‘ଆମେ ପଦକ ଫେରାଇ ଦେବୁ, ଏମିତି ପଦକ ରଖି କ’ଣ ଲାଭ’, ସାମ୍ବାଦିକ ସମ୍ମିଳନୀରେ କହିଲେ ରେସଲର

ଆମ ଲଢେଇ ସରକାରଙ୍କ ବିରୋଧରେ ନୁହେଁ, ଏହି ଲଢେଇ ବ୍ରିଜଭୂଷଣ ଶରଣ ସିଂଙ୍କ ସହ । ଯଦି ଖେଳାଳିଙ୍କ କଥା ଶୁଣାଯାଇପାରିବ ନାହିଁ ଏବଂ ସେମାନେ ନ୍ୟାୟ ପାଉନାହାନ୍ତି, ତେବେ ସରକାର ସେମାନଙ୍କ ପଦକ ଏବଂ ପୁରସ୍କାର ଫେରାଇ ନେବା ଉଚିତ୍। ଆମେ ଆମର ପଦକ ସରକାରଙ୍କୁ ଫେରାଇବୁ ବୋଲି କହିଛନ୍ତି ବଜରଙ୍ଗ ପୁନିଆ ।

ଜନ୍ତର ମନ୍ତରରେ ବିଳମ୍ବିତ ରାତିରେ ପୋଲିସ ସହ ଧସ୍ତାଧସ୍ତି ପରେ ଗୁରୁବାର ସକାଳୁ ଏକ ପ୍ରେସ କନଫରନ୍ସେ କରିଛନ୍ତି ରେସଲର । ଏହି ସାମ୍ବାଦିକ ସମ୍ମିଳନୀରେ ରେସଲରମାନେ କହିଛନ୍ତି, ସେମାନଙ୍କ ଲଢେଇ ସରକାରଙ୍କ ବିରୋଧୀରେ ନୁହେଁ, ଏହି ଲଢେଇ ବ୍ରିଜ ଭୂଷଣ ଶରଣ ସିଂଙ୍କ ସହ ହେଉଛି । ଏହି ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିବାନ ମଧ୍ୟ ଉପସ୍ଥିତ ରହିଥିଲେ ।

ସାମ୍ବାଦିକ ସମ୍ମିଳନୀରେ ବଜରଙ୍ଗ ପୁନିଆ କହିଛନ୍ତି ଯେ, ଯଦି ଖେଳାଳିଙ୍କ କଥା ଶୁଣାଯାଇପାରିବ ନାହିଁ ଏବଂ ସେମାନେ ନ୍ୟାୟ ପାଉନାହାନ୍ତି, ତେବେ ସରକାର ସେମାନଙ୍କ ପଦକ ଏବଂ ପୁରସ୍କାର ଫେରାଇ ନେବା ଉଚିତ୍। ଆମେ ଆମର ପଦକ ସରକାରଙ୍କୁ ଫେରାଇବୁ। ଏପରି ପଦକ ରଖି ଆମେ କ’ଣ କରିବୁ । ତେବେ ଜାଣିଶୁଣି ଏହି ଆନ୍ଦୋଳନକୁ ରାଜନୀତି ସହିତ ଜଡିତ କରିବାକୁ ଉଦ୍ୟମ କରାଯାଉଛି । ଆମ ଆନ୍ଦୋଳନ ନ୍ୟାୟ ପାଇଁ ଏବଂ ଏହା ସମସ୍ତଙ୍କ ସମର୍ଥନ ହାସଲ କରୁଛି।

ବ୍ରିଜଭୂଷଣଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ତଥାପି ପୋଲିସ ତାଙ୍କୁ ଗିରଫ କରୁନି । ପୋଲିସ ତାଙ୍କ ଇଙ୍ଗତରେ କାମ କରୁଛି ବୋଲି ପୁନିଆ ଅଭିଯୋଗ କରିଛନ୍ତି ।

 


ସୂଚନାଯୋଗ୍ୟ, ଗତ ରାତିରେ ପୋଲିସ ଯେପରି ଭାବେ ସେମାନଙ୍କୁ ଧସ୍ତାଧସ୍ତି କରିବା ସହ ବାଡ଼େଇବାକୁ ପଛାଇଲା ନାହିଁ ବୋଲି କହି କାନ୍ଦି ପକାଇଛନ୍ତି ବଜରଙ୍ଗ ପୁନିଆ। ସେ କହିଛନ୍ତି, ବର୍ଷା ଯୋଗୁ ଧାରଣାସ୍ଥଳ ଓଦା ହୋଇ ଯାଇଥିବାରୁ ଆପ୍ ବିଧାୟକ ସୋମନାଥ ଭାରତୀ ଆମ ପାଇଁ ଫୋଲ୍ଡିଂ ବେଡ୍ ଆଣିଥିଲେ। ଏହାକୁ ନେଇ ପୋଲିସ ଆମକୁ ଆଖିବୁଜା ପିଟିଥିଲା । ପୋଲିସ ମାଡରେ ଭିନେଶ ଫୋଗଟଙ୍କ ଭାଇ ଓ ବଜରଙ୍ଗ ପୁନିଆଙ୍କ ୨ ସମ୍ପର୍କୀୟଙ୍କ ମୁଣ୍ଡ ଫାଟିଥିବା ଜଣାଯାଇଛି। ସେପଟେ ରେସଲରଙ୍କ ଅଭିଯୋଗକୁ ଖଣ୍ଡନ କରିଛି ଦିଲ୍ଲୀ ପୋଲିସ । ଏହି ଘଟଣାକୁ ରେସଲରମାନେ ତୀବ୍ର ନିନ୍ଦା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.