଁ ସୂଚନା ଦେଉଛି କି, ଏବେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି’। କହି ରଖୁଛୁ, ଲିଜ୍‌ ଟ୍ରସ୍‌ ୬ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେ ବ୍ରିଟେନ ଇତିହାସରେ ସବୁ ଠାରୁ କମ୍ କାର୍ଯ୍ୟକାଳର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହା ପୂର୍ବରୁ ଟୋରୀ ପାର୍ଟିର ଜର୍ଜ କ୍ୟାନିଙ୍ଗ ୧୮୨୭ ମସିହାରେ ମାତ୍ର ୧୧୯ ଦିନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ।

ଲିଜ୍ ଟ୍ରସ୍ କହିଛନ୍ତି ଯେ ସେ ୟୁକେର ପ୍ରଧାନମନ୍ତ୍ରୀ ରୂପେ ଇସ୍ତଫା ଦେଉଛନ୍ତି। ତାଙ୍କ ଆର୍ଥିକ କାର୍ଯ୍ୟକ୍ରମକୁ ସ୍ୱୀକାର କରାଯାଇ ନ ଥିଲା, ଯାହା ଫଳରେ ବଜାର ଗୁଡିକ ହ୍ରାସ ପାଇଥିଲା ଏବଂ ଏହା ତାଙ୍କ କଞ୍ଜର୍ଭେଟିଭ୍‌ ପାର୍ଟିକୁ ମଧ୍ୟ ବିଭାଜିତ କରି ଦେଇଥିଲା। ଲିଜ୍ ଟ୍ରସ୍ କହିଛନ୍ତି, ଯେ ପର୍ଯ୍ୟନ୍ତ ଉତ୍ତରାଧିକାରୀ ଚୟନ ହୋଇ ନାହାନ୍ତି, ସେ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦରେ ରହିବେ।

ନିଜର ଇସ୍ତଫା ଭାଷଣରେ ଲିଜ୍‌ ଟ୍ରସ୍‌ କହିଛନ୍ତି, ଦେଶରେ ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ସେ ଶାସନ ଭାର ସମ୍ଭାଳି ଥିଲେ। ପରିବାର ଓ ବ୍ୟବସାୟରେ ବିଲ ପଇଠ ନେଇ ଚିନ୍ତା ବଢିଥିଲା। ୟୁକ୍ରେନ ଯୁଦ୍ଧ ମଧ୍ୟରେ ଦେଶରେ ସୁରକ୍ଷା ନେଇ ବିପଦ ସୃଷ୍ଟି ହୋଇଥିଲା। ଅର୍ଥନୈତିକ ସଙ୍କଟ ସୁଧାରିବାକୁ ଦୁଇଟି ନିୟମ ପରିବର୍ତ୍ତନ କରିବାକୁ ପ୍ରତିଶ୍ରୁତି ଦେଇଥିଲି। ସର୍ବାଧିକ ଭୋଟ ସହ ମୁଁ କଞ୍ଜର୍ଭେଟିଭ ପାର୍ଟିର ନେତା ଭାବେ ନିର୍ବାଚିତ ହୋଇଥିଲି। ବିଜୁଳି ବିଲ ହ୍ରାସ ଏବଂ ଜାତୀୟ ବୀମା ଅର୍ଥକୁ କମାଇ ଥିଲୁ। କମ୍ ଟିକସ ଓ ଉଚ୍ଚ ଅର୍ଥନୀତି ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି ଥିଲୁ। ଏହା ସହ ବ୍ରେକ୍ସିଟର ସୁବିଧା ମଧ୍ୟ ନେଇଥିଲୁ। କିନ୍ତୁ ମୁଁ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ପ୍ରଦର୍ଶନ କରି ପାରିନି। ଆଜି ସକାଳେ ୧୯୨୦ କମିଟିର ଚେୟାରମ୍ୟାନଙ୍କୁ ସାକ୍ଷାତ କରିଥିଲି। ଆସନ୍ତା ସପ୍ତାହକ ମଧ୍ୟରେ କଞ୍ଜର୍ଭେଟିଭ ପାର୍ଟିର ନୂଆ ନେତା ଚୟନ ପାଇଁ ଆଲୋଚନା ହୋଇଥିଲା। ଦେଶର ଅର୍ଥନୈତିକ ସ୍ଥିରତା ଓ ସୁରକ୍ଷା ନେଇ କଞ୍ଜର୍ଭେଟିଭ ପାର୍ଟି ପ୍ରତିଶ୍ରୁତି ବଦ୍ଧ ରହିଛି। ପରବର୍ତ୍ତୀ ନେତା ଚୟନ ହେବା ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିବେ ବୋଲି କହିଛନ୍ତି ଲିଜ୍ ଟ୍ରସ୍।

ଦେଶରେ ଅର୍ଥନୀତିରେ ଅସ୍ଥିରତା ନେଇ ପୂର୍ବରୁ ସରକାରରୁ ଅର୍ଥମନ୍ତ୍ରୀଙ୍କୁ ବିଦା କରାଯାଇଥିଲା ଏବଂ ଗତକାଲି ଗୃହମନ୍ତ୍ରୀ ସୁଇଲା ବ୍ରେଭରମ୍ୟାନ ପଦରୁ ଇସ୍ତଫା ଦେଇଥିଲେ। ଆଜି ପ୍ରଧାନମନ୍ତ୍ରୀ ଇସ୍ତଫା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.