ମହାରାଷ୍ଟ୍ରରେ କିଏ ଗଢିବ ସରକାର ? ବିଜେପି-ଶିବସେନା ମେଣ୍ଟ ନା ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ?

ଶିବସେନା ସରକାର ଗଢିବ ନା ବିଜେପି ? ସମୟ ଗଡୁଛି, ହେଲେ ମହାରାଷ୍ଟ୍ର ସସ୍‌ପେନ୍‌ସ ଉପରୁ ହଟୁନି ପରଦା । କ୍ଷମତା ଯୁଦ୍ଧରେ ଲିପ୍ତ ଥିବା ଦୁଇ ଦଳ ସରକାର ଗଠନ ପାଇଁ ତୟାର । ଆଜି ଦିଲ୍ଲୀରେ ଅମିତ ଶାହଙ୍କୁ ଦେବେନ୍ଦ୍ର ଫଡନାଭିସ ଭେଟିଥିବା ବେଳେ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ଏନ୍‌ସିପି ମୁଖ୍ୟ ଶରଦ ପାଓ୍ଵାର ।

ମହରାଷ୍ଟ୍ରରେ କିଏ ଗଢିବ ସରକାର? ବିଜେପି-ଶିବସେନା ମେଣ୍ଟ ନା ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ? ବିଜେପି – ଶିବସେନା ମଧ୍ୟରେ କ୍ଷମତା ଯୁଦ୍ଧ ଜାରି ରହିଥିବା ବେଳେ ସରକାର ଗଠନ ପାଇଁ ଦୁଇ ଦଳ ତତ୍ପର ହୋଇ ଉଠିଛନ୍ତି । ଅମିତ ଶାହଙ୍କୁ ତାଙ୍କ ବାସଭବନରେ ଭେଟି ମନ୍ତ୍ରଣା କରିଛନ୍ତି ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ । ଖୁବ୍‌ ଶୀଘ୍ର ସରକାର ଗଠନ ପାଇଁ ସେ ରାଜ୍ୟପାଳଙ୍କ ପାଖରେ ଦାବି ରଖିବେ ବୋଲି ଜଣାପଡ଼ିଛି । ଆସନ୍ତା ୬ ତାରିଖରେ ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଫଡନାଭିସ୍‌ ।

Image result for who will make government in maharashtra

ସେପଟେ ସରକାର ଗଢିବା ପାଇଁ ତୟାର ହେଉଥିବା ଉଦ୍ଧବ ଠାକ୍‌ରେଙ୍କ ଶିବସେନା, ଏନସିପି ଓ କଂଗ୍ରେସର ସମର୍ଥନକୁ ଚାହିଁ ବସିଛି । ଏନସିପି ସହ ସେନାର ଘନଘନ ମନ୍ତ୍ରଣା ଚାଲିଛି । ଏହାରି ଭିତରେ ଦିଲ୍ଲୀରେ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ଶରଦ ପାଓ୍ଵାର । ତେବେ ଶିବସେନାକୁ ସମର୍ଥନ ନେଇ କୌଣସି ଆଲୋଚନା ହୋଇନି । ଏନ୍‌ସିପି ପାଖରେ ସଂଖ୍ୟା ନାହିଁ । ଯାହା ପାଖରେ ସଂଖ୍ୟା ଅଛନ୍ତି, ସରକାର ଗଠନର ଦାୟିତ୍ୱ ତାଙ୍କର ବୋଲି କହିଛନ୍ତି ଶରଦ ପାଓ୍ଵାର । ସେପଟେ ଶିବସେନା ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଛନ୍ତି ଦଳର ବରିଷ୍ଠ ନେତା ସଂଜୟ ରାଉତ । ଅନ୍ୟପଟେ ରାଜ୍ୟପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ଦଳର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ସଂଜୟ ।

ଆସନ୍ତା ୯ ତାରିଖରେ ଫଡନାଭିସ୍‌ଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ୧୦ ତାରିଖ କିମ୍ବା ଏହା ପୂର୍ବରୁ ନୂଆ ସରକାର ଗଠନ ହେବା ଆବଶ୍ୟକ । ବିଜେପି ପାଖରେ ୧୦୫ ଆସନ ଥିବା ବେଳେ ଏନସିିପି ଓ କଂଗ୍ରେସର ସମର୍ଥନ ମିଳିଲେ ମ୍ୟାଜିକ୍‌ ନମ୍ବର ପାର କରିବ ଶିବସେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.