ଜାଲରେ ପଡ଼ିଲା ବିରାଟକାୟ ମାଛ, କିଲୋ ପିଛା ୬୨୦୦ରେ ବିକି ମାଲାମାଲ୍‌ ହେଲେ ବୃଦ୍ଧା; ଦେଖନ୍ତୁ ଫଟୋ

ପଶ୍ଚିମବଙ୍ଗର ଜଣେ ବୟସ୍କା ମହିଳା ଆଶ୍ଚର୍ଯ୍ୟଜନକ ଭାବେ ଧନୀ ହୋଇଯାଇଛନ୍ତି। ମହିଳାଙ୍କ ଧନୀ ହେବାର ରାଜ୍‌ ଶୁଣିଲେ ଆପଣ ବି ହତବାକ୍‌ ହୋଇଯିବେ। କାରଣ ମହିଳା ଜଣକ କୌଣସି ଲଟେରୀ ଜିତି ନୁହେଁ ବରଂ ଏକ ବିରାଟକାୟ ମାଛ ଧରି ଲକ୍ଷପତି ହୋଇଯାଇଛନ୍ତି। ଶନିବାର ମହିଳା ଏକ ବିରାଟ ମାଛ ଧରିଥିଲେ, ଯାହାର ଦାମ୍‌ ଥିଲା ୩ ଲକ୍ଷ ଟଙ୍କା।

ସୂଚନା ମୁତାବକ, ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ସୁନ୍ଦରବନ ଅଞ୍ଚଳରେ ସାଗର ଦ୍ୱୀପର ବାସିନ୍ଦା ପୁଷ୍ପା କର (୬୦) ନଦୀରୁ ମାଛ ଧରୁଥିବା ବେଳେ ତାଙ୍କ ଜାଲରେ ଏକ ୫୨ କିଲୋର ମାଛ ପଡ଼ିଥିଲା। ସବୁଠୁ ଖାସ୍‌ କଥା ହେଉଛି ମହିଳାଙ୍କୁ ଏହି ମାଛରେ କିଲୋପ୍ରତି ୬୨୦୦ ଟଙ୍କା ମିଳିଲା। ପୂରା ମାଛ ପାଇଁ ପୁଷ୍ପାଙ୍କୁ ପ୍ରାୟ ୩ ଲକ୍ଷ ଟଙ୍କା ମିଳିଛି। ସେ କେବେ ସ୍ୱପ୍ନରେ ବି ଏତେ ବଡ଼ ମାଛ ଧରିବେ ବୋଲି ଭାବିନଥିବା କହିଛନ୍ତି ପୁଷ୍ପା।

fish2

ପୁଷ୍ପା କହିଛନ୍ତି ସେ ମାଛ ଧରିବାକୁ ଯିବା ବେଳେ ଏକ ବିରାଟ ମାଛ ପାଣିରେ ଭାସୁଥିବା ଦେଖିଥିଲେ। ମାଛଟି କୌଣସି ଡଙ୍ଗା ମାଡ଼ରେ ମରିଯାଇଥିଲା। କିନ୍ତୁ ସୌଭାଗ୍ୟବଶତଃ ତାକୁ ଅନ୍ୟ ମାଛମାନେ ଖାଇନଥିଲେ କି ସେ ସଢ଼ି ବି ନଥିଲା। ଏଣୁ ପୁଷ୍ପା ତାକୁ ଆରାମରେ ବିକ୍ରି କରି ୩ ଲକ୍ଷ ଟଙ୍କା ରୋଜଗାର କରିପାରିଲେ। ଏହି ମାଛର ନାଁ ଭୋଲା ମାଛ ବୋଲି ଜଣାଯାଇଛି। ଏହାକୁ ମେଡିସିନ୍‌ ତିଆରିରେ ବ୍ୟବହାର କରାଯାଏ। ଏଣୁ ଏହାର ମୂଲ୍ୟ ଆକାଶଛୁଆଁ।