IT ହବ୍‌ ରେ ପାଣି ସଙ୍କଟ: ଲାଗିଲା ଏସବୁ କଟକଣା, ନମାନିଲେ ଦେବେ ୫ ହଜାର ଟଙ୍କା ଜରିମାନା

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସହରରେ ଏମିତି ଅବସ୍ଥା ସତରେ ବିଶ୍ୱାସ କରି ହେଉନି । ୧୩ ମିଲିୟନରୁ ଅଧିକ ଲୋକ ରହୁଥିବା ଏହି ସହରରେ ପାଣିର ଦୈନିକ ଆବଶ୍ୟକତା ଦିନକୁ ୨୫୦୦ ମିଲିୟନ ଲିଟରରୁ ଅଧିକ କିନ୍ତୁ ପାଣି ଯୋଗାଣ ୫୦ ପ୍ରତିଶତକୁ ଖସି ଆସିଛି ।

ଭାରତର IT ହବ୍‌ ବେଙ୍ଗାଲୁରୁ ଏବେ ଭାରି ଜଳ ସଙ୍କଟ ସମସ୍ୟାର ସାମ୍ନା କରୁଛି । ସହରର ବିଭିନ୍ନ ଅଞ୍ଚଳରେ ବୋରେଓ୍ଵଲ ଶୁଖିଯାଇଛି । ଲୋକମାନେ ପାଣି ପାଇଁ ଡହଳ ବିକଳ ହେଉଛନ୍ତି । ପାଣି ପାଇଁ ଟ୍ୟାଙ୍କର ଉପରେ ନିର୍ଭର କରିବାକୁ ପଡ଼ୁଛି ଏମାନଙ୍କୁ । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସହରରେ ଏମିତି ଅବସ୍ଥା ସତରେ ବିଶ୍ୱାସ କରି ହେଉନି । ୧୩ ମିଲିୟନରୁ ଅଧିକ ଲୋକ ରହୁଥିବା ଏହି ସହରରେ ପାଣିର ଦୈନିକ ଆବଶ୍ୟକତା ଦିନକୁ ୨୫୦୦ ମିଲିୟନ ଲିଟରରୁ ଅଧିକ କିନ୍ତୁ ପାଣି ଯୋଗାଣ ୫୦ ପ୍ରତିଶତକୁ ଖସି ଆସିଛି । ପରିସ୍ଥିତିର ସୁଯୋଗ ନେଇ ପାଣି ଯୋଗାଉଥିବା ଅପରେଟରମାନେ ୱାଟର ଟ୍ୟାଙ୍କର୍ ଉପରେ ଅଧିକ ଚାର୍ଜ କରୁଛନ୍ତି । ଟ୍ୟାଙ୍କର ମୂଲ୍ୟ ପୂର୍ବରୁ ୫୦୦ ଟଙ୍କା ଥିଲା କିନ୍ତୁ ପାଣି ସମସ୍ୟା ପାଇଁ ଏହାର ମୂଲ୍ୟ ୨୦୦୦ ଟଙ୍କାକୁ ବୃଦ୍ଧି ପାଇଛି ।

ଜଳ ସଙ୍କଟର ସମ୍ମୁଖୀନ ହେଉଥିବା ବେଙ୍ଗାଲୁରୁରେ ଲୋକମାନେ ଦେଖି ଚାହିଁ ପାଣି ବ୍ୟବହାର କରୁଛନ୍ତି । ବିଭିନ୍ନ ଇଣ୍ଡଷ୍ଟ୍ରୀ ମଧ୍ୟ ଏଥିପାଇଁ ଚିନ୍ତିତ । କାରଣ କନଷ୍ଟ୍ରକ୍ସନ କାମ ଉପରେ ଏବେ କଟକଣା ଲାଗିଛି । ବିଜୟନଗର ସମେତ ସହରର ଅନେକ ସ୍କୁଲ ଏବଂ କୋଚିଂ ସେଣ୍ଟର ବନ୍ଦ ରହିଛି । ଗୋଟିଏ ସପ୍ତାହ ପାଇଁ ଅନ୍ଲାଇନ୍ କ୍ଲାସ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଡେପୁଟି ସିଏମ୍ ଡି.କେ ଶିବକୁମାର କହିଛନ୍ତି ଯେ ବେଙ୍ଗାଲୁରୁର ସଦାଶିବନଗରରେ ଥିବା ତାଙ୍କ ଘରେ ମଧ୍ୟ ପ୍ରଥମ ଥର ପାଇଁ ବୋରେଓ୍ଵଲ୍‌ ଶୁଖି ଯାଇଛି ।

