କୋଭିଡ୍ ଟିକାକରଣରେ ନୂଆ ମାଇଲ୍ ଷ୍ଟୋନ୍: ବିଶ୍ୱରେ ୧ ହଜାର କୋଟି ଟପିଲା ଟିକାକରଣ

କେନ୍ୟୁଜ୍(ବ୍ୟୁରୋ): ବିଶ୍ୱରେ କୋଭିଡ୍ ଟିକାକରଣରେ ନୂଆ ମାଇଲ୍ ଷ୍ଟୋନ୍ । ୧୦ ବିଲିୟନ ଅର୍ଥାତ ୧ ହଜାର କୋଟି ଟପିଛି କୋଭିଡ୍ ଟିକାକରଣ । ୧୮୪ଟି ଦେଶରେ ହଜାରେ କୋଟିରୁ ଅଧିକ ଡୋଜ୍ ଟିକାକରଣ ହୋଇଛି। ଟିକାକରଣ ଆରମ୍ଭର ପ୍ରଥମ ୪ ମାସରେ ୧୦୦ କୋଟି ଟିକା ପ୍ରଦାନ କରାଯାଇଥିଲା। କିନ୍ତୁ ପରବର୍ତ୍ତୀ ୯ ମାସରେ ୯୦୦ କୋଟି ଟିକାକରଣ ହୋଇପାରିଛି। ଦିନକୁ ପ୍ରାୟ ହାରାହାରି ୩ କୋଟି ୨୭ ଲକ୍ଷ ଡୋଜ୍ର ଟିକାକରଣ ହୋଇଛି। କେବଳ ଚୀନ୍ରେ ସର୍ବାଧିକ ୩ ବିଲିୟନ୍ ଅର୍ଥାତ୍ ୩ ଶହ କୋଟି ଡୋଜ୍ ଟିକାକରଣ ହୋଇଛି । ଯାହା ବିଶ୍ୱ ଜନସଂଖ୍ୟାର ୨୯.୬ ପ୍ରତିଶତ । ଦ୍ୱିତୀୟ ସର୍ବାଧିକ ଭାରତରେ ୧୭୦ କୋଟି ଡୋଜ୍ କୋଭିଡ୍ ଟିକାକରଣ ହୋଇଛି । ସେହିପରି ୟୁରୋପିଆନ୍ ଦେଶଗୁଡିକରେ ୮୨ କୋଟି, ଆମେରିକାରେ ୫୩ କୋଟି, ବ୍ରାଜିଲରେ ୩୬ କୋଟି ଡୋଜ୍ରୁ ଅଧିକ ଟିକାକରଣ ହୋଇଛି ।
ଅନେକ ରାଷ୍ଟ୍ରରେ ୨୦୨୦ର ଶେଷ ଭାଗରେ ଓ ୨୦୨୧ ଆରମ୍ଭରେ ଟିକାକରଣ ଆରମ୍ଭ ହୋଇଥିଲା। ଏହା ପରଠାରୁ ବିଶ୍ୱର ୬୦ ପ୍ରତିଶତ ଲୋକଙ୍କୁ କୋଭିଡ ଟିକା ପ୍ରଦାନ କରାଯାଇଛି । ବିଶ୍ୱବ୍ୟାପୀ ୨୦ରୁ ଅଧିକ ସ୍ୱୀକୃତ ପ୍ରାପ୍ତ କୋଭିଡ ଟିକା ପ୍ରଦାନ କରାଯାଉଥିବା ବେଳେ ପ୍ରାୟ ସମସ୍ତେ ଗୋଟିଏ ଡୋଜ୍ ଟିକା ନେଇସାରିଛନ୍ତି । ବିଶ୍ୱର ବୃହତ ଟିକାକରଣରେ ଏହା ଏକ ଐତିହାସିକ ସଫଳତା ବୋଲି କୁହାଯାଇଛି।