ବିଜୟ ଦିବସରେ ପୁଟିନ୍‌ଙ୍କ ବାର୍ତ୍ତା- ‘ଯୁଦ୍ଧ କରି ଭଲ କରିଛୁ, ଠିକ୍‌ ନିଷ୍ପତ୍ତି ନେଇଛି ରୁଷ୍‌’

ଆଜି ବିଜୟ ଦିବସ ପାଳିଛି ରୁଷ୍‌। ଭିକ୍‌ଟ୍ରି ଡେ’ ଅବସରରେ ସାରା ବିଶ୍ୱକୁ ବାର୍ତ୍ତା ଦେଇଛି ରୁଷ୍‌। ପୁଟିନ୍‌ କହିଛନ୍ତି, କାହିଁକି ୟୁକ୍ରେନ୍‌ ଉପରେ ଆକ୍ରମଣ କରିଛି ମସ୍କୋ। ରେଡ୍‌ ସ୍କୋୟାରରେ ପରେଡ୍‌ ଅଭିବାଦନ ଗ୍ରହଣ କରି ଯୁଦ୍ଧକୁ ଯଥାର୍ଥ କହିଛନ୍ତି ପୁଟିନ୍‌। ୟୁକ୍ରେନ୍‌ ଆକ୍ରମଣକୁ ଏକମାତ୍ର ସଠିକ୍‌ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି ରୁଷ୍‌ ରାଷ୍ଟ୍ରପତି। ପୁଟିନ୍‌ କହିଛନ୍ତି, ମସ୍କୋ ବିରୋଧରେ ଭୟାନକ ଷଡ଼ଯନ୍ତ୍ର ହୋଇଥିଲା। ଡୋନ୍‌ବାସରେ ବଡ଼ ଅପରେସନ୍‌ ଚାହୁଁଥିଲା ୟୁକ୍ରେନ୍‌। ଆମ ପାଇଁ ସବୁ ଦିନ ବିପଦ ବଢ଼ିବଢ଼ି ଚାଲିଥିଲା। ୟୁକ୍ରେନ୍‌ରେ ଶହଶହ ବିଦେଶୀ ପରାମର୍ଶଦାତା ପହଞ୍ଚୁଥିଲେ। ନାଟୋର ଅସ୍ତ୍ରଶସ୍ତ୍ର ପହଞ୍ଚୁଥିଲା। ପୁଣି ଥରେ ପରମାଣୁ ଅସ୍ତ୍ର କ୍ଷମତା ପୁନର୍ଜୀବିତ କରିବାକୁ ଉଦ୍ୟମ କରୁଥିଲା ୟୁକ୍ରେନ୍‌। ନାଟୋ କୌଣସି କଥା ଶୁଣିବା ପରିସ୍ଥିତିରେ ନଥିଲା। ଆମ ସୁରକ୍ଷା ସମ୍ପର୍କିତ ଆଲୋଚନାକୁ ସେମାନେ କର୍ଣ୍ଣପାତ କରିନଥିଲେ। ସେମାନେ ଆକ୍ରମଣ କରିବା ପୂର୍ବରୁ ଆମେ ଆକ୍ରମଣ କରିଛୁ। ଏହା ସମୟୋଚିତ ପଦକ୍ଷେପ। ଏକ ଦୃଢ଼, ସାର୍ବଭୌମ ଏବଂ ସ୍ୱାଧୀନ ରାଷ୍ଟ୍ର ପାଇଁ ଏହା ହିଁ ସଠିକ୍‌ ନିଷ୍ପତ୍ତି ବୋଲି କହିଛନ୍ତି ପୁଟିନ୍‌। ଆଉ ରୁଷ୍‌ ଏ ଯୁଦ୍ଧ ଜିତିବ ବୋଲି ଦୃଢ଼ୋକ୍ତି କରିଛନ୍ତି।

ଅନ୍ୟପଟେ ଯୁଦ୍ଧରେ ୟୁକ୍ରେନ୍‌ ଜିତିବ ବୋଲି ଦମ୍ଭୋକ୍ତି କରିଛନ୍ତି ଜେଲେନ୍‌ସ୍କି। ଭିକ୍‌ଟ୍ରି ଡେ’ରେ ରାସ୍ତା ଉପରେ ଚାଲି ଚାଲି ୟୁକ୍ରେନ୍‌ବାସୀଙ୍କୁ ସମ୍ବୋଧିତ କରିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି। କହିଛନ୍ତି, ସେତେବେଳେ ନାଜି ଜର୍ମାନୀ ବିରୋଧରେ ଜିତିଥିଲୁ। ଏବେ ବି ଏହି ଯୁଦ୍ଧ ଜିତିବୁ। ଖୁବ୍‌ ଶୀଘ୍ର ଦୁଇ ଦୁଇଟି ବିଜୟ ଦିବସ ପାଳିବ ୟୁକ୍ରେନ୍‌। ରୁଷ୍‌ର ନାଁ ନ ନେଇ ଜେଲେନ୍‌ସ୍କି କହିଛନ୍ତି, ଗୋଟିଏ ଦେଶ ପାଇଁ ଆଦୌ ବିଜୟ ଦିବସ ରହିବନି। ସ୍ୱାଧୀନତା ପାଇଁ ଆମେ ଲଢ଼ୁଛୁ। ସେଥିପାଇଁ ଆମେ ବିଜୟୀ ହେବୁ ବୋଲି କହିଛନ୍ତି ୟୁକ୍ରେନ୍‌ ରାଷ୍ଟ୍ରପତି।


ସୂଚନାଯୋଗ୍ୟ ଯେ ଆଜି ରୁଷ୍‌ର ୭୭ତମ ବିଜୟ ଦିବସ ଥିଲା। ଆଜି ପୁଟିନ୍‌ ସମ୍ପୂର୍ଣ୍ଣ ଯୁଦ୍ଧ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ସେ ସେମିତି କିଛି ସୂଚନା ଦେଇନାହାନ୍ତି। ଏବେ ବି ୟୁକ୍ରେନ୍‌ ଉପରେ ଜାରି ରହିଛି ରୁଷ୍‌ର ଦମନଲୀଳା।

Also Read: ପୁଟିନ୍‌ ସେନାର ବର୍ବରତା: ୟୁକ୍ରେନ୍‌ ସ୍କୁଲ ଉପରେ ରୁଷ୍‌ର ବୋମା ମାଡ଼, କଡ଼ା ନିନ୍ଦା କଲା ଜାତିସଂଘ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.