କାବେରୀ ନଦୀର ଜଳ ସ୍ତର କମି ଯାଇଥିବାରୁ IT ହବ୍ ବେଙ୍ଗାଲୁରୁ ପାନୀୟ ଜଳ ସଙ୍କଟ ସମସ୍ୟା ଉପୁଜିଛି । ବେଙ୍ଗାଲୁରୁରେ ୩୦୦୦ ରୁ ଅଧିକ ବୋରୱେଲ ଶୁଖି ଯାଇଛି । ଆର.ଆର ନଗର ପରି ଅଞ୍ଚଳରେ RO ପ୍ଲାଣ୍ଟରେ ପାଣି ପାଇଁ ଲୋକମାନେ ଲାଇନ୍‌ ଲଗାଇ ଛିଡ଼ା ହେଉଛନ୍ତି । ଜଳ ଯୋଗାଣ କରୁଥିବା ଘରୋଇ ଟ୍ୟାଙ୍କର୍ ଅପରେଟରମାନେ ପାଣି ପାଇଁ ଅଧିକ ଚାର୍ଜ କରୁଛନ୍ତି । ବର୍ଷା ଅଭାବରୁ ସମଗ୍ର କର୍ଣ୍ଣାଟକରେ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି ।

ବେଙ୍ଗାଲୁରୁର ବିକାଶର ଦାୟିତ୍ୱ ତୁଲାଉଥିବା ଉପମୁଖ୍ୟମନ୍ତ୍ରୀ ଶିବକୁମାର ବେଙ୍ଗାଲୁରୁରେ ପାଣି ସମସ୍ୟାକୁ ଦୂର କରିବା ପାଇଁ ଘରୋଇ ଟ୍ୟାଙ୍କର୍ ଏବଂ ବେସରକାରୀ ବୋରୱେଲ ନିଜ ଅଧିନରେ ନେବାକୁ ଘୋଷଣା କରିଛନ୍ତି । ଜଳ ଯୋଗାଣ ପାଇଁ କ୍ଷୀର ଯୋଗାଣ ଟ୍ୟାଙ୍କର ମଧ୍ୟ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି । ଜଳ ସଙ୍କଟର ସମାଧାନ ପାଇଁ କର୍ଣ୍ଣାଟକ ସରକାର ହେଲ୍ପଲାଇନ ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗତ ବର୍ଷ ଏଲ୍ ନିନୋର ପ୍ରଭାବ ରହିଥିଲା ଯେଉଁଥି ପାଇଁ ଏହାର ପ୍ରଭାବ ଚଳିତ ବର୍ଷ ମଧ୍ୟ ରହିଛି । ପାଣି ଅଭାବର ସମସ୍ୟାକୁ ନଜରରେ ରଖି ସମସ୍ତ ଫେଣ୍ଟିଙ୍ଗ୍‌ ଓ ନିର୍ମାଣଧିନ ଭଳି ଅନାବଶ୍ୟକ କାମକୁ ସ୍ଥଗିତ ରଖାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ ବେଙ୍ଗାଲୁରୁରେ କାର ଧୋଇବା, ଗାର୍ଡେନିଙ୍ଗ, କନଷ୍ଟ୍ରକ୍ସନ୍‌, ରୋଡ଼ କନଷ୍ଟ୍ରକ୍ସନ୍‌ କିମ୍ବା ଓ୍ଵାଟର ଫାଉଣ୍ଟେନ୍‌ ବ୍ୟବହାର ଉପରେ କଟକଣା ଲଗାଯାଇଛି । ଏହି କଟକଣାକୁ ଉଲଙ୍ଘନ କଲେ ୫ ହଜାର ଟଙ୍କାର ଜରିମାନା ଦେବାକୁ ପଡ଼ିବ ।

ବିଶେଷଜ୍ଞମାନେ କହିଛନ୍ତି ଯେ ସହରୀକରଣ ପାଇଁ ହିଁ ସହରରେ ଜଳ ଭଣ୍ଡାର ହ୍ରାସ ପାଉଛି । ହ୍ରଦ ଏବଂ ପୋଖରୀଗୁଡ଼ିକ ହେଉଛି ପ୍ରାକୃତିକ ଜଳଭଣ୍ଡାର ଯାହା ବର୍ଷା ଜଳ ସଂଗ୍ରହ କରେ ଏବଂ ଭୂତଳ ଜଳ ସ୍ତରକୁ ବଢ଼ାଇଥାଏ । କିନ୍ତୁ ସହରୀକରଣ ପାଇଁ ହ୍ରଦ ଏବଂ ପୋଖରୀର ଜଳ ସ୍ଥର କମି ଯାଉଛି । ଫଳରେ ଲୋକମାନେ ପିଇବା ପାଇଁ ମଧ୍ୟ ପାଣି ପାଉ ନାହାନ୍ତି । ପାଣି ସମସ୍ୟା ଏତେ ବଢ଼ିଯାଇଛି ଯେ ଲୋକମାନେ ଟଙ୍କା ଦେଇ ପାଣି କିଣୁଛନ୍ତି । ତେବେ ନିର୍ଦ୍ଦିଷ୍ଟ ସମୟରେ ବର୍ଷା ହେଲେ ଲୋକମାନଙ୍କ ପାଣି ସମସ୍ୟା ହୁଏତ ଦୂର ହୋଇପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.