କାହିଁକି ଦେଶ ଛାଡି ୟୁକ୍ରେନ ମୁହାଁ ହେଉଛନ୍ତି ଭାରତୀୟ ଛାତ୍ରଛାତ୍ରୀ, ଜାଣନ୍ତୁ କଣ ରହିଛି କାରଣ

ୟୁକ୍ରେନ ଉପରେ ରୁଷ ତରଫରୁ ଆକ୍ରମଣ କରାଯିବା ପରେ ହଜାର ହଜାର ସଂଖ୍ୟକ ଲୋକ ଦେଶ ଛାଡି ପଳାୟନ କରୁଛନ୍ତି  । ୟୁକ୍ରେନ ନାଗରିକ ତ ଦେଶ ଛାଡ଼ୁଛନ୍ତି ଆଉ ଯେଉଁମାନେ ଅନ୍ୟ ଦେଶରୁ ଆସି ୟୁକ୍ରେନରେ ଫସି ରହିଛନ୍ତି ସେମାନେ ବି ତୁରନ୍ତ ଯୁଦ୍ଧଗ୍ରସ୍ତ ଦେଶ ଛାଡି ଯିବାକୁ ଚେଷ୍ଟା ଚଳାଇଛନ୍ତି  । ଅନେକ ସଂଖ୍ୟକ ଭାରତୀୟ ବି ୟୁକ୍ରେନରେ ଫସି ରହିଥିବା ନେଇ ବାରମ୍ବାର ଖବର ମିଳୁଛି  । ସୂଚନାରୁ ଜଣାଯାଇଛିକି ପ୍ରାୟ ୨୦ ହଜାର ସଂଖ୍ୟକ ଭାରତୀୟ ଛାତ୍ର ୟୁକ୍ରେନରେ ରହି ପଢାପଢି କରୁଛନ୍ତି  । ସେମାନଙ୍କୁ ଏବେ କେମିତି ସୁରକ୍ଷିତ ଭାବରେ ବାହାରକୁ ବାହାର କରାଯିବ ତାହା ଏବେ ସମସ୍ତଙ୍କ ପାଇଁ ଯେମିତି ମୁଣ୍ଡବିନ୍ଧାର କାରଣ ପାଲଟିଛି  । ୟୁକ୍ରେନରୁ ୟୁରୋପ ସୀମା ମଧ୍ୟକୁ ପ୍ରବେଶ କରୁଥିବା ଭାରତୀୟ ମାନଙ୍କୁ “ଅପରେସନ ଗଙ୍ଗା” ସାହାଯ୍ୟରେ ସ୍ବଦେଶକୁ ଫେରାଇ ଅଣାଯାଉଛି  ।

students one
image credit: The New Indian Express

 

ଭାରତୀୟ ଛାତ୍ର ୟୁକ୍ରେନର ଭିନ୍ନ ଭିନ୍ନ ପ୍ରାନ୍ତରେ ମେଡିକାଲ ପଢିବା ପାଇଁ ଯାଇଥିଲେ  । ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ କାହିଁକି ଏତେ ସଂଖ୍ୟକ ଭାରତୀୟ ଛାତ୍ର ମେଡିକାଲ ପଢିବା ପାଇଁ ୟୁକ୍ରେନ ପରି ଦେଶକୁ ହିଁ ବାଛୁଛନ୍ତି ? ପଚରା ଉଚୁରା କରାଯିବା ପରେ ଜଣାପଡିଥିଲାକି ଅଧିକାଂଶ ଛାତ୍ର ଭାରତର ପ୍ରାଇଭେଟ ମେଡିକାଲ କଲେଜରୁ ଡିଗ୍ରୀ ହାସଲ କରିବାରେ ବର୍ଷକୁ ପ୍ରାୟ ୧୫ ରୁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି  । ଯେବେକି ୟୁକ୍ରେନରେ ଏହି ଫିସ ଖୁବ କମ ପଡିଥାଏ  । ସେନେଇ କିଛି ଜଣଙ୍କ ମତାମତ ବି ନିଆଯାଇଥିଲା  । ଗୁଜୁରାଟ ସୁରଟ ସହରର ନିବାସୀ ମହସୁର ୟୁକ୍ରେନର Vinnytsiaର VNMU ବିଶ୍ୱବିଦ୍ୟାଳୟରେ ଏମ୍ବିବିଏସର ଦ୍ଵିତୀୟ ବର୍ଷର ଛାତ୍ର ଅଟନ୍ତି  । ଦୁଇ ବର୍ଷ ପୂର୍ବେ ସେ ପଢିବା ପାଇଁ ସେ ୟୁକ୍ରେନ ଯାଇଥିଲେ  । ମହନୁରଙ୍କ କହିବା ଅନୁଯାୟୀ ୟୁକ୍ରେନରେ ପଢିବା ପାଇଁ ବର୍ଷକୁ ପାଖାପାଖି ୬୦୦୦ ରୁ ୭୦୦୦ ଡ଼ଲାର ଖର୍ଚ୍ଚ ହୋଇଥାଏ  । ଯାହା ମଧ୍ୟରୁ ଟ୍ୟୁସନ ଫି ପ୍ରାୟ ୫୦୦୦ ଡ଼ଲାର ହେବ  । ଏହା ବ୍ୟତୀତ ହଷ୍ଟେଲ ଖର୍ଚ୍ଚ ଏକ ହଜାର ଡ଼ଲାର ପାଖାପାଖି ଆସିଥାଏ  ।

