UPPSCରେ ଆସିଲା ଏମିତି ପ୍ରଶ୍ନ, ସାଂସଦ ଆଜମ୍ ଖାନ୍ଙ୍କ ଉପରେ ଲାଗିଛି କେତେ ଛେଳି ଚୋରିର ଅଭିଯୋଗ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ରାମପୁରର ସପା ସାଂସଦ ଆଜମ୍ ଖାନ୍ ଏବେ କେବଳ ବିଜେପି ସରକାରଙ୍କ ନୁହେଁ ବରଂ ଉତ୍ତର ପ୍ରଦେଶ ଲୋକସେବା ଆୟୋଗ (UPPSC)ଙ୍କ ନଜରକୁ ମଧ୍ୟ ଆସିଛନ୍ତି। ପିସିଏସ୍ର ପରୀକ୍ଷାର୍ଥୀଙ୍କ ସାକ୍ଷାତକାର ସୋମବାରଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିନରେ ପରୀକ୍ଷାର୍ଥୀଙ୍କୁ ଅନ୍ୟ ପ୍ରଶ୍ନ ସହ ଆଜମ ଖାନ୍ଙ୍କ ନାଁରେ କେତୋଟି ଛେଳି ଚୋରି କରିଥିବାର ଅଭିଯୋଗ ଲାଗିଥିବା ନେଇ ପ୍ରଶ୍ନ କରାଯାଇଥିଲା। ଏହି ପ୍ରଶ୍ନ ଶୁଣି ପରୀକ୍ଷାର୍ଥୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ପରୀକ୍ଷାରେ ଏଭଳି ଅନେକ ଅଜବ ପ୍ରଶ୍ନ ପଚରାଯାଇଥିବା ଜଣାଯାଇଛି।
ପରୀକ୍ଷାର୍ଥୀଙ୍କୁ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ, ଆମେରିକା-ଚୀନ ମଧ୍ୟରେ ଚାଲିଥିବା ଟ୍ରେଡ ଯୁଦ୍ଧର ପ୍ରଭାବ ଭାରତ ଉପରେ କିପରି ପଡ଼ିବ, ବିଆର୍ଆଇ କ’ଣ, ମିଶନ ଶକ୍ତି କ’ଣ ଆଦି ପ୍ରଶ୍ନ କରାଯାଇଥିଲା।
ଏହାସହ ପଢ଼ନ୍ତୁ: ପିଏଫ୍ ଖାତାଧାରୀଙ୍କ ପାଇଁ ଖୁସିଖବର, ୨୦୧୮-୧୯ ଲାଗି ମିଳିବ ୮.୬୫ ପ୍ରତିଶତ ସୁଧ
ଆଜମ୍ ଖାନ୍ଙ୍କ ମାମଲା କ’ଣ?
ସପା ନେତା ଆଜମ ଖାନ୍ଙ୍କ ବିରୋଧରେ ରାମପୁର ପୁଲିସ ଛେଳି ଓ ବାଛୁରୀ ଚୋରି କରିଥିବା ନେଇ ମାମଲା ରୁଜୁ କରିଛି। ଅଭିଯୋଗ ମୁତାବକ, ୧୫ ଅକ୍ଟୋବର ୨୦୧୬ରେ ଆଜମ୍ ୭ ଜଣ ସାଙ୍ଗ ଓ ୨୫ ଜଣ ଅଜଣା ଲୋକଙ୍କ ସହ ରାମପୁରର ନସୀମା ଖାତୁନ୍ ନାମ୍ନୀ ମହିଳାଙ୍କ ଘରେ ପଶି ୩ଟି ମଇଁଷି, ଗୋଟିଏ ବାଛୁରୀ ଓ ୪ଟି ଛେଳି ନେଇ ଚାଲିଯାଇଥିଲେ। ଏ ନେଇ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ। ତେବେ କେବଳ ଏତିକି ନୁହେଁ ଆଜମ୍ ମହିଳାଙ୍କ ପାଉଁଜି ଓ କାନ ଫୁଲ ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି।