ଭାରତ ବାୟୋଟେକ୍‌କୁ ବଡ଼ ଝଟ୍‌କା! କୋଭାକ୍ସିନ୍‌ର ଅନ୍ତର୍ଜାତୀୟ ସପ୍ଲାଏ ସସ୍‌ପେଣ୍ଡ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଭାରତ ବାୟୋଟେକ୍‌କୁ ବଡ଼ ଝଟ୍‌କା। କରୋନା ଟିକା କୋଭାକ୍ସିନ୍‌ର ଅନ୍ତର୍ଜାତୀୟ ସପ୍ଲାଏ ଉପରେ ରୋକ୍‌ ଲଗାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏହି ଟିକାକୁ ସଂକ୍ରମଣ ଦୂର କରିବାକୁ ଗରିବ ଦେଶକୁ ପ୍ରଦାନ କରାଯାଉଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁତାବକ, ଗୁଡ୍‌ ମ୍ୟାନୁଫ୍ୟାକ୍‌ଚରିଂ ପ୍ରାକ୍ଟିସ୍‌ (ଜିଏମ୍‌ପି) ଅର୍ଥାତ୍‌ ଉତ୍ପାଦନ କାର୍ଯ୍ୟପ୍ରଣାଳୀରେ ଅଭାବ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଛି। ଭାରତର ପ୍ରଥମ ସ୍ୱଦେଶୀ କରୋନା ଟିକା ହେଉଛି କୋଭାକ୍ସିନ୍‌। ସୂଚନାଯୋଗ୍ୟ ଯେ ଏହି ଟିକା ନିର୍ମାତା କମ୍ପାନୀ ଭାରତ ବାୟୋଟେକ୍‌ ଦିନକ ପୂର୍ବରୁ ଘୋଷଣା କରିଥିଲା ଯେ ସେମାନେ ଟିକା ଉତ୍ପାଦନ କମ୍‌ କରିବାକୁ ଯାଉଛନ୍ତି।

ଡବ୍ଲ୍ୟୁଏଚ୍‌ଓ ଏହି ଘୋଷଣା ନେଇ ଏପ୍ରିଲ ୨ରେ ଏକ ବୟାନ ଜାରି କରିଥିଲା। ଡବ୍ଲ୍ୟୁଏଚ୍‌ଓର କହିବା ମୁତାବକ, ଟିକା ନେଉଥିବା ଦେଶ କୋଭାକ୍ସିନ୍‌ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। କୋଭାକ୍ସିନ୍‌କୁ ସସ୍‌ପେଣ୍ଡ କରିବା ଘୋଷଣା ଇୟୁଏଲ୍‌ ଇନ୍‌ସପେକ୍ସନ୍‌ ପରେ ଆସିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଟିମ୍‌ ୧୪ ମାର୍ଚ୍ଚରୁ ୨୨ ମାର୍ଚ୍ଚ ୨୦୨୨ ମଧ୍ୟରେ ଭାରତ ବାୟୋଟେକ୍‌ର ପ୍ଲାଣ୍ଟର ନିରୀକ୍ଷଣ କରିଥିଲେ।


ପ୍ରକାଶ ଯେ ଗତ ବର୍ଷ ନଭେମ୍ବର ୩ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭାକ୍ସିନ୍‌କୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଥିଲା। କିନ୍ତୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ ଭାବେ କହିନଥିଲା ଯେ ଏହି ଟିକାରେ ଜିଏମ୍‌ପିର କ’ଣ ଅଭାବ ରହିଛି।

ଅନ୍ୟ ପଟେ ଏନେଇ ଭାରତ ବାୟୋଟେକ୍‌ ପକ୍ଷରୁ ଏକ ବୟାନ ଜାରି କରି କୁହାଯାଇଛି ଯେ କମ୍ପାନୀ ସମସ୍ତ ପ୍ରକ୍ରିୟା, ସୁବିଧା ଅନୁକୂଳ ଗତିବିଧି ଉପରେ ଧ୍ୟାନ କେନ୍ଦ୍ରିତ କରିବ। ଗତ ବର୍ଷେ ମଧ୍ୟରେ ଟିକାର ନିରନ୍ତର ଉତ୍ପାଦନ ପାଇଁ ସମସ୍ତ କାର୍ଯ୍ୟ କରାଯାଇଛି। ଏବେ ସବୁ ଜିନିଷ ଉପରେ ଅଧିକ ଧ୍ୟାନ ଦେଇ ସୁବିଧାକୁ ଉନ୍ନତ କରିବା ଦିଗରେ କାମ କରିବା ଜରୁରୀ ହୋଇପଡ଼ିଛି।

Also Read: କେନ୍ଦ୍ର ରେଳ ମନ୍ତ୍ରୀଙ୍କ ବଡ଼ ଘୋଷଣା: ରାମନବମୀରୁ ପୁଣି ଗଡ଼ିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ

You might also like