ଫରିଦାବାଦ: ବିଟୁ ବଜରଙ୍ଗୀଙ୍କ ସାନଭାଇଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ, ହସ୍ପିଟାଲରେ ଚାଲିଛି ଚିକିତ୍ସା

ହରିୟାଣାର ଫରିଦାବାଦରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗତ ରାତିରେ ଗୋ ରକ୍ଷକ ତଥା ବଜରଙ୍ଗ ଫୋର୍ସର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଟୁ ବଜରଙ୍ଗୀଙ୍କ ସାନଭାଇଙ୍କୁ ଦୁର୍ବୃତ୍ତମାନେ ଜିଅନ୍ତା ଜାଳି ଦେଇଛନ୍ତି।

ହରିୟାଣାର ଫରିଦାବାଦରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗତ ରାତିରେ ଗୋ ରକ୍ଷକ ତଥା ବଜରଙ୍ଗ ଫୋର୍ସର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଟୁ ବଜରଙ୍ଗୀଙ୍କ ସାନଭାଇଙ୍କୁ ଦୁର୍ବୃତ୍ତମାନେ ଜିଅନ୍ତା ଜାଳି ଦେଇଛନ୍ତି। ପାଖାପାଖି ୧୨ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଛନ୍ତି। ବିଟୁ ବଜରଙ୍ଗୀଙ୍କ ସାନଭାଇ ମହେଶଙ୍କୁ ସେମାନେ ନିଆଁ ଲଗାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ଏହି ମାମଲାରେ ବିଟୁ କହିଛନ୍ତି ଯେ ରାତି ପାଖାପାଖି ସାଢ଼େ ୧ଟା ସମୟରେ ତାଙ୍କ ଭାଇ ଘରକୁ ଆସିଥିଲେ। ସେ କବାଟ ବାଡ଼େଇ ନିଜ ପତ୍ନୀଙ୍କୁ ଜୋର୍‌ରେ ଡାକ ପକାଇଥିଲେ। ଜଲ୍‌ଦି କବାଟ ଖୋଲ, କେହି ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିବା ସେ ବଡ଼ ପାଟିରେ କହିଥିଲେ। ପାଟି ଶୁଣି ତାଙ୍କ ପତ୍ନୀ କବାଟ ଖୋଲିବାରୁ ମହେଶ ଅତି ଗୁରୁତର ଭାବେ ଜଳିଯାଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ଏକ ଅଟୋରେ ସଙ୍ଗେ ସଙ୍ଗେ ମହେଶଙ୍କୁ ହସ୍ପିଟାଲ ନେଇଯାଇଥିଲେ।

ସେଠାରେ ଡାକ୍ତରମାନେ ୬୦% ଜଳିଯାଇଥିବା କହି ପ୍ରାଥମିକ ଉପଚାର ପାଇଁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ରେଫର୍‌ କରି ଦେଇଥିଲେ। କିନ୍ତୁ ବିଟୁ ତାଙ୍କ ଭାଇଙ୍କୁ ଫରିଦାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି, ଯେଉଁଠି ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି। ବିଟୁ କହିଛନ୍ତି କି, ପୋଲିସରେ ମାମଲା ରୁଜୁ ହୋଇଛି। ଦୁର୍ବୃତ୍ତମାନଙ୍କ ମଧ୍ୟରୁ ଜଣଙ୍କୁ ମୁଁ ଚିହ୍ନିଛି। ଯଦି ପୋଲିସ ଠିକ୍‌ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ, ତେବେ ମୁଁ ନିଜ ଢଙ୍ଗରେ ଆକ୍ସନ ନେବି। ଦୋଷୀମାନଙ୍କୁ କୌଣସି ବି ପରିସ୍ଥିତିରେ ଛଡ଼ାଯିବ ନାହିଁ।

ସୂଚନାଥାଉ କି, ବିଟୁ ବଜରଙ୍ଗୀ ନୁହରେ ହୋଇଥିବା ସାମ୍ପ୍ରଦାୟିକ ହିଂସାକାଣ୍ଡରେ ସାମିଲ ଥିଲେ। ଏଥିପାଇଁ ତାଙ୍କୁ ଗିରଫ କରାଯାଇଥିଲା। ନିକଟରେ ତାଙ୍କୁ ଜାମିନ୍‌ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.