ଛାଡ଼ି ଚାଲିଗଲେ ବାପା, ମା’… ଦୁଇ ଝିଅ ଶେଷ ଥର ପାଇଁ କଫିନକୁ ଚୁମ୍ବନ ଦେବା ବେଳେ ସମସ୍ତଙ୍କ ଆଖି ଛଳଛଳ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦେଶର ବରିଷ୍ଠ ସୈନ୍ୟ ଅଧିକାରୀମାନେ ଭାରତର ପ୍ରଥମ ପ୍ରତିରକ୍ଷା ଅଧ୍ୟକ୍ଷ (ସିଡିଏସ୍) ଜେନେରାଲ୍ ବିପିନ ରାୱତ, ତାଙ୍କ ସ୍ତ୍ରୀ ମଧୁଲିକା ରାୱତ, ବ୍ରିଗେଡିୟର ଏଲ୍ ଏସ୍ ଲିଦ୍ଦରଙ୍କ ସହ ଅନ୍ୟ ୧୦ ପ୍ରତିରକ୍ଷା କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପାଲମ ବିମାନ ବନ୍ଦରରେ ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ସମୟରେ ଜେନେରାଲ ରାୱତଙ୍କର ଦୁଇ ଝିଅ ମଧ୍ୟ ଉପସ୍ଥିତ ଥିଲେ। ଯେତେବେଳେ ରାୱତଙ୍କ ଝିଅମାନେ ବାପାଙ୍କ ମୃତଦେହର କଫିନକୁ ଚୁମ୍ବନ ଦେଇଥିଲେ, ସେତେବେଳେ ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖି ଛଳଛଳ ହୋଇ ଯାଇଥିଲା।

ପାଲମ ବିମାନ ବନ୍ଦରରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏକ ହ୍ୟାଙ୍ଗରରେ ୧୩ କଫିନ୍ ରଖାଯାଇଥିଲା ଏବଂ ଏହି ସମୟରେ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଏଭଳି ଏକ ଦୁଃଖଦ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି ମୃତକଙ୍କ ପରିବାର ଲୋକଙ୍କ ପାଖକୁ ଯାଇଥିଲେ ଏବଂ ସେମାନଙ୍କ ସହ କିଛି ମିନିଟ୍ କଥା ହୋଇଥିଲେ।

ତାମିଲନାଡୁର କୁନ୍ନୁର ନିକଟରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣା ପରେ ପୂରା ଦେଶ ଶୋକରେ ବଡ଼ୁି ରହିଛି। ସେନା ଅଧିକାରୀମାନେ କହିଛନ୍ତି ଯେ ଏ ପର୍ଯ୍ୟନ୍ତ କେବଳ ଜେନେରାଲ ରାୱତ, ତାଙ୍କ ସ୍ତ୍ରୀ ମଧୁଲିକା ରାୱତ ଓ ବ୍ରିଗେଡିୟର ଏଲ୍ ଏସ୍ ଲିଦ୍ଦରଙ୍କ ମୃତଦେହକୁ ଚିହ୍ନଟ କରାଯାଇ ପାରିଛି। ଜେନେରାଲ ରାୱତଙ୍କର ଦୁଇ ଝିଅ ଗତକାଲି ପାଲମ ବିମାନ ବନ୍ଦରରେ ପହଞ୍ଚି ବାପା, ମାଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବାପାଙ୍କ ମୃତଦେହର କଫିନ୍ ଦେଖୁ ଦେଖୁ ହିଁ ଝିଅମାନେ କାନ୍ଦିବାକୁ ଲାଗିଥିଲେ।

ସୂଚନାଥାଉ କି, ଯେଉଁମାନେ ଏଠାରେ ଦିବଂଗତମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ, ସେମାନଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସାମିଲ ଥିଲେ। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ନୌସେନା ମୁଖ୍ୟ ଆଡମିରଲ ଆର ହରି କୁମାର, ଏୟାର ଚିଫ୍ ମାର୍ଶଲ ଏ ଭି ଆର ଚୌଧୁରୀ, ପ୍ରତିରକ୍ଷା ସଚିବ ଅଜୟ କୁମାର ମଧ୍ୟ ଦିବଂଗତମାନଙ୍କୁ ଲୁହଭରା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପାର୍ଥିବ ଶରୀରଗୁଡ଼ିକୁ ଭାରତୀୟ ବାୟୁସେନାର C-130J ବିମାନ ଦ୍ୱାରା ସୁଲୁର ଏୟାରବେସରୁ ଦିଲ୍ଲୀ ଅଣା ଯାଇଥିଲା। ଜେନେରାଲ ରାୱତଙ୍କ ଅନ୍ତିମ ଯାତ୍ରା ତାଙ୍କ ବାସଭବନରୁ ବେରାର୍ ସ୍କୋୟାର ଶ୍ମଶାନ ଘାଟ ପର୍ଯ୍ୟନ୍ତ ଅପରାହ୍ନ ପାଖାପାଖି ୨ଟାରୁ ଆରମ୍ଭ ହେବ। କୁନ୍ନୁର ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିବା ଦେଶର ସାହସୀ ଯୋଦ୍ଧାମାନଙ୍କୁ ଆଜି ସାରା ଦେଶ ଲୁହଭରା ଆଖିରେ ଶ୍ରଦ୍ଧାଞ୍ଜଳି ଦେଉଛି। ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ଓ ତାଙ୍କ ସ୍ତ୍ରୀ ମଧୁଲିକାଙ୍କୁ ଆଜି ଅନ୍ତିମ ବିଦାୟ ଦିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.