students new
image credit: Decan Chronicle

ଏମିତି ଦେଖିଲେ ୟୁକ୍ରେନରେ ପାଞ୍ଚ ବର୍ଷର ଏମବିବିଏସ ପାଠପଢା ପାଇଁ ୨୫ ରୁ ୩୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ  । ଅବଶ୍ୟ ସେଠାରେ ଏମ୍ବିବିଏସ ଆଡମିସନ ଏତେଟା ସହଜ ନୁହେଁ  । ଭାରତର ଭିନ୍ନ ଭିନ୍ନ ପ୍ରାନ୍ତରେ ରହୁଥିବା ଛାତ୍ର ମାନେ ଏଜେଣ୍ଟ ମାନଙ୍କୁ ପ୍ରାୟ ଦେଢ଼ ରୁ ତିନି ଲକ୍ଷ ଟଙ୍କା ଦେଇ ୟୁକ୍ରେନ ମେଡିକାଲ ବିଶ୍ୱବିଦ୍ୟାଳୟରେ ଆଡମିସନ ନେଇଥାନ୍ତି  । ଖୋଳତାଡ ପଚରାଉଚୁରାରୁ ଜଣାଯାଇଛିଯେ ସ୍ୱଦେଶରେ ସରକାରୀ କଲେଜ ଗୁଡିକରେ ଆଡମିସନ ନେବା କଷ୍ଟକର ହୋଇଥିବା ବେଳେ ବେସରକାରୀ କଲେଜ ଗୁଡିକର ଖର୍ଚ୍ଚ ବହନ କରିବା ମଧ୍ୟବିତ୍ତ ପରିବାର କ୍ଷେତ୍ରରେ ସେତେଟା ସହଜ ନୁହେଁ  । ଭାରତର ପ୍ରାଇଭେଟ ମେଡିକାଲ କଲେଜରେ ପାଠପଢା ପାଇଁ ପାଞ୍ଚ ବର୍ଷ ପାଇଁ ପ୍ରାୟ ୯୦ ଲକ୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ  ।

ଦେଖିବାକୁ ଗଲେ ଭାରତୀୟ ଛାତ୍ରମାନଙ୍କୁ ମେଡିକାଲ ପଢିବା ପାଇଁ ୟୁକ୍ରେନ ସୁବର୍ଣ୍ଣ ସୁଯୋଗ ଦେଉଛି  । ସ୍ୱଦେଶରେ ପଢିବା ଅପେକ୍ଷା ପ୍ରାୟ ଅଧା ଖର୍ଚ୍ଚ ହୋଇଥାଏ  । କେବଳଯେ ଭାରତର ନୁହେଁ ଅନ୍ୟ ଦେଶର ଛାତ୍ର ମାନଙ୍କୁ ବି ୟୁକ୍ରେନରେ ମେଡିକାଲ ପଢିବା ପାଇଁ ସୁଯୋଗ ମିଳିପାରୁଛି  । ନାଇଜେରିୟା, ଘାନା କିମ୍ବା ଥାଇଲ୍ୟାଣ୍ଡ, ବିଶ୍ୱର ଅନ୍ୟ ଦେଶ ଗୁଡିକର ଛାତ୍ରମାନେ ବି ଏହି ଦେଶରେ ପଢିବା ପାଇଁ ସୁଯୋଗ ପାଇପାରୁଛନ୍ତି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.