ଅକ୍ସିଜେନ ସପୋର୍ଟ ସିଷ୍ଟମରେ ଥିବା କରୋନା ପଜିଟିଭ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

ଛି ଏ ମଣିଷ ସମାଜକୁ। ଦିନକୁ ଦିନ ଏତେ ତଳକୁ ଖସିଯାଉଛି ଯେ, ନିଜର କିଛି ବି ବୁଦ୍ଧି କାମ କରୁନାହିଁ। କେତେ ବେଳେ କ’ଣ କରିବ ଜାଣିପାରୁନାହିଁ। ଏମିତି ଏକ ଘଟଣା ମଧ୍ୟପ୍ରଦେଶ ଗ୍ବାଲିଅରରେ ଘଟିଛି। କରୋନା ଯୋଗୁଁ ପୁଣି ଥରେ ଦେଶରେ ଆତଙ୍କ ଆରମ୍ଭ ହୋଇଗଲାଣି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ଯା ବଢିବାରେ ଲାଗିଛି। କିନ୍ତୁ ଏହା ମଧ୍ୟରେ ଏମିତି ଖବର ଶୁଣିବାକୁ ମିଳିଛି, ଯାହା ବିଷୟରେ ଆପଣ ଜାଣିଲେ ନିଶ୍ଚତ ରାଗିଯିବେ। ଅକ୍ସିଜେନ ସପୋର୍ଟ ସିଷ୍ଟମରେ ଥିବା ଜଣେ କରୋନା ପଜିଟିଭ୍ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛନ୍ତି ୱାର୍ଡ ବୟ। ଏହି ମାମଲା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ୱାର୍ଡ ବୟକୁ ଗିରଫ କରାଯାଇଛି।
ସୂଚନାନୁଯାୟୀ, ଗ୍ଵାଲିଅରର ଏକ ଘରୋଇ କୋଭିଡ କେୟାର ସେଣ୍ଟରରେ ଏକ ନିନ୍ଦନୀୟ ଘଟଣା ଘଟିଛି। ଜଣେ ମହିଳା କରୋନା ପଜିଟିଭ୍ ଚିହ୍ନଟ ହେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଉକ୍ତ ମହିଳା ରୋଗୀଙ୍କ ଅକ୍ସିଜେନ ଲେବଲ କମିବା କାରଣରୁ ତାଙ୍କୁ ଅକ୍ସିଜେନ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା। ମହିଳା ଜଣଙ୍କ କରୋନା ପଜିଟିଭ୍ ହୋଇଥିବା କାରଣରୁ ସେହି ୱାର୍ଡକୁ ଅନ୍ୟ କାହାକୁ ପ୍ରବେଶ କରିବାକୁ ଅନୁମତି ନଥିଲା। ଏହାର ସୁଯୋଗ ନେଇ ବିବେକ ଲୋଧୀ ନାମକ ଜଣେ ୱାର୍ଡ ବୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା।
ପୀଡିତା ପାଟି କରିବାରୁ ୱାର୍ଡ ବୟ ସେଠାରୁ ଫେରାର ହୋଇଯାଇଥିଲା। ଏହାପରେ ମହିଳା ଜଣଙ୍କ ତାଙ୍କ ପୁଅକୁ ଫୋନ କରି ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ। ସୂଚନା ମିଳିବା ପରେ ମହିଳାଙ୍କ ପୁଅ ଓ ତାଙ୍କର ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏନେଇ ପୀଡିତାଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି।
ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ବିବେକ ଲୋଧୀକୁ ଗିରଫ କରାଯାଇଛି। ଅଭିଯୁକ୍ତ ବିରୋଧରେ ୩୭୬ ଆକ୍ଟ ଆଧାରରେ ଏକ ମାମଲା ରୁଜୁ ହୋଇଛି। ଏହି ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ ୱାର୍ଡ ବୟକୁ ଅଟକ ରଖି ପଚରାଉଚୁରା କରୁଛି ପୁଲିସ।