ଦଙ୍ଗା ସୃଷ୍ଟିକାରୀଙ୍କୁ ଦେବାକୁ ପଡ଼ିବ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ମୂଲ୍ୟ…, ଉତ୍ତରାଖଣ୍ଡରେ ବି ଲାଗୁ ହେବ ସିଏମ୍‌ ଯୋଗୀଙ୍କ ଫର୍ମୂଲା

ବଜେଟ୍ ଅଧିବେଶନରେ ସରକାର 'ଉତ୍ତରାଖଣ୍ଡ ସାର୍ବଜନିକ ଏବଂ ବ୍ୟକ୍ତିଗତ ସମ୍ପତ୍ତି କ୍ଷତି ପୁନରୁଦ୍ଧାର ବିଲ୍' ଉପସ୍ଥାପନ କରିପାରନ୍ତି । ଏହି ପ୍ରସ୍ତାବିତ ବିଲ୍ ହଲଦ୍ୱାନୀ ହିଂସାର ଫଳାଫଳ, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ ।

ଉତ୍ତରାଖଣ୍ଡର ଭନଭୁଲପୁରାରେ ହୋଇଥିବା ହିଂସା ପରେ ରାଜ୍ୟ ସରକାର ସାର୍ବଜନିକ ଏବଂ ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ ପ୍ରସଙ୍ଗରେ ଗମ୍ଭୀର ହୋଇଉଠିଛନ୍ତି । ରାଜ୍ୟର ପୁଷ୍କର ସିଂ ଧାମି ସରକାର ଏବେ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ଫର୍ମୂଲା ଆପଣାଇବାକୁ ପ୍ରସ୍ତୁତି ଚଳାଇଛନ୍ତି । ଫେବୃୟାରୀ ୨୬ରୁ ଆରମ୍ଭ ହୋଇଥିବା ବଜେଟ୍ ଅଧିବେଶନରେ ସରକାର ‘ଉତ୍ତରାଖଣ୍ଡ ସାର୍ବଜନିକ ଏବଂ ବ୍ୟକ୍ତିଗତ ସମ୍ପତ୍ତି କ୍ଷତି ପୁନରୁଦ୍ଧାର ବିଲ୍’ ଉପସ୍ଥାପନ କରି ପାରନ୍ତି ।

ବିଲ୍‌ର ଉଦ୍ଦେଶ୍ୟ ହେଉଛି, ବିରୋଧ ପ୍ରଦର୍ଶନ, ଦଙ୍ଗା ଏବଂ ଧର୍ମଘଟ କରୁଥିବା ଲୋକଙ୍କ ଯୋଗୁ ସର୍ବସାଧାରଣ ସମ୍ପତ୍ତିକୁ ହୋଇଥିବା କ୍ଷତିର ପୁନରୁଦ୍ଧାର କରିବା । ସୂତ୍ରରୁ ଜଣାପଡ଼ିଛି, ଏହି ପ୍ରସ୍ତାବିତ ବିଲ୍ ହଲଦ୍ୱାନୀ ହିଂସାର ଫଳାଫଳ, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିଲେ ଏବଂ ଅନେକ ଆହତ ହୋଇଥିଲେ ।

ଗୃହରେ ଉପସ୍ଥାପନ ପରେ ବିଲ୍ ଉପରେ ବିତର୍କ ହେବ ଏବଂ ଏହା ପାରିତ ହେବା ପରେ ଆଇନରେ ପରିଣତ ହେବ । ଏହା ଆଇନରେ ପରିଣତ ହେବା ମାତ୍ରେ ଉତ୍ତରାଖଣ୍ଡ ସେହି ରାଜ୍ୟ ତାଲିକାରେ ସାମିଲ ହୋଇଯିବ, ଯେଉଁଠି ଏହି ଆଇନ କାର୍ଯ୍ୟକାରୀ ହେଉଛି ।

କହି ରଖୁଛୁ, ଉତ୍ତରାଖଣ୍ଡର ହଲଦ୍ୱାନୀରେ ଫେବୃୟାରୀ ୮ରେ ପ୍ରବଳ ହିଂସା ଘଟିଥିଲା । ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ, ପ୍ରଶାସନ ଏବଂ ନଗର ନିଗମ ଟିମ୍‌ ଉପରେ ଲୋକେ ଆକ୍ରମଣ କରିଥିଲେ । ପଥର ମାଡ଼ ସହିତ ଜଳାପୋଡ଼ା ଏବଂ ଗୁଳିକାଣ୍ଡ ଘଟିଥିଲା । ଅନେକ ଗାଡ଼ି ସହ ଥାନା ଘେରାଉ କରାଯାଇ ନିଆଁ ଲଗାଇ ